ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଗଳିତ ଶବ

ବାରିପଦା : ପ୍ରେମ ପରେ ପ୍ରତାରଣା। ତାପରେ ହତ୍ୟା। ଯୁକ୍ତ ୩ ବିଜ୍ଞାନ ପଢ଼ୁଥିବା ଜଣେ ମେଧାବୀ ଛାତ୍ରୀଙ୍କ ସହିତ ଘଟିଥିବା ଏପରି ଏକ ଘଟଣା ଏବେ ଉଭୟ ବାରିପଦା ଓ ବାଲେଶ୍ବର ଜିଲ୍ଲାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପ୍ରଶଂସା ସାଉଁଟିଥିବା ଲୋପାମୁଦ୍ରା ମହାନ୍ତିଙ୍କୁ କିନ୍ତୁ ପ୍ରେମରେ ଧୋକା ଖାଇବା ସହିତ ଜୀବନ ଦେବାକୁ ପଡିଛି। ଧୋକାବାଜ ପ୍ରେମିକ ଲୋପମୁଦ୍ରାଙ୍କୁ ହତ୍ୟା କରି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଜଙ୍ଗଲରେ ଫିଙ୍ଗି ଦେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏପରିକି ଅଭିଯୁକ୍ତର ଫୋନ ଲୋକେସନ ମଧ୍ୟ ବାରିପଦାରେ ଦେଖୁଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଆଜି ବାରିପଦା ସଦର ଥାନା ପକ୍ଷରୁ ଉଦ୍ଧାର ହୋଇଥିବା ଗଳିତ ଶବ ଅସ୍ଥିକୁ ଡିଏନଏ ପରୀକ୍ଷା ପାଇଁ ପଠାଯାଇଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ଯୁବକ ତଥା ଯୁବତୀଙ୍କ ପ୍ରେମିକ ଗିରିଜା ଶଙ୍କର ଦେ’କୁ ସିଂଲା ପୁଲିସ ପକ୍ଷରୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରହିଥିବା ବସ୍ତା ଏସଡିପିଓ ଆର.ଏନ୍‌. ପୃଷ୍ଟି ସୂଚନା ଦେଇଛନ୍ତି। ଏହି ଘଟଣାରେ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ତନାଘନା ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଖୁବଶୀଘ୍ର ପୁଲିସ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଘଟଣାର ଖୁଲାସା କରିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର