ଏକ୍ସପାରି ଔଷଧ ନେଲା ଜୀବନ!

ମୃତ୍ୟୁର ତଦନ୍ତ ହେବ: ସିଡିଏମ୍‌ଓ

କଟକ : ସମୟ ଅତିକ୍ରାନ୍ତ ଔଷଧ (ଏକ୍ସପାରି ମେଡିସିନ୍‌) ଖାଇ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ଏହି ଔଷଧ ଯୋଗାଇ ଦିଆଯାଇଛି ବୋଲି କୁହାଯାଉଥିବା ବେଳେ ଏଭଳି ଘଟଣାକୁ ନେଇ ଆଜି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଅନ୍ୟପଟେ ସଂପୂର୍ଣ୍ଣ ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଥିବା ଏହି ଯକ୍ଷ୍ମା ରୋଗୀଙ୍କର ଆଜି ମୃତ୍ୟୁ ଘଟିଥିଲା। ମୃତ ଯୁବତୀ ହେଉଛନ୍ତି ବାଦାମବାଡ଼ି ସର୍ବୋଦୟପୁର ନାୟକସାହିର ଗୁଡ଼ି ନାୟକ(୧୮)। ରାଜୁ ନାୟକଙ୍କ ଝିଅ ଗୁଡ଼ି ଦୁଇ ବର୍ଷ ହେବ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ଚିକିତ୍ସା ପାଇଁ ଦରଘା ବଜାରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଟକ ସିଟି ହସ୍‌ପିଟାଲକୁ ଯାଉଥିଲେ। ଗୁଡିଙ୍କ ପରିବାର ଲୋକ କହିବା ଅନୁଯାୟୀ ଗତ ଅଗଷ୍ଟ ମାସରେ ଆଶାକର୍ମୀମାନେ ତାଙ୍କୁ ଯକ୍ଷ୍ମା ରୋଗ ନିରାକରଣ ପାଇଁ ଔଷଧ ଦେଇଥିଲେ। କିନ୍ତୁ ଉକ୍ତ ଔଷଧ ସେପ୍ଟେମ୍ବର ମାସରେ ଏକ୍ପପାରୀ ହେଇଥିଲା। ସେମାନେ କିନ୍ତୁ ତାହା ଜାଣି ନପାରି ତିନି ମାସ କାଳ ଗୁଡ଼ିକୁ ସେସବୁ ଖାଇବାକୁ ଦେଇଥିଲେ।

ଗତ ଦୁଇ ଦିନ ତଳେ ଗୁଡ଼ିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ଏକ ଘରୋଇ କ୍ଲିନିକ୍‌ରେ ପରିବାର ଲୋକେ ଚିକିତ୍ସା କରାଇଥିଲେ। ସେଠାରେ ଚିକିତ୍ସା କରିଥିବା ଡାକ୍ତର ଏକ୍ସପାରୀ ଔଷଧ ଖାଇଥିବାରୁ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିଯାଇଥିବା ବୋଲି କହିବା ସହ ତୁରନ୍ତ ତାଙ୍କୁ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଗତକାଲି ଗୁଡ଼ିଙ୍କୁ କଟକ ବଡ଼ ମେଡିକାଲ୍‌ର ଟିଭି ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ସମୟରେ ଗୁଡ଼ିର ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ସିଡିଏମ୍‌ଓ ଡାକ୍ତର ବିଶ୍ୱକଲ୍ୟାଣ ପଟ୍ଟନାୟକ କହିଛନ୍ତି ଯେ, ଏକ୍ସପାରି ଔଷଧରେ କାହାରି ମୃତ୍ୟୁ ହୁଏନି। ଔଷଧର ମାନ କମିପାରେ। ଏହି ଯୁବତୀଙ୍କ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ସେ ଘଟଣାର ତଦନ୍ତ କରାଯିବ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର