ଗାଏବ ନୁହେଁ, ଲୁଚିଥିଲା ଓ ପଚିଗଲା, ‘ଝିଅର ଆଖି ସଂକ୍ରମଣରେ ନଷ୍ଟ ହୋଇଛି’

ସଚିବଙ୍କୁ ପଠାଇଲେ ବ୍ୟବଚ୍ଛେଦ ରିପୋର୍ଟ

ଅନୁଗୁଳ : ମାତ୍ର ୫ ଦିନ ବ୍ୟବଧାନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବଗୃହରୁ ଦୁଇ ଜଣଙ୍କ ଆଖି ଗାଏବ ଘଟଣାର ଦୁଇଟି ଭିନ୍ନ ଭିନ୍ନ କାରଣ ଦର୍ଶାଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ପ୍ରଥମ ଶବରୁ ଆଖି ଗାଏବ ସଂକ୍ରମଣ ପାଇଁ ଏବଂ ଦ୍ବିତୀୟ ଶବ ଦୁର୍ଘଟଣା ପାଇଁ ଆଖିର ଏମିତି ଦଶା ହୋଇଥିଲା। ଆଖିକୁ କେହି ଗାଏବ କିମ୍ବା ତାଡ଼ି ନାହାନ୍ତି, ବରଂ ଡୋଳା ଲୁଚି ଯାଇଥିଲା ଓ ସଂକ୍ରମ‌ଣରେ ପୂଯ ହୋଇ ଯାଇଥିଲା ବୋଲି ବୋଲି ସିଡିଏମ୍‌ଓ ଡା. ପ୍ରତା‌ପ ବେହେରା କହିଛନ୍ତି। ଉଭୟ ଶବର ବ୍ୟବଚ୍ଛେଦ ରିପୋର୍ଟ ସ୍ବାସ୍ଥ୍ୟ ସଚିବ ଏବଂ ନିର୍ଦେଶକଙ୍କୁ ଦିଆଯାଇଛି ବୋଲି ଡା. ବେହେରା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବଅଁରପାଳ ଥାନା ନୂଆହତା ଗାଁ ଡିହସାହିର ଅଞ୍ଜନ ଗୋଛାୟତଙ୍କ ୪ ବର୍ଷର ଶିଶୁକନ୍ୟା ପ୍ରୀତିକୁ ଥଣ୍ଡା ଜ୍ୱର ହେଉଥିଲା। ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବଅଁରପାଳସ୍ଥିତ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ନେଇ ଗାଁକୁ ‌ଫେରିଥିଲେ ପରିବାର ଲୋକେ। ମାତ୍ର ଗାଁର ଦୁଇ ଜଣ ମହିଳା ହୃତ୍‌ସ୍ପନ୍ଦନ ଦେଖି ପ୍ରୀତି ବଞ୍ଚିଥିବା କହିଥ‌ିଲେ। ମାଆ ବାପାର ମନ ବି ମାନିନଥିଲା। ରାତି ୧୦ଟାରେ ପ୍ରୀତିକୁ ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟକୁ ପହଂଚି ଥିଲେ ସେମାନେ। କାର୍ଯ୍ୟରତ ଦୁଇ ଜଣ ଡାକ୍ତର ଯାଂଚ କରିବା ପ୍ରୀତିକୁ ମୃତ ଘୋଷଣା କରି ଶବାଗାରରେ ରଖିଥିଲେ। କିନ୍ତୁ, ଫ୍ରିଜରରୁ ଶବ ବାହାର କରିବା ବେଳେ ଆଖି ଦୁଇଟି ନଥିବା ଆଉ ନାକରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ଆଖି କ’ଣ ହେଲା ବୋଲି ପ୍ରଶ୍ନ ଉଠିଥିଲା। ଘଟଣାକୁ ନେଇ ସାରା ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଚୁପ୍‌ ବସିଥିଲା। ତିନି ଦିନ ତଳୁ ରିପୋର୍ଟ ଆସିଥିିଲେ ହେଁ ତାକୁ ଲୁଚା ଯାଇଥିଲା। ଘଟଣାର ୮ଦିନ ପରେ ପ୍ରଥମ ଘଟଣାାର କାରଣ ସେପ୍ଟିସେମିଆ(ସଂକ୍ରମଣ) ବୋଲି କୁହାଯାଇଛି। ସିଡିଏମ୍ଓ ଡାକ୍ତର ବେହେରାଙ୍କ କହିବା ମୁତାବକ, ସେପ୍ଟିସେମିଆରେ ପ୍ରୀତିଙ୍କ ସାରା ଦେହ ପୂରା ସଂକ୍ରମିତ ହୋଇଥିଲା। ଶରୀରର ଟିସୁ ଗୁଡ଼ିକ ଏତେ ଦୁର୍ବଳ ଥିଲା ଯେ ଛୁଇଁଲେ ନଷ୍ଟ ହୋଇଯାଉଥିଲା। ଆଖିରେ ପୂଯ ହୋଇଯାଇଥିଲା। ପରେ ଆଖିର କଳା ଡୋଳା ଅଂଶ ନଷ୍ଟ ହୋଇଥିଲା। ଯାହା ତାଡ଼ିଲା ଭଳି ଦୃଶ୍ୟମାନ ହେଉଥିଲା ବୋଲି ସିଡିଏମ୍‌ଓ ଡା. ବେହେରା କହିଛନ୍ତି।

ସେହିପରି ଦ୍ବିତୀୟ ଶବରୁ ଆଖି ଗାଏବ ଘଟଣାର କାରଣ ଦୁର୍ଘଟଣା ଦର୍ଶାଯାଇଛି। ରିପୋର୍ଟରେ କୁହାଯାଇଛି, ଦ୍ବିତୀୟ ଶବରୁ ଆଖି ଗାଏବ ହୋଇ ନ ଥିଲା ବରଂ ଡୋଳା ଲୁଚି ଯାଇଥିଲା। କାରଣ, ଦୁର୍ଘଟଣାରେ ଶବର ଡାହାଣ ଗାଲରେ ଜୋର୍‌ରେ ମାଡ଼ ହୋଇଥିଲା। ଆଖିର ଉପର ଓ ତଳ ଅଂଶ ବି ଆଘାତ ହୋଇଥିଲା। ଆଇ ବଲ୍‌ରେ ମାଡ଼ ହେବା କାରଣରୁ ଡୋଳା ଲୁଚି ଯାଇଥିିଲା। କେହି ଗାଏବ କରି ନାହାନ୍ତି ବୋଲି ସିଡିଏମ୍‌ଓ ଡାକ୍ତର ବେହେରା କହିଛନ୍ତି। କିନ୍ତୁ, ବ୍ୟବଚ୍ଛେଦ ରିପୋର୍ଟ ଉପରେ ମଧ୍ୟ ସନ୍ଦେହ ଉପୁଜିଛି।

ସମ୍ବନ୍ଧିତ ଖବର