ରାଉରକେଲା : ମଙ୍କିକ୍ୟାପ୍ ପିନ୍ଧି ଯୁବତୀଙ୍କୁ ରାତିସାରା ଗଣଦୁଷ୍କର୍ମ

ଦୁର୍ଘଟଣାର ଶିକାର ପୀଡ଼ିତାଙ୍କୁ ୬୦ କିମି ଟେକି ଆଣିଥିଲେ, ତିନି ଜଣ ଦୁଷ୍କର୍ମ କରି ରାସ୍ତାକଡ଼ରେ ଫିଙ୍ଗିଦେଲେ

ରାଉରକେଲା : ଇସ୍ପାତ ସହରରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ ପ୍ରାୟ ୬୦ କିଲୋମିଟର ଦୂର ଗୁରୁଣ୍ଡିଆରୁ ରାଉରକେଲାକୁ ଆଣିବା ପରେ ତିନି ଯୁବକ ଚିହ୍ନା ପଡ଼ିଯିବା ଭୟରେ ମଙ୍କି କ୍ୟାପ୍ ପିନ୍ଧି ରାତିସାରା ଗଣଦୁଷ୍କର୍ମ କରିଛନ୍ତି। ଆ‌ଉ ଦୁଷ୍କର୍ମ ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଯାଇଛନ୍ତି। ମଙ୍ଗଳବାର ରାତିରେ ଘଟିଥିବା ଏହି ଗଣଦୁଷ୍କର୍ମ ଘଟଣା ଆଜି ପଦାକୁ ଆସିବା ପରେ ଇସ୍ପାତ ସହର ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ଛେଣ୍ଡ୍‌ ପୁଲିସ ମାମଲାର ତଦନ୍ତ ଜାରି ରଖିଥିବାବେଳେ ଘଟଣା ବିଷୟରେ କିଛି କହିବାକୁ ମନା କରିଦେଇଛି।

ଆଜି ସକାଳ ପ୍ରାୟ ୬ଟା। ସେକ୍ଟର-୧୩ ଛକ ପାଖରେ ଥିବା ଓମ୍‌ଫେଡ୍‌ ଫ୍ୟାକ୍ଟ୍ରି ପାଖ ବାଙ୍କିଆ ରାସ୍ତା କଡ଼ରେ ଥିବା ଏକ କଲଭର୍ଟ ଉପରେ ବସିଥିବା ଜଣେ ଯୁବତୀ(୨୧)ଙ୍କୁ ପ୍ରାତଃଭ୍ରମଣରେ ଯାଇଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ସେତେବେଳ ପର୍ଯ୍ୟନ୍ତ ଦୁଇଟି ବଲେରୋ ସେଠାରେ ଛିଡ଼ା ହୋଇଥିଲା। ତେବେ ଲୋକଙ୍କୁ ଦେଖି ବଲେରୋ ଦୁଇଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଲୋକଙ୍କଠାରୁ ଖବର ପାଇ ଛେଣ୍ଡ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ନେଇ ଆସିଥିଲା। ଏ ଖବର ପାଇ ପୀଡ଼ିତାଙ୍କା ବାପାମା’ ଓ ଗୁରୁଣ୍ଡିଆ ଅଞ୍ଚଳର କିଛି ବୁଦ୍ଧିଜୀବୀ ଥାନାରେ ପହଞ୍ଚିଥିଲେ।

‌ସେମାନଙ୍କ କହିବାନୁସାରେ, ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଯୁବତୀ ଜଣକ ନିଜ ସଂପର୍କୀୟଙ୍କ ସହ କୌଣସି କାମରେ ବାହାରକୁ ଆସିଥିଲେ। ସେମାନେ ବାଇକ୍‌ରେ ଫେରୁଥିବାବେଳେ ତାମଡ଼ାଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସଂପର୍କୀୟ ଓ ପୀଡ଼ିତା ବାଇକ୍‌ରୁ ତଳେ ପଡ଼ିଯାଇଥିଲେ। ଏହି ସମୟରେ ଗୁରୁଣ୍ଡିଆରୁ ରାଉରକେଲା ଆଡ଼କୁ ଏକ ବଲେରୋରେ ଦୁଇ ଜଣ ଯୁବକ ଆସୁଥିଲେ। ରାସ୍ତାକଡ଼ରେ ଯୁବତୀ ଓ ତାଙ୍କ ସଂପର୍କୀୟ ପଡ଼ିଥିବା ଦେଖି ଦୁହେଁ ଯୁବତୀଙ୍କୁ ଜୋରଜବରଦସ୍ତ ଟେକି ନେଇଥିଲେ। ପ୍ରାୟ ୬୦ କିଲୋମିଟର ପର୍ଯ୍ୟନ୍ତ ସେମାନେ ଗାଡ଼ି ଭିତରେ ଯୁବତୀଙ୍କ ମୁହଁକୁ ବନ୍ଦ କରି ରାଉରକେଲା ଓମ୍‌ଫେଡ୍‌ ପାଖ ବାଙ୍କିଆ ରାସ୍ତା କଡ଼କୁ ନେଇ ଆସିଥିଲେ। ସେଠାରେ ପହଞ୍ଚିବାପରେ ଦୁଇ ଯୁବକ ସେମାନଙ୍କର ଜଣେ ବନ୍ଧୁଙ୍କୁ ଡାକିଥିଲେ। ପରେ ତିନି ଜଣ ଯାକ ମଙ୍କି କ୍ୟାପ୍ ପିନ୍ଧି ଯୁବତୀଙ୍କୁ ରାତିସାରା ଗଣଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଆଜି ଥାନାରେ ଏତଲା ଦିଆଯାଇଛି। ଅପରପକ୍ଷରେ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତାଙ୍କ ସଂପର୍କୀୟ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଅଭିଯୁକ୍ତମାନଙ୍କର କୌଣସି ପତ୍ତା ମିଳି ନ ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର