ମା’ର ଉଧାର ଟଙ୍କା ପାଇଁ ଝିଅକୁ ବନ୍ଧକ

ପୁଲିସ ସହାୟତାରେ ଉଦ୍ଧାର ହେଲେ

ନୂଆପଡ଼ା : ଜଣେ ମହିଳା ଉଧାର ଟଙ୍କା ପରିଶୋଧ କରିପାରିନଥିଲେ। ଏଥିପାଇଁ ତାଙ୍କ ଝିଅ (ନାବାଳିକା) ବନ୍ଧକ ପଡ଼ିଥିବା ଘଟଣା ସାମ୍‌ନାକୁ ଆସିବା ପରେ ନୂଆପଡ଼ା ଜିଲ୍ଲା ସାରା ଚର୍ଚ୍ଚା ହେଉଛି। ରବିବାର ପୂର୍ବାହ୍ନରେ ନୂଆପଡ଼ା ଚାଇଲ୍ଡଲାଇନ୍‌କୁ ଏକ ଫୋନ୍‌କଲ୍‌ ଆସିଥିଲା ଯେ ଖରିଆର ରୋଡ୍‌ ଗଣେଶ ନଗର ବସ୍ତିର ସେଲୁ ବାଗଙ୍କ ଘରେ ୧୬ ବର୍ଷର ନାବାଳିକା ୧ବର୍ଷ ୬ମାସ ହେଲା ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହାପରେ ଚାଇଲ୍ଡଲାଇନ୍‌ ଓ ଖରିଆର ରୋଡ୍‌ ପୁଲିସ ସହାୟତରେ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।

ସୂଚନାନୁସାରେ, ୨୦୧୭ ମସିହାରେ ଖରିଆର ରୋଡ୍‌ସ୍ଥିତ କସ୍ତୁରବା ବାଳାଶ୍ରମରେ ୮ମ ଶ୍ରେଣୀରେ ଉଦ୍ଧାର ନାବାଳିକା ଜଣକ ପଢ଼ୁଥିଲେ। ୨୦୧୯ ମସିହାରେ ଖରିଆର ରୋଡ୍‌ସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଥିଲେ। ଏହାପରେ ଘରଭଡ଼ା ନେଇ ମା’ଙ୍କ ସହିତ ରହି ପାଠ ପଢୁଥିଲେ। ଏହି ସମୟରେ ମା’ ପଡ଼ୋଶୀ ଘରେ କାର୍ଯ୍ୟ କରୁଥିଲେ। ୨୦୨୦ ମସିହା ନୂଆଁଖାଇ ପରେ ନାବାଳିକାଙ୍କ ମା’ ତାଙ୍କ ୩ଜଣ ଶିଶୁଙ୍କୁ ଛାଡ଼ି କୁଆଡ଼େ ପଳାଇଥିଲେ। ମା’ ଘର ଛାଡ଼ି ପଳାଇଯିବାରୁ ବଡ଼ ଭଉଣୀ (ନାବାଳିକା) ଉପରେ ପରିବାର ଚଳାଇବାର ବୋଝ ପଡ଼ିଥିଲା। ମା’ ଘର ଛାଡ଼ିଯିବା ପୂର୍ବରୁ ସେଲୁ ବାଗ ଠାରୁ ୨୦ ହଜାର ଟଙ୍କା ଧାର ନେଇଥିଲେ। ନାବାଳିକା ଜଣକ ପଡ଼ୋଶୀଙ୍କ ଘରେ କାମ କରି ଉକ୍ତ ଟଙ୍କାକୁ ପରି‌ଶୋଧ କରିଥିଲେ। ୨ମାସ ପରେ ମା’ ଆସି ୨ଜଣ ଶିଶୁଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ସେପଟେ ବଡ଼ଝିଅ ମନୋଜ ଗୁପ୍ତା ଓ କବିତା ସେରୱାନୀଙ୍କ ଘରେ କାମ କରି ପାଠ ପଢ଼ୁଥିଲେ। ରହିବା, ଖାଇବା ଖର୍ଚ୍ଚ ବାବଦକୁ ସେଲୁ ବାଗ ଏପ୍ରିଲ ୨୦୨୧ରୁ ପ୍ରତି ମାସ ୨୬୦୦ ଟଙ୍କା ନାବାଳିକାଠାରୁ ନେଉଥିଲେ। କିଛିଦିନ ପରେ ମା’ ବଡ଼ଝିଅକୁ ନେବା ପାଇଁ ଆସିଥିଲେ ମଧ୍ୟ ମା’ ସହିତ ଯିବାପାଇଁ ସେ ମନା କରିଥିଲେ। ବର୍ତ୍ତମାନ ନାବାଳିକା ଜଣକ ତାଙ୍କ ମା’ ପାଖରେ ରହି ପାଠ ପଢ଼ିବାକୁ ଚାହୁଁଛନ୍ତି। କିନ୍ତୁ ସେଲୁ ବାଗ ଏହାକୁ ବିରୋଧ କରୁଥିଲେ।

ଚାଇଲ୍ଟଲାଇନ୍‌ କାଉନ୍‌ସେଲର ହୋସନା ଅନ୍ତରୀ, ଖରିଆର ରୋଡ୍‌ ଥାନା ଏସ୍‌ଆଇ ଭାରତୀ ନାଏକ, ସ୍ଥାନୀୟ ଏନ୍‌ଜିଓ ପ୍ରତୀକ୍ଷା ସହଯୋଗରେ ନାବଳିକାଙ୍କୁ ଉଦ୍ଧାର କରାଯାଇଛି। ସନ୍ଧ୍ୟାରେ ନୂଆପଡ଼ା ଶିଶୁ କଲ୍ୟାଣ କମିଟି ସଦସ୍ୟ କୁମୁଦ ହୋତା, ଅଶ୍ବିନୀ ପାତ୍ରଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର