ରାଜଧାନୀରେ ଚାଞ୍ଚଲ୍ୟ : ଯୁବତୀଙ୍କୁ ହତ୍ୟା କଲା ଯୁବତୀ

ରୁମମେଟ ସାଜିଲା ହତ୍ୟାକାରୀ

ପୁରୁଣା ଭୁବନେଶ୍ୱର : ରାଜଧାନୀରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଜଣେ ଯୁବତୀଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ଆଉ ଜଣେ ଯୁବତୀ। ସେମାନେ ତିନି ବର୍ଷ ଧରି ଏଠାରେ ଏକାଠି ରହୁଥିଲେ। ପୁଲିସ ସଂପୃକ୍ତ ଯୁବତୀକୁ ଗିରଫ କରିଛି। ସେ ହତ୍ୟା କରିଥିବା ସ୍ବୀକାର କରିଛି।

ଏଭଳି ହତ୍ୟାକାଣ୍ଡ ଘଟିଛି ପୁରୁଣା ଭୁବନେଶ୍ବରର ଗୌରୀନଗର ଅଞ୍ଚଳରେ। ଲିଙ୍ଗରାଜ ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ଯୁବତୀକୁ ଗିରଫ କରିଛି। ସନ୍ଧ୍ୟାରେ ତା୍କୁ କୋର୍ଟଚାଲାଣ କରାଯାଇଛି। ମୃତ ଯୁବତୀ ହେଉଛନ୍ତି, ବାଲେଶ୍ବର ଜିଲ୍ଲା ବସ୍ତା ବାଉଁଶମୁହାଁ ଅଞ୍ଚଳର ଅଳକାନନ୍ଦ ଦାସ(୩୧)। ଗିରଫ ଯୁବତୀଜଣକ ହେଲେ, ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳର ଅନିଷା ମିତ୍ର(୩୪)।

ସୂଚନା ଅନୁଯାୟୀ, ଗୌରୀନଗର ଲେନ୍-୫ଏ ଅଞ୍ଚଳର ପ୍ଲଟ୍‌‌ ନଂ ୩୬୦୪ରେ ଦ୍ବିତୀୟ ମହଲାରେ ଦୀର୍ଘ ୩ ବର୍ଷ ଧରି ଏକାଠି ରହୁଥିଲେ। ଗତରାତି ପ୍ରାୟ ୨ଟା ୪୫ ମିନିଟ୍‌ରେ ଘର ମାଲିକ ଜ୍ଞାନ ରଞ୍ଜନ ମିଶ୍ର ହଠାତ୍‌ ଚିତ୍କାର ଶୁଣିଥିଲେ। ପରେ ଦୁଇ ମହଲାକୁ ଯାଇଥିଲେ। ଘର କବାଟ ବାଡ଼େଇବାରୁ ଅନିଷା ଖୋଲିଥିଲେ। କାହିଁକି ପାଟି ହେଉଛି ବୋଲି ପଚାରିବାରୁ ଅନିଷା କିଛି ହୋଇନାହିଁ ବୋଲି କହିଥିଲେ। ଅଳକାଙ୍କୁ ଚାଦର ଘୋଡ଼ାଇ ତାଙ୍କ ଆଗରେ ଅନିଷା ଛିଡ଼ା ହୋଇଥି‌େଲ। ‌ସେଠାରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଅଳକା ଚେତାଶୂନ୍ୟ ପଡ଼ିଥିବା ଦେଖି ଜ୍ଞାନରଞ୍ଜନ ପୁଲିସକୁ ଖବର ଦେଇଥିଲେ। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଭିଜା ଛୁରି ଜବତ କରିଛି। ଅଳକାଙ୍କ ତଣ୍ଟି କାଟି ଅନିଷା ହତ୍ୟା କରିଥିବା ପୁଲିସ୍ ନିକଟରେ ସ୍ୱୀକାର କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛି।

ପୁଲିସ ସୂଚନା ମୁତାବକ, ଅନିଷା ଓ ଅଳକା ପ୍ରାୟ ୧୦ବର୍ଷ ହେବ ଏକାଠି ରହି ଆସୁଥିଲେ। ଅନିଷାଙ୍କ ବୟସ ୩୪ ବର୍ଷ ଏବଂ ମୃତା ଅଳକାଙ୍କ ବୟସ ୩୧ ବର୍ଷ। ରାଜ୍ୟର ବିଭିନ୍ନ ସ୍ଥାନରେ ସେମାନେ ଉଭୟ ଗୋଟିଏ ବେସରକାରୀ ସଂସ୍ଥାରେ ରହି କାମ କରିଛନ୍ତି। ୪ ବର୍ଷ ହେଲା ସେମାନେ ଭିନ୍ନ ଭିନ୍ନ ସଂସ୍ଥାରେ କାମ କରୁଥିଲେ ମଧ୍ୟ ଗୋଟିଏ ରୁମ୍‌ରେ ରହିଆସୁଛନ୍ତି। ଦୀର୍ଘ ଦିନ ହେବ ଅନିଷାଙ୍କର ମା’ ବାପାଙ୍କର ମୃତ୍ୟୁ ଘଟିଛି। ଅନିଷା ଅଳକାଙ୍କୁ ନିଜ ଘର ଲୋକ ଭଳି ଭାବି ଆସିଛନ୍ତି। ନିକଟ ଅତୀତରେ ଅଳକାଙ୍କର ବାହାଘର ଠିକ୍‌ ହୋଇଛି। କିଛି ଦିନ ପରେ ତାଙ୍କର ନିର୍ବନ୍ଧ ହୋଇଥାନ୍ତା। ଏଣୁ ସେ ଆଜି ସକାଳେ ଘରକୁ ଯିବା ପାଇଁ ବ୍ୟାଗ୍‌ ପ୍ୟାକିଂ କରିଥିଲେ। ରାତି ପାହିଥିଲେ ସେ ବସ୍‌ରେ ବସିଥାନ୍ତେ।

ମୋତେ ଛାଡ଼ି ଯାଆନା’: ଦୀର୍ଘଦିନ ଧରି ଆମେ ଏକାଠି ରହୁଥିଲୁ। ବହୁଦିନ ହେବ ରହୁଥିବାରୁ ସମ୍ପର୍କ ବଢ଼ି ଯାଇଥିଲା। ବାହାଘର ପାଇଁ ସେ ଘରକୁ ଯିବାକୁ ବସିବାରୁ ମୋତେ ଲାଗିଥିଲା କି ସେ ଆଉ ଆସିବେ ନାହିଁ। ମୁଁ ଏକୁଟିଆ ହୋଇଯିବି। ଘରଭଡ଼ା ବି ଅଧିକ ପଡ଼ିବ। ଏ କଥାକୁ ନେଇ ଗଣ୍ଡଗୋଳ ହେଲା। ଆଉ ଛୁରି ମାରିଦେଲି’ ବୋଲି ଅନିଷା କହିଛନ୍ତି।

ସଡନ୍‌ ପ୍ରୋଭୋକେସନ: ଡିସିପି
ଦୀର୍ଘଦିନ ଧରି ରହୁଥିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ି ଯାଇଥିଲା। ଉଭୟଙ୍କର ବୟସ ମଧ୍ୟ ୩୦ ଟପିଥିଲା। ବର୍ଷ ବର୍ଷ ଧରି ଏକାଠି ରହିଥିବାରୁ ହଠାତ୍‌ ଅଲଗା ହେବା ଘଟଣାକୁ ଅଭିଯୁକ୍ତ ଗ୍ରହଣ କରି ପାରିନଥିଲେ। ରାତି ପ୍ରାୟ ୧୨ଟାରେ ଉଭୟ ଖାଇବା ସାରି ଶୋଇବା ପାଇଁ ଯାଇଥିଲେ। କିନ୍ତୁ ପୁଣି ଏହି ବାହାଘର ଓ ଅଲଗା ହେବା କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅନେକ ଥର ଏହି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ପୂର୍ବରୁ ଘର ମାଲିକ ମଧ୍ୟ ସେମାନଙ୍କୁ ବୁଝାଇଛନ୍ତି। କିନ୍ତୁ ଗତ ରାତିର ଘଟଣା ସଡନ ପ୍ରୋଭୋକେସନ। ଅଲଗା ହେବାର ଆଶଙ୍କାରେ ଅଭିଯୁକ୍ତ ଅନ୍ଧ ହୋଇ ହତ୍ୟା କରିଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଅନୁପ ସାହୁ।

ସମ୍ବନ୍ଧିତ ଖବର