ମାଧପୁର/ ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଓରଡ଼ା ଗ୍ରାମ ନିକଟ ନାଳ ପାଖରୁ ଆଜି ସକାଳେ ପୁଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। କୌଣସି ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ଗଳା କାଟି ନୃଶଂସ ଭାବେ ହତ୍ୟା କରାଯାଇଥିବାବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ଆଜି ସକାଳେ ଟୁସର ପଞ୍ଚାୟତ ଅନ୍ତର୍ଗତ ଓରଡ଼ା ଗ୍ରାମର କେତେକ ବ୍ୟକ୍ତି ନିକଟ କେରାଣ୍ଡି ନାଳକୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ଜଣେ ଅଜଣା ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଟୁସର ସରପଞ୍ଚ ସତ୍ୟପ୍ରିୟା କର୍ମୀଙ୍କୁ ଜଣାଇଥିଲେ। ତାଙ୍କଠାରୁ ଖବର ପାଇ କିଆକଟା ଥାନା ଆଇଆଇସି ଅନାମ ଲାକ୍ରା, ଏଏସ୍ଆଇ ସଞ୍ଜୟ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଯୁବତୀଙ୍କ ବୟସ ପ୍ରାୟ ୨୦ ବର୍ଷ ହୋଇଥିବାବେଳେ ତାଙ୍କ ଗଳାକୁ କୌଣସି ଏକ ଧାରୁଆ ଅସ୍ତ୍ରରେ କଟାଯାଇଥିଲା। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅନୁସନ୍ଧାନ ପରେ ଯୁବତୀ ଜଣକ କିଶୋରନଗର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଅଚ୍ୟୁତାନନ୍ଦ ନାୟକଙ୍କ ଝିଅ ସୁଜାତା ନାୟକ ବୋଲି ଜଣାପଡ଼ିଥିଲା। କିଆକଟା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ହତ୍ୟାକାଣ୍ଡ ସଂପର୍କରେ ତଦନ୍ତ ଚାଲିଛି ଓ ତଦନ୍ତ ପରେ ହତ୍ୟାର କାରଣ ଜଣାପଡ଼ିବ ବୋଲି ଆଇଆଇସି ଅନାମ ଲାକ୍ରା କହିଛନ୍ତି l ଆଠମଲ୍ଲିକ ଏସ୍ଡିପିଓ ଭବାନୀ ଶଙ୍କର ଉଦ୍ଗାତା ମଧ୍ୟ ଘଟଣାର ପର୍ଦାଫାସ କରାଯିବ ବୋଲି ପ୍ରକାଶ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/murder-640x430-1.jpg)