ପାଠ ପଢ଼ିବା ବୟସରେ ହାତରେ ଧରିଛନ୍ତି ହଳ ଲଙ୍ଗଳ

ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ରୋଜାଲିନ୍‌

ନିଆଳି : ଯେଉଁ ବୟସରେ କଲମ ଧରି ପାଠ ପଢ଼ିବା କଥା, ସେଇ ବୟସରେ ଧରିବାକୁ ପଡିଛି ହଳଲଙ୍ଗଳ। ଅଧାରୁ ଡୋରି ବନ୍ଧା ହୋଇଛି ପାଠପଢାରେ । ବାପ-ମା’ ଚାଲିଗଲେ ଆରପାରିକୁ। ଘରର ସାନ ଝିଅ ହୋଇ ସୁଦ୍ଧା ସେ ପରିବାରର ବୋଝ ମୁଣ୍ଡାଇଛନ୍ତି। କାହା ଉପରେ ବୋଝ ନହୋଇ ନିଜେ ହାତରେ ଧରିଛନ୍ତି ହଳଲଙ୍ଗଳ। ବାପା ରଖିଥିବା ଦେଢ଼ ଏକର ଜମିରେ ନିଜେ ପରିବା ଚାଷ, ଧାନଚାଷ କରି ସାଇକଲରେ ଧରି ହାଟ ବଜାର ବୁଲି ବିକ୍ରି କରୁଛନ୍ତି ପନିପରିବା। ଯାହା ମିଳିଲା ସେହି ଟଙ୍କାରେ ସେ ଦୁଇ ବଡ ଭଉଣୀଙ୍କର ବିବାହ ମଧ୍ୟ କରାଇଛନ୍ତି। ଚାଷ ପାଇଁ ଋଣଗ୍ରସ୍ତ ହୋଇ ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ଏହି ଯୁବତୀଙ୍କ ଜୀବନ ସଂଗ୍ରାମ ସମସ୍ତଙ୍କ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ଶଡ଼ାଂଷ ପଞ୍ଚାୟତ ସରାକୁଳ ଗ୍ରାମର ୨୧ ବର୍ଷିୟା ଯୁବତୀ ରୋଜାଲିନ୍‌ ନାୟକ।

ନିଆଳି ବ୍ଲକ ଶଡ଼ାଂଷ ପଞ୍ଚାୟତ ସରାକୁଳ ଗ୍ରାମର ମାନଗୋବିନ୍ଦ ନାୟକଙ୍କ ତିନି ଝିଅ ମଧ୍ୟରୁ ସବୁଠାରୁ ସାନଝିଅ ହେଉଛନ୍ତି ରୋଜାଲିନ୍‌। ହସଖୁସିରେ କଟୁଥିଲା ତାଙ୍କ ଶୈଶବ। ରୋଜାଲିନ୍‌ଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିବା ବେଳେ ମା’ ପ୍ରତିମା ସବୁଦିନ ପାଇଁ ଆଖି ବୁଜିଲେ। ଏହା ପରେ ପରିବାର ଉପରେ ଖସିପଡ଼ିଲା ଦୁଃଖର ପାହାଡ। ଏହାର କିଛି ବର୍ଷ ପରେ ଅର୍ଥାତ୍‌ ରୋଜାଲିନ୍‌ ୭ମ ଶ୍ରେଣୀରେ ପଡୁଥିବା ବେଳେ ବାପା ମାନ ଗୋବିନ୍ଦ ମଧ୍ୟ ଆରପରିକୁ ଚାଲିଗଲେ। କିପରି ଚଳିବେ, କ’ଣ କରିବେ, ସେହି ଚିନ୍ତାରେ ପଡିଗଲେ ଅନାଥ ତିନି ଭଉଣୀ। ଏଭଳି ପରିସ୍ଥିତି ରୋଜାଲିନ୍‌ଙ୍କୁ ପାଠ ଛାଡ଼ିବାକୁ ବାଧ୍ୟ କଲା। କିନ୍ତୁ ପାଠପଢି ନପାରିଲେ ସୁଦ୍ଧା ଚୁପ୍‌ ହୋଇ ବସି ନଥିଲେ ସେ । ଘରୁ ଗୋଡ କାଢିଲେ। ବାପା ରଖିଯାଇଥିବା ଦେଢ଼ ଏକର ଜମିରେ ପରିବା ଚାଷ ଆରମ୍ଭ କଲେ ରୋଜାଲିନ୍‌। ତା’ପର ଠାରୁ ଆଉ ପଛକୁ ଫେରିନାହାନ୍ତି ସେ।

ନିଜେ ହଳଲଙ୍ଗଳ ଧରି ଜମି ଚଷିବା ଠାରୁ ଆରମ୍ଭ କରି ଫସଲ ଉତ୍ପାଦନ ଯାଏଁ ସବୁ କାର୍ଯ୍ୟ ସେ ନିଜେ ହିଁ କରିଚାଲିଲେ। ଏହା ସହିତ ଜମିରେ ଉତ୍ପାଦିତ ଟମାଟୋ, କଖାରୁ, କାକୁଡ଼ି, ମୂଳା, ବିନ୍‌ସ ଆଦି ପରିବା ସାଇକଲରେ ବୋହି ନିକଟସ୍ଥ ନୂଆହାଟ, ନିଆଳି, ଚାରିଛକ, ତୁଳସୀପୁର ଓ ନାଉଗାଁ ଆଦି ସାପ୍ତାହିକ ହାଟକୁ ନେଇ ବିକ୍ରି କରିବାକୁ ଲାଗିଲେ। ଏଥିରୁ ଯାହା ମିଳିଲା, ସେହି ଟଙ୍କାରେ ସେ ବଡ ଭଉଣୀଙ୍କ ବିବାହ ମଧ୍ୟ କରାଇଛନ୍ତି ସେ। ଘରର ସାନ ଝିଅ ହୋଇ ଦୁର୍ଦ୍ଦିନରେ ରୋଜାଲିନ ଯେଉଁ ପଦକ୍ଷେପ ନେଇଛନ୍ତି, ସେଥିରେ ଆଜି ତାଙ୍କ ପରିବାର ସଜାଡି ହୋଇଛି। ବାପାଙ୍କ ଅମଳରେ ମିଳିଥିବା ଇନ୍ଦିରାଆବାସ ଘରକୁ ନିଜ ରୋଜଗାର ଟଙ୍କାରେ ଛାତ ପକାଇବା ସହିତ ଚାଷ ପାଇଁ ଦରକାର ହେଉଥିବା ବିଭିନ୍ନ ଉପକରଣ ଘରେ ରଖଛନ୍ତି। ଚଳିତ ବର୍ଷ ବିଲରେ କରିଥିବା ଧାନଚାଷରୁ ସେ ୧୨ବସ୍ତା ଧାନ ପାଇଥିବା ବେଳେ ପରିବା ଚାଷ ମଧ୍ୟ ବେଶ୍‌ ଭଲ ହୋଇଥିବା କହିଛନ୍ତି ରୋଜାଲିନ।

ରୋଜାଲିନ୍‌ କୁହନ୍ତି, ‘‘ବାପା ଚାଲିଗଲା ପରେ କାହା ଉପରେ ବୋଝ ନହୋଇ ମୁଁ ମୋ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ଚେଷ୍ଟା କରିଛି ଓ ସେଥିପାଇଁ ଅନେକ କଷ୍ଟ କରି ଆଜି ସଫଳତା ହାସଲ କରିିଛି।’’ ସରକାରଙ୍କ ପକ୍ଷରୁ ତାଙ୍କୁ ସହାୟତା ପ୍ରଦାନ କରାଗଲେ ଅଧିକ ଚାଷ କରିବା ପାଇଁ ସେ ଉତ୍ସାହିତ ହୋଇପାରନ୍ତେ ବୋଲି କହିଛନ୍ତି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ଶରତ ମହାନ୍ତଙ୍କୁ ପଚାରିବାରୁ ସେ କୁହନ୍ତି, ଝିଅଟିଏ ହେଲେ ମଧ୍ୟ ସଫଳ ଚାଷୀ ଭାବେ ନିଜକୁ ପ୍ରତିଷ୍ଠିତ କରିବା ସହିତ ଆମ ପଞ୍ଚାୟତ ପାଇଁ ସେ ଆଦର୍ଶ ପାଲଟିଛନ୍ତି। ଏ ସଂପର୍କରେ ବିଡିଓ ସୟେଦ ଆରିଫି ହୋସେନ୍‌ଙ୍କୁ ସହିତ ଯୋଗାଯୋଗ କରିବାରୁ କି ସହାୟତା ପ୍ରଦାନ କରାଯାଇପାରିବ, କୃଷି ଅଧିକାରୀଙ୍କ ସହିତ ଆଲୋଚନା କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଯୁବପିଢି ଚାଷଠାରୁ ମୁହଁ ଫେରାଇ ନେଉଥିବା ବେଳେ ରୋଜାଲିନ୍‌ଙ୍କ ଅନ୍ୟମାନଙ୍କ ପାଇଁ ଉଦାହରଣ ତଥା ଆଦର୍ଶ ପାଲଟିଛନ୍ତି ରୋଜାଲିନ୍‌।

ସମ୍ବନ୍ଧିତ ଖବର