ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା!

ରାଇରଙ୍ଗପୁର/ବାଦାମପାହାଡ଼ : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ପାହାଡ଼ପୁର ଜଙ୍ଗଲ ମଧ୍ୟରୁ ଜନୈକା ଯୁବତୀର ଅର୍ଦ୍ଧଦଗ୍ଧ ଶବ ଆଜି ପୁଲିସ୍ ଉଦ୍ଧାର କରିଛି। ତାଙ୍କ ମୁହଁଟି ସଂପୂର୍ଣ୍ଣ ଜଳି ଯାଇଥିବାରୁ ଯୁବତୀଙ୍କ ପରିଚୟ ମିଳି ପାରିନାହିଁ। ଯୁବତୀ ଜଣଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ପ୍ରମା‌ଣ ନଷ୍ଟ କରିବା ପାଇଁ ନିଆଁ ଲଗାଇ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାଟି ପ୍ରାୟ ୩ ଦିନ ପୂର୍ବରୁ ଘଟିଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ପାହାଡ଼ପୁର-ବାଦାମପାହାଡ଼ ରାସ୍ତାଠାରୁ ମାତ୍ର ୨୦୦ ମିଟର ଜଙ୍ଗଲ ଭିତରେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶବ ଆଜି ଦେଖିବାକୁ ମିଳିଥିଲା। ଖବରପାଇ ବାଦାମପାହାଡ଼ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ଖାଲି ମଦ ବୋତଲ ଓ ପ୍ଲାଷ୍ଟିକ୍ ଗ୍ଲାସ୍‌ ମିଳିଥିବାରୁ ଏକାଧିକ ଦୁର୍ବୃତ୍ତ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଆଜି ଅପରାହ୍ନରେ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ଘଟଣାସ୍ଥଳରେ ଅନୁସନ୍ଧାନ କରି ଫେରିଯାଇଛନ୍ତି। କିନ୍ତୁ ଏନେଇ ପୁଲିସ କୌଣସି ସୁରାକ୍‌ ପାଇନି। ଏସଂପର୍କରେ ଦଫା ୩୦୨ ମୂଳେ ବାଦାମପାହାଡ଼ ଥାନା ନଂ.୧୮/୧୯ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଚମ୍ପଟ ମାରିଥିବା ଦୁର୍ବୃତ୍ତକୁ ତୁରନ୍ତ ଧରିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର