କଟକ/ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଧୀନ ଲାରିପାଲି ଗାଁ ପାଖ ଜଂଗଲରେ ପରିତ୍ୟକ୍ତ ବୋର୍‌ୱେଲ୍‌ ଭିତରୁ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ନବଜାତ ଶିଶୁକନ୍ୟା ବିଜୟିନୀ ଏବେ ବି ଭିମ୍‌ସାରରେ ଚିକିତ୍ସାଧୀନ ରହିଥିବା ବେଳେ ଶିଶୁକନ୍ୟାର ମା’ଙ୍କ ପରିଚୟ ଜଣାପଡ଼ିଛି। ଏସ୍‌ସିବି ଉତ୍କୃଷ୍ଟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିବା ୨୭ ବର୍ଷୀୟା ମା’କୁ ଆଜି ଡାକ୍ତର ଡିସ୍‌ଚାର୍ଜ କରିଛନ୍ତି। ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଗତ ମାସ ୧୭ ତାରିଖରୁ ତାଙ୍କୁ ସମ୍ବଲପୁର ପୁଲିସ ଭର୍ତ୍ତି କରିଥିଲା। ମାନସିକ ବିଶେଷଜ୍ଞମାନେ ତାଙ୍କ ଚିକିତ୍ସା କରିବା ସହ କାଉନସେଲିଂ କରିଥିଲେ। କେଉଁ ପରିସ୍ଥିତିରେ ଓ କାହିଁକି ସେ ଛୁଆକୁ ବୋରୱେଲରେ ପ‌କାଇଦେଲେ ସେ ସଂପର୍କରେ ବି ପଚାରିଥିଲେ। ତାଙ୍କ ମାନସିକ ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯିବା ପରେ ଦୀର୍ଘ ୧୬ଦିନ ପରେ ‌ତାଙ୍କୁ ଡିସ୍‌ଚାର୍ଜ କରାଯାଇ ରେଙ୍ଗାଲି ପୁଲିସ ସମ୍ବଲପୁର ନେଇଥିବା ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଜୟ ମିଶ୍ର ସୂଚନା ଦେଇଛନ୍ତି।

Advertisment

ମହିଳାଙ୍କ ନିଜ ଘର ସୁନ୍ଦରଗଡ଼ ଅଞ୍ଚଳରେ। ତେବେ ସେ ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ପାଖ ଏକ ଇଟାଭାଟିରେ କାମ କରୁଥିଲେ। ତାଙ୍କର ସ୍ବାମୀଙ୍କର କିଛିବର୍ଷ ପୂର୍ବରୁ ମୃତ୍ୟୁ ଘଟିଛି ଓ ତାଙ୍କର ଏକ ଝିଅ ମଧ୍ୟ ଅଛି। ତେବେ, ଇଟାଭାଟିରେ କାମ କରୁଥିବା ବେଳେ ଅନ୍ୟଜଣଙ୍କ ସହିତ ତାଙ୍କର ସଂପର୍କ ହେଲା ଓ ସେମାନେ ସ୍ବାମୀ-ସ୍ତ୍ରୀ ଭାବେ ଏକାଠି ରହୁଥିଲେ। ସେ ଗର୍ଭବତୀ ହୋଇଥିଲେ ମଧ୍ୟ ଡାକ୍ତରୀ ଚିକିତ୍ସା କରାଇ ନଥିଲେ। ୭ ମାସରେ ତାଙ୍କର ଅପରିପକ୍ବ କନ୍ୟାସନ୍ତାନ ଜନ୍ମ ହେଲା। ଶିଶୁଟି ଜନ୍ମ ସମୟରେ କାନ୍ଦି ନଥିଲା। ତେଣୁ ସେ ଉକ୍ତ ଶିଶୁକନ୍ୟାକୁ ବୋରୱେଲରେ ପକାଇ ଦେଇଥିଲେ। କିନ୍ତୁ ସେହି ସମୟରେ ତାଙ୍କର ସ୍ବାମୀ କୁହାଯାଉଥିବା ବ୍ୟକ୍ତି ଜଣକ ଘରେ ନଥିଲେ। ସଂପୃକ୍ତ ଯୁବକ ଏସ୍‌ସିବିକୁ ତାଙ୍କୁ ଭେଟିବା ପାଇଁ ଆସିଥିଲେ ବୋଲି ବିଜୟିନୀଙ୍କ ମା କହିଛନ୍ତି।
ଅପରପକ୍ଷରେ ଆଜି ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ନବଜାତ ଶିଶୁ ବିଜୟିନୀଙ୍କ ମାଙ୍କୁ ମାନସିକ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ଶିଶୁକନ୍ୟାକୁ ମହିଳା ଜଣକ ନିଜେ ବୋର୍‌ୱେଲ୍‌ରେ ଫୋପାଡ଼ିଥିବା ସ୍ବୀକାର କରିଛନ୍ତି। ତଥାପି ତାଙ୍କର ଡିଏନ୍‌ଏ ପରୀକ୍ଷା କରାଯିବ। ଶିଶୁ ଫିଙ୍ଗିବାର କାରଣ ସଂପର୍କରେ ପଚାରିବାରୁ ମହିଳା ଜଣକ କେବଳ କାନ୍ଦିଥିଲେ। ଜନ୍ମ ହେବାର ପ୍ରାୟ ୫/୬ ଘଣ୍ଟା ପରେ ସେ ଶିଶୁକନ୍ୟାକୁ ବୋରୱେଲ୍‌ରେ ଫିଙ୍ଗି ଦେଇଥିଲେ। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ସେ ସଂପୂର୍ଣ୍ଣ ସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାରୁ ଡିସାର୍ଜ ହେବା ପରେ ଅଧିକ ପଚରାଉଚରା କରାଯିବ।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ବିଜୟିନୀ ହେଉଛନ୍ତି ମହିଳାଙ୍କ ଦ୍ବିତୀୟ ସନ୍ତାନ। ଏହା ପୂର୍ବରୁ ମହିଳାଙ୍କର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ରହିଥିଲା। ନବଜାତ ଶିଶୁକୁ ଫିଙ୍ଗିବା ଘଟଣା ସଂକ୍ରାନ୍ତରେ ମହିଳାଙ୍କ ସ୍ବାମୀ ସେହି ସମୟରେ ଜାଣିନଥିଲେ। ପରବର୍ତ୍ତୀ ସମୟରେ ସେ ଏନେଇ ଅବଗତ ହୋଇଥିଲେ। ଅବଶ୍ୟ ମହିଳା ଜଣକ ‘ପୋଷ୍ଟପାର୍ଟମ୍ ଡିପ୍ରେସନ୍‌(ପ୍ରସବ ପରବର୍ତ୍ତୀ ସମୟର ଅବସାଦ) ପୀଡ଼ିତ ଥିଲେ ବୋଲି ଡାକ୍ତରମାନେ କହିଛନ୍ତି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସୋମବାର ନୂଆବର୍ଷର ପ୍ରଥମ ଦିନରେ ଭିମ୍‌ସାର୍‌ରେ ଶିଶୁକନ୍ୟାର ଏକୋଇଶା ପାଳନ ହେବା ସହ ନାମକରଣ କରାଯାଇଥିଲା। ଭିମ୍‌ସାର କର୍ତ୍ତୃପକ୍ଷ ଏହାର ଆୟୋଜନ କରିଥିଲେ। ଶିଶୁକନ୍ୟାଙ୍କୁ ବିଜୟିନୀ ନାମ ଦିଆଯାଇଛି।