ଆତ୍ମହତ୍ୟା ପୂର୍ବରୁ କଲେଜ ଛାତ୍ରୀ ଉଦ୍ଧାର

ବିଳମ୍ବିତ ରାତିରେ ସମୁଦ୍ରକୂଳ ବୁଲୁଥିଲେ, ବାଲେଶ୍ବରୁ ଆସିଥିଲେ, ସ୍ବାଧାର ଗୃହରେ ଛଡ଼ାଗଲା

ପୁରୀ: ପୁରୀ ସମୁଦ୍ରକୂଳରୁ ବିଳମ୍ବିତ ରାତ୍ରିରେ ଉଦ୍ଧାର ହୋଇଛନ୍ତି ଜଣେ କଲେଜ ଛାତ୍ରୀ। ସମୁଦ୍ରରେ ବୁଡ଼ି ସେ ଆତ୍ମହତ୍ୟା କରିଥାନ୍ତେ। କିନ୍ତୁ ତା’ ପୂର୍ବରୁ କିଛି ସ୍ବେଚ୍ଛାସେବୀ ତାଙ୍କୁ ଉଦ୍ଧାର କରିଛନ୍ତି। ପରିବାର ପାଖକୁ ଯିବେ ନାହିଁ ବୋଲି କହିବା ପରେ ସଂପୃକ୍ତ ଛାତ୍ରୀଙ୍କୁ ସ୍ବାଧାର ଗୃହରେ ରଖାଯାଇଛି। ରବିବାର ରାତି ପ୍ରାୟ ଗୋଟାଏ। ସମୁଦ୍ରକୂଳରେ ଏକୁଟିଆ ବସିଥାନ୍ତି ଏହି ୧୯ ବର୍ଷର କଲେଜ ଛାତ୍ରୀ। ବଡ଼ ସନ୍ତର୍ପଣରେ ଏଣେତେଣେ ଚାହୁଁଥାନ୍ତି। ଏତେ ରାତିରେ ଜଣେ ଯୁବତୀ ଏକାକୀ ସମୁଦ୍ରକୂଳରେ ଛିଡ଼ା ହେବା ନଜରରେ ପଡ଼ିଥିଲା ବାଲୁକା ଶିଳ୍ପୀ ନିକୁଞ୍ଜ କିଶୋର ନାୟକଙ୍କର। ସେ ପାଖକୁ ଯାଇ ତାଙ୍କ ପରିଚୟ ପଚାରିଥିଲେ। ଏତେ ରାତିରେ ସମୁଦ୍ରକୂଳରେ ଏକୁଟିଆ ଛିଡ଼ା ହେବାର କାରଣ ମଧ୍ୟ ପଚାରିଲେ। ନିଜକୁ ରଞ୍ଜିତା ମଣ୍ଡଳ (ଛଦ୍ମନାମ) ଦର୍ଶାଇ ଛାତ୍ରୀ ଜଣକ କାନ୍ଦି ପକାଇଥିଲେ। ସାଙ୍ଗମାନଙ୍କ ସହ ସେ ଆସିଥିଲେ। ତାଙ୍କୁ ଛାଡ଼ି ସାଙ୍ଗମାନେ ପଳାଇଛନ୍ତି। ଘର ବାଲେଶ୍ବର, ସେ ଯୁକ୍ତ ୩ରେ ପଢ଼ୁଛନ୍ତି ବୋଲି କହିଥିଲେ। ଏକାକୀ ଝିଅଟିକୁ ସମୁଦ୍ରକୂଳରେ ଛାଡ଼ିବାକୁ ଉଚିତ୍‌ ମନେ ନକରି ଶ୍ରୀ ନାୟକ ସମୁଦ୍ରକୂଳ ଥାନାକୁ ତାଙ୍କୁ ଆଣିଥିଲେ। ମାତ୍ର ସମୁଦ୍ରକୂଳ ଥାନାରେ ନଥିଲେ କୌଣସି ମହିଳା ଅଫିସର। ପରେ ପୁରୀ ଚାଇଲ୍ଡ ଲାଇନ୍‌ର ଦେବାଶିଷ ରଥଙ୍କୁ ଯୋଗାଯୋଗ କରିଥିଲେ। ମହିଳା ସହାୟିକାଙ୍କ ସହ ଦେବାଶିଷ ସମୁଦ୍ରକୂଳ ଥାନାରେ ପହଞ୍ଚି କାଗଜପତ୍ର କରିବା ପରେ ତାଙ୍କୁ ନେଇ ସ୍ବାଧାର ଗୃହରେ ଛାଡ଼ିଥିଲେ। ପଚରାଉଚରା ସମୟରେ ଛାତ୍ରୀ ଜଣକ କହିଥିଲେ, ବାଲେଶ୍ବରରେ ତାଙ୍କର ପରିବାର ରହୁଛନ୍ତି। ତାଙ୍କ ମାଆ ଗାଳିଗୁଲଜ କରିବା ସହ ହଇରାଣ ହରକତ କରୁଛନ୍ତି। ତେଣୁ ସେ ଘର ଛାଡ଼ି ଆତ୍ମହତ୍ୟା କରିବାକୁ ପୁରୀ ପଳାଇ ଆସିଥିଲେ। ଏବେ ସେ ଘରକୁ ଫେରିବେ ନାହିଁ। ତାଙ୍କଠୁ ଏଭଳି କଥା ଶୁଣି ପୁଲିସ ପରିବାର ଲୋକଙ୍କ ନିକଟକୁ ଖବର ପଠାଇଛି।

ସମ୍ବନ୍ଧିତ ଖବର