ବିବାହ ପ୍ରଲୋଭନ ଦେଇ ଚାଲିଛି ଝିଅ ବିକ୍ରି

ରାଜସ୍ଥାନରୁ ଉଦ୍ଧାର ଯୁବତୀଙ୍କ ବୟାନ, ଓଡ଼ିଆ ଦମ୍ପତି ସମେତ ୫ ଜଣିଆ ରାକେଟ୍‌ ଚଲାଇଛି କାରବାର

ସମ୍ବଲପୁର : ସମ୍ବଲପୁର ଝିଅ ରାଜସ୍ଥାନରେ ବିକ୍ରି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ତେ‌ବେ, ଏଥିରେ କାରବାରରେ ଆହୁରି ୫ ଜଣ ସାମିଲ ଥିବା ଏବଂ ଯୋଜନାବଦ୍ଧ ଭାବରେ ଏକ ରାକେଟ କାମ କରୁଥିବା ଉଦ୍ଧାର ଯୁବତୀଙ୍କ ବୟାନରୁ ଜଣାଯାଇଛି। ଏହି ରାକେଟ ପୂର୍ବରୁ ମଧ୍ୟ କେତେକ ଝିଅଙ୍କୁ ରାଜସ୍ଥାନ, ମଧ୍ୟପ୍ରଦେଶ ପ୍ରଭୃତି ଅଂଚଳରେ ବିବାହର ପ୍ରଲୋଭନ ଦେଖାଇ ଝିଅ ବିକ୍ରି କରିଥିବା ଜଣାଯାଇଛି। ଉଦ୍ଧାର ଯୁବତୀ ଜଣକ ୩ ଦିନ ସମ୍ବଲପୁର ସ୍ଥିତ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟର ସକ୍ଷୀରେ ରହିବା ପରେ ଶନିବାର ସେ ନିଜ ଗାଁକୁ ଫେରିଛନ୍ତି।

‘ସମ୍ବାଦ’ ସହିତ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ, ଯୁକ୍ତ ଦୁଇ ପଢ଼ିବା ପରେ ବିଭିନ୍ନ ପ୍ରକାର କମ୍ପାନିର ପ୍ରସାଧନ ସାମଗ୍ରୀ ବିକ୍ରି କରିବା କାର୍ଯ୍ୟ କରୁଥିଲେ । ଏହି ସମୟରେ ସମ୍ବଲପୁର ଗୁଜରାତି କଲୋନିର ଶିବପ୍ରିୟାଙ୍କ ସହିତ ପରିଚୟ ହୋଇଥିଲା। ଘନିଷ୍ଠତା ବଢ଼ିବାରୁ ସେ ବିଭିନ୍ନ ସମୟରେ ଶିବପ୍ରିୟାଙ୍କ ଘରେ ରହିଯାଉଥିଲେ। ଏହି ରହଣି ସମୟରେ ୨ ଜଣ ବୃଦ୍ଧା ତାଙ୍କୁ ଭେଟିବାକୁ ଆସି ମଧ୍ୟପ୍ରଦେଶରେ ସେମାନଙ୍କ ଝିଅ ବିବାହ କରାଇ ଖୁସିରେ ଥିବା କହିଥିଲେ। ତାଙ୍କ ବାପା, ମା ଗରିବ ଥିବାରୁ ସେ ଚାହିଁଲେ ମଧ୍ୟ ଏଭଳି ଆରାମରେ ରହିପାରିବେ। ଅନ୍ୟଦିଗରେ ଶିବପ୍ରିୟା ମଧ୍ୟ ତାଙ୍କୁ ଚାକିରିର ପ୍ରଲୋଭନ ଦେଇଛନ୍ତି। ଏହି ଆଶାରେ ଡିସେମ୍ବର ୭ ତାରିଖରେ ସମ୍ବଲପୁରର କିଛି ବ୍ୟକ୍ତିଙ୍କ ସହିତ ଭୁବନେଶ୍ବର ଯାଇଥିଲେ। ଭୁବନେଶ୍ବରରେ ପ୍ରାୟ ୧୦ ଦିନ ରହିବା ପରେ ରାଜସ୍ଥାନ ଯାଇଥିଲେ। ଝିଅର ବୟାନ ଅନୁସାରେ, ପ୍ରାୟ ୪ରୁ୫ ଜଣ ବ୍ୟକ୍ତି ତାଙ୍କୁ ରାଜସ୍ଥାନ ନେଇଯାଇଥିଲେ। ରାଜସ୍ଥାନର ଛୋଟଭୁଡ଼ୁନ୍ଦାର ଜଣେ ଦମ୍ପତିଙ୍କ ଜରିଆରେ ସୁଲାନାର ସୁଖବୀରଙ୍କ ସହିତ ଝିଅର ବିବାହ କରାଯାଇଥିଲା। ଏଥିପାଇଁ ସୁଖବୀର ଦେଢ଼ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଦେଇଥିବା ଅନୁମାନ କରାଯାଏ। ନିଜ ଅନିଚ୍ଛା ସତ୍ତ୍ବେ ବିବାହ କରିଥିବାରୁ ସେଠାରୁ ଫେରିବା ତାଙ୍କ ପାଇଁ ସହଜ ନଥିବା ଝିଅ କହିଛନ୍ତି।

ସୁଖବୀରଙ୍କ ଘରେ ସୁଖବୀର, ତାଙ୍କ ମା ଏବଂ ୨ ପୁଅ ଥିଲେ। ଏଠାରେ ତାଙ୍କୁ ବିଭିନ୍ନ ପ୍ରକାର କାମ କରିବାକୁ ପଡ଼ୁଥିଲା। ସୁଖବୀର ମଧ୍ୟ ବିଭିନ୍ନ ସମୟରେ ତାଙ୍କୁ ମାଡ଼ପିଟ କରୁଥିଲେ। ତେଣୁ ତାଙ୍କ ଘରୁ ୨-୩ ଥର ପଳେଇ ଆସିବାକୁ ଉଦ୍ୟମ କରିଥିଲେ। ଶେଷରେ ସୁଖବୀର ରାଗିଯାଇ ତାଙ୍କୁ ଛୋଟଭୁଡ଼ୁନ୍ଦାର ଦମ୍ପତିଙ୍କୁ ଫେରାଇ ଦେଇଥିଲେ। ଏହା ବଦଳରେ ସେ ତାଙ୍କୁ ଦେଇଥିବା ଟଙ୍କା ଫେରାଇ ଦେବାକୁ କହିଥିଲେ। ଏହି ଦମ୍ପତିଙ୍କ ଘରେ ରହିବା ମଧ୍ୟ ସହଜ ନଥିଲା। ବିଭିନ୍ନ ସମୟରେ ଏହି ଦମ୍ପତି ମଧ୍ୟ ମାଡ଼ପିଟ୍‌ କରିବା ସହ ଗୋଟିଏ ଓଳି ଖାଇବାକୁ ଦେଉଥିଲେ। ମାତ୍ର ଦ୍ବିତୀୟ ଥର ପ୍ରଥମେ ଝୁନଝୁନ ଏବଂ ପରେ ଚିଡ଼ୱା ଥାନାକୁ ପହଞ୍ଚିଥିଲେ। ଏହି ଥାନା ଅଧିକାରୀଙ୍କ ସହାୟତାରେ ତାଙ୍କ ଭିଣେଇଙ୍କୁ ଫୋନ କରିଥିଲେ। ଏହି ସମୟରେ ଜୟପୁର ସ୍ଥିତ ନାରୀ ନିକେତନରେ ରହିଥିଲେ। ସମ୍ବଲପୁର ଟାଉନ ଥାନା ପୁଲିସ ଟିମ ଏବଂ ତାଙ୍କ ବାପା, ମା’ ପହଞ୍ଚିବା ପରେ ସେ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର