ଲୋମଶ ବାଳିକା ପୂଜାରାଣୀ: ଚିକିତ୍ସାରେ ଅର୍ଥ ବାଧକ

କେନ୍ଦୁଝର : ଜନ୍ମ ସମୟରେ ମୁହଁରେ କିଛି ଲୋମ ଥିଲା। ବୟସ ବଢ଼ିବା ସହ ଅସ୍ବାଭାବିକ ଭାବେ ତାହା ମାଡ଼ି ଚାଲିଲା। ଏବେ ଗାଲର ଗୋଟିଏ ପାର୍ଶ୍ବକୁ ଲୋମ ପୂରା ମାଡ଼ିଗଲାଣି। ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନି। ଏହା ଜଣେ ୧୨ ବର୍ଷର ଝିଅର କାହାଣୀ। କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଟଭାସୁରୁଆ ଗ୍ରାମର ବଟକୃଷ୍ଣ ନାଏକ ଓ କଳ୍ପନା ନାଏକଙ୍କ ବଡ଼ଝିଅ ପୂଜାରାଣୀ ନାଏକ (୧୨)। ଜନ୍ମରୁ ପୂଜାରାଣୀଙ୍କ ମୁହଁର କିଛି ଅଂଶ ଲୋମମୟ ଥିଲା। ସେ ଯେତିକି ବଡ଼ ହେଉଛନ୍ତି, ମୁହଁରେ ଲୋମ ମଧ୍ୟ ସେତିକି ମାଡ଼ିଯାଉଛି। ବର୍ତ୍ତମାନ ତାଙ୍କ ମୁହଁର ଡାହାଣ ପାର୍ଶ୍ବକୁ ଘଞ୍ଚ କଳା ଲୋମ ଆବରଣ କରିବାକୁ ବସିଛି। ଏହି କାରଣରୁ ପୂଜାରାଣୀ ଅନେକ ସମୟରେ ଅସ୍ବାଭାବିକ ପରିସ୍ଥିତିକୁ ସାମନା କରୁଛନ୍ତି। ସ୍କୁଲରେ ସାଙ୍ଗସାଥୀ ତାଙ୍କୁ ଲୋମଶ ବାଳିକା ବୋଲି ଡାକୁଛନ୍ତି। ଏହାକୁ ନେଇ ସେ ଲଜ୍ଜିତ ହେଉଛି। ଘରୁ ବାହାରିବାକୁ ମଧ୍ୟ ସଙ୍କୋଚ କରୁଛି। ଝିଅର ଚିକିତ୍ସା ପାଇଁ ବାପା, ମା’ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ଅସ୍ତ୍ରୋପଚାର କରିବାକୁ କହିଥିଲେ। ଏଥିପାଇଁ ଆବଶ୍ୟକ ଅର୍ଥ ପରିବ‌ାର ଲୋକେ ଯୋଗାଡ଼ କରିପାରି ନଥିଲେ। ସେମାନେ ଗରିବ ଖଟିଖିଆ। ଖଟିଲେ ତାଙ୍କ ଘରେ ଚୁଲି ଜଳେ। ଶେଷରେ ଘରକୁ ଫେରି ଯାଇଥିଲେ। ଏଥିପ୍ରତି ଜିଲ୍ଲା ପ୍ରଶାସନ, ସ୍ବେଚ୍ଛାସେବୀ ସଂସ୍ଥା କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଝିଅର ଅସ୍ତ୍ରୋପଚାର ପାଇଁ ସହାୟତାର ହାତ ବଢ଼ାଇଲେ ଝିଅ ଭଲ ହୋଇପାରନ୍ତା ବୋଲି ପୂଜାରାଣୀଙ୍କ ମା’ କଳ୍ପନା ନାଏକ କହିଛନ୍ତି।

ସମ୍ବନ୍ଧିତ ଖବର