ବିଜୁ କ୍ରୀଡ଼ା ସାମଗ୍ରୀକୁ ନେଇ ଗଣ୍ଡଗୋଳ : ଷ୍ଟମ୍ପ୍ ମାଡ଼ରେ ଯୁବତୀ ଗୁରୁତର

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ :କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ନୂଆଗାଁରେ କ୍ରିକେଟ୍ ଖେଳକୁ କେନ୍ଦ୍ରକରି ଦୁଇ ପରିବାର ଭିତରେ ଝଗଡ଼ା ଏବଂ ଝଗଡ଼ାରେ ମଧ୍ୟସ୍ଥତା କରିବାକୁ ଯାଇଥିବା ଜଣେ ଯୁବତୀ ଷ୍ଟମ୍ପ୍ ମାଡ଼ରେ ଗୁରୁତର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଅଭିଯୋଗ ଅନୁଯାୟୀ, ବିଜୁ ଯୁବ ବାହିନୀକୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦେବାକୁ ମିଳିଥିବା ଅନୁଦାନରେ ନୂଆଗାଁର ଯୁବକମାନେ କ୍ରିକେଟ୍ ଖେଳ ସାମଗ୍ରୀ କିଣିଥିଲେ। ତେବେ ଏହି କ୍ରୀଡ଼ା ସାମଗ୍ରୀକୁ କାହା ଘରେ ରଖାଯିବ ସେନେଇ ବିବାଦ ଆରମ୍ଭ ହୋଇଥିଲା। ସେହି ଗାଁର ବାବୁଲା ମଳିକଙ୍କ ଘରେ କ୍ରୀଡ଼ା ସାମଗ୍ରୀ କାହିଁକି ରହିବ ବୋଲି କୁନା ମଳିକ ଓ ଅନ୍ୟମାନେ ପ୍ରତିବାଦ କରିବା ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। ଏଥିରେ ବାବୁଲା ଓ କୁନା ମଧ୍ୟରେ ଯୁକ୍ତିତର୍କରୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ବାବୁଲାକୁ କୁନା ଓ ଅନ୍ୟମାନେ ନିସ୍ତୁକ ମାଡ଼ ମାରି ଚାଲିଥିବାବେଳେ ସେହି ସାହିର ଜଣେ ଯୁବତୀ ବାବୁଲା ଓ କୁନାଙ୍କୁ ବୁଝାସୁଝା କରିଥିଲେ। ଉଭୟଙ୍କୁ ସେ ଅଲଗା କରି କଥା ହେଉଥିବା ବେଳେ କୁନା ହଠାତ୍ ଏକ ଷ୍ଟମ୍ପରେ ଯୁବତୀଙ୍କ ତଳି ପେଟକୁ ଭୁସି ଦେଇଥିଲା। ଫଳରେ, ଯୁବତୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ପଡି ଯାଇଥିଲେ। ପରେ ସାହି ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସା‌ ପରେ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ପୁଲିସ୍ ଅଭିଯୁକ୍ତ କୁନା ମଳିକକୁ ଗିରଫ କରି କୋର୍ଟଚାଲାଣ କରିଥିବା ଏସ୍ଡ଼ିପିଓ ରଂଜନ କୁମାର ଦେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର