ଦୁଷ୍କର୍ମ ପୀଡ଼ିତା ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ସ୍କୁଲରେ ବାରମ୍ବାର ପଚାରୁଥିଲେ ଶିକ୍ଷୟିତ୍ରୀ, ଲାଜରେ ସ୍କୁଲ ଯିବାକୁ ଡରୁଥିଲେ ନାବାଳିକା
ସମ୍ବଲପୁର : ବାରମ୍ବାର ଟାହିଟାପରା ଏବଂ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ସାମ୍ନା କରି ନ ପାରି ଜଣେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ ବ୍ଲେଡ୍ରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଖବର ସମ୍ବଲପୁର ସହରରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ଜଣକ ଧନୁପାଲି ଥାନା ସାକ୍ଷୀପଡ଼ା ଅଞ୍ଚଳର ଓ ସେ ସ୍ଥାନୀୟ ଏକ ବାଳିକା ବିଦ୍ୟାଳୟର ଛାତ୍ରୀ।
Sambad is now on WhatsApp
Join and get latest news updates delivered to you via WhatsApp
ପରିବାର ଲୋକଙ୍କ କହିବା ମୁତାବକ, ୨ ବର୍ଷ ତଳେ ଛାତ୍ରୀଜଣକ ଦୁଷ୍କର୍ମର ଶିକାର ହୋଇଥିଲେ। ଅଭିଯୁକ୍ତ ଗିରଫ ହୋଇ ଜେଲ୍ ଯାଇଥିଲା। ଏବେ ସେ ଜାମିନରେ ମୁକୁଳି ସାରିଛନ୍ତି। ମାତ୍ର ପୀଡ଼ିତାଙ୍କ ମାନସିକ ଯନ୍ତ୍ରଣାର ଅନ୍ତ ହୋଇନାହିଁ। ଦୁଷ୍କର୍ମ ଘଟଣା ପରଠାରୁ ଘରେ ଓ ସ୍କୁଲରେ ତାଙ୍କୁ ଅନେକ ଲୋକ ଉକ୍ତ ଘଟଣା ସମ୍ପର୍କରେ ପଚାରୁଥିଲେ। ଘରେ ଜଣେ ନିକଟ ସଂପର୍କୀୟ ଓ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ବି ତାଙ୍କୁ ବାରମ୍ବାର କିଭଳି ଦୁଷ୍କର୍ମ ହୋଇଥିଲା ପଚାରୁଥିଲେ ବୋଲି ଛାତ୍ରୀ ଜଣକ କହିଛନ୍ତି। ଏଥିରେ ଅତିଷ୍ଠ ହୋଇ ଛାତ୍ରୀଜଣକ ସ୍କୁଲ ଯିବାକୁ ଡରୁଥିଲେ।
ଖରାଛୁଟି ପରେ ଆଜି (ଶୁକ୍ରବାର) ସ୍କୁଲ ଖୋଲିଥିଲା। ପରିବାର ଲୋକେ ତାକୁ ସ୍କୁଲକୁ ଯିବାକୁ କହିବାରୁ ଉକ୍ତ ପ୍ରଶ୍ନଗୁଡ଼ିକର ପୁନରାବୃତ୍ତି ଆଶଙ୍କାରେ ଛାତ୍ରୀଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ‘ସମ୍ବାଦ’କୁ କହିଛନ୍ତି। ନାବାଳିକାଙ୍କ ବାପା ମଧ୍ୟ ଏଭଳି ଗୁରୁତର ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ତାଙ୍କ ଝିଅକୁ ସ୍କୁଲ କର୍ତ୍ତୃପକ୍ଷ ସାହସ ଦେବା ପରିବର୍ତ୍ତେ ଅପମାନଜନକ ପ୍ରଶ୍ନ ପଚାରି ମାନସିକ ନିର୍ଯାତନା ଦେଉଥିଲେ ବୋଲି କହିଛନ୍ତି। ମାତ୍ର ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଘଟଣା ସମ୍ପର୍କରେ ସେ ପୂର୍ବରୁ ଅବଗତ ନ ଥିବା କହିଛନ୍ତି। କେଉଁ ଶିକ୍ଷୟିତ୍ରୀ ସଂପୃକ୍ତ ଛାତ୍ରୀଙ୍କୁ ଏଭଳି ପଚାରୁଛନ୍ତି ସେ ନେଇ ଶନିବାର ଅନୁସନ୍ଧାନ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ଓ ଛାତ୍ରୀଜଣକ ଯେପରି ନିୟମିତ ଓ ବିନା ସଂକୋଚରେ ସ୍କୁଲ ଆସିବେ ସେ ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।