ଦଶପଲ୍ଲା : ପାଠପଢ଼ା ଛାଡ଼ି ହଷ୍ଟେଲ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଅନ୍ତେବାସୀ ଛାତ୍ରଛାତ୍ରୀ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଦଶପଲ୍ଲା ବ୍ଲକ୍‌ରେ ଥିବା ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ବିଭିନ୍ନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ବିଗତ ଦିନଗୁଡ଼ିକରେ ଅନେକ ଘଟଣା ଘଟିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିରବ। କେଉଁଠି ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି ତ ପୁଣି କେଉଁଠି ଅନ୍ତେବାସୀ ଛାତ୍ର ପ୍ରଧାନ ଶିକ୍ଷକଙ୍କ ଅଇଁଠା ବାସନ ମାଜିବା ଭଳି ଅନେକ ଘଟଣା ଘଟିଚାଲିଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଦୁର୍ବଳତାର ସୁଯୋଗ ନେଇ ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ଆଶ୍ରମ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦିଆଯାଉଛି।

Advertisment

ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଭୋଗବାଡ଼ି ଆଶ୍ରମ ବିଦ୍ୟାଳୟରେ ହଷ୍ଟେଲ ରୋଷେଇ ପାଇଁ ବ୍ୟବହାର କରାଯାଉଥିବା ଗ୍ୟାସ ସିଲିଣ୍ତର ଛାତ୍ରୀଙ୍କ ଦ୍ବାରା ବୁହା ଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଶନିବାର ଦିନ ପ୍ରାୟ ସାଢେ ୧୦ଟା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟଠାରୁ ନାଳ ପର୍ଯ୍ୟନ୍ତ ପ୍ରାୟ ୧ କିମି ପର୍ଯ୍ୟନ୍ତ ଦୁଇ ଜଣ ମହିଳାଙ୍କ ସହ ଦୁଇ ଜଣ ଛାତ୍ରୀ ଗ୍ୟାସ୍‌ ସିଲିଣ୍ତର ଧରି ନାଳ ପାର ହୋଇ ଏକ ଅଟୋ ନିକଟକୁ ଆଣିବାକୁ ପଡ଼ିଥିଲା। ବିଦ୍ୟାଳୟରେ ରୋଷେଇ ପାଇଁ ଗ୍ୟାସ ଶେଷ ହୋଇ ଯାଇଥିବା ବେଳେ ସେମାନଙ୍କୁ ଆଣିବା ପାଇଁ କୁହାଯାଇଥିଲା। କିନ୍ତୁ ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ପିଲାମାନେ ଗ୍ୟାସ୍‌ ସିଲିଣ୍ତର ଆଣିବା ତାଙ୍କ ନଜରରେ ନାହିଁ। ସେ ବିଦ୍ୟାଳୟର ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ବିଦ୍ୟାଳୟର ସିସିଏ ଛାତ୍ରୀମାନଙ୍କୁ କହି ଏହି ଗ୍ୟାସ୍‌ ସିଲିଣ୍ତର ଆଣିଛନ୍ତି। ବିଶେଷକରି ଏହି ବିଦ୍ୟାଳୟକୁ ପାଠପଢି ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ଏହି କୁଆଁରିଆ ନାଳ ବାଧକ ସାଜିଥାଏ। ବିଦ୍ୟାଳୟକୁ ଯିବା ପାଇଁ ଅନ୍ୟ କୌଣସି ଉପାୟ ନଥିବା ବେଳେ ବାଧ୍ୟ ହୋଇ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ବର୍ଷାଦିନେ ଜୀବନକୁ ବାଜି ଲଗାଇ ଏହି ଖରସ୍ରୋତା ନାଳ ଅତିକ୍ରମ କରିବାକୁ ପଡ଼ିଥାଏ। ଏହି ନାଳ ଉପରେ ଏକ ସେତୁ ନିର୍ମାଣ ପାଇଁ ଅଂଚଳବାସୀ ଦୀର୍ଘ ବର୍ଷଧରି ଦାବି କରିଆସୁଥିବା ବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।