ଛାତ୍ରୀଙ୍କ ସାହସିକତା : ଗୋଡେଇ ଗୋ‌ଡ଼େଇ ଚେନ୍‌ ଲୁଟେରାକୁ ଧରିଲେ

ସାରନଗରୀ : ରାଉରକେଲାର ସାରନଗରୀରେ ଜଣେ କଲେଜ ଛାତ୍ରୀଙ୍କ ସାହସିକତା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ମାଆଙ୍କ ବେକରୁ ସୁନା ଚେନ୍‌ ଛିଡ଼ାଇ ଦୌଡ଼ି ପଳାଉଥିବା ଚୋରକୁ ପିଛା କରି ଫିଲ୍ମ ଶୈଳୀରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଧରିଛନ୍ତି ସେ। ଚେନ୍‌ ଲୁଟେରାକୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ କରୁଛି। ଛାତ୍ରୀଙ୍କର ଏଭଳି ସାହସିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି। ସାରନଗରୀ ନବକୃଷ୍ଣନଗରର ଶୁଭଲକ୍ଷ୍ମୀ ସ୍ବାଇଁ ଓ ତାଙ୍କ ଝିଅ ଦିବ୍ୟରୂପା‌ (୧୭) ସୁପରମାର୍କେଟ୍‌ରୁ ପରିବା କିଣି ଘରକୁ ଫେରୁଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଜଣେ ଯୁବକ ଅଚାନକ ଶୁଭଲକ୍ଷ୍ମୀଙ୍କ ପାଖକୁ ଆସି ତାଙ୍କ ବେକର ପଛପଟୁ ସୁନା ଚେନ୍‌ ଓ ମଙ୍ଗଳସୂତ୍ରକୁ ଝାମ୍ପି ନେଇ ଦୌଡ଼ି ପଳାଉଥିଲା। ଏହା ଦେଖି ଝିଅ ଦିବ୍ୟରୂପା ‌ଲୁଟେରାକୁ ଧରିବା ପାଇଁ ତା’ର ପିଛା କରିଥିଲେ। ଖୋଲା ରାସ୍ତାରେ ଝିଅଟିଏ ଜଣେ ଯୁବକ ପଛରେ ଦୌଡ଼ୁଥିବା ଦେଖି ସ୍ଥାନୀୟ ଲୋକ ମଧ୍ୟ ପିଛା କରିଥିଲେ। ପ୍ରାୟ ୩ଶହ ମିଟର୍‌ ଦୂରରେ ଲୁଟେରା ଧରାପଡ଼ିଥିଲା। ଲୋକେ ଲୁଟେରାକୁ ଉତ୍ତମ ମଧ୍ୟମ ଦେଇ ଟାଙ୍ଗରପାଲୀ ଥାନାକୁ ହସ୍ତାନ୍ତର କରିଥିଲେ। ଲୁଟେରାଠାରୁ ୧୮ ଗ୍ରାମ ଓଜନର ସୁନା ଚେନ୍‌ ଓ ୫ ଗ୍ରାମ ଓଜନର ମଙ୍ଗଳ ସୂତ୍ର ଜବତ ହୋଇଛି। ଲୁଟେରାର ନାଁ ହେଉଛି ବଜେନ୍ଦ୍ର ସାବତ (୨୬)। ସାହାସିକତା ଦେଖାଇ ଲୁଟେରାକୁ ଧରିଥିବା ଛାତ୍ରୀ ଦିବ୍ୟରୂପା ରାଉରକେଲା ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରୀ।

ସମ୍ବନ୍ଧିତ ଖବର