ବ୍ଲାକମେଲ୍‌ ଯୋଗୁଁ ଆତ୍ମହତ୍ୟା କରିଥିଲେ ଛାତ୍ରୀ

ମାଶାର୍ଘାଇ : ମାଟ୍ରିକ ପରୀକ୍ଷା ଦେଇଥିଲେ। ଆଜି ପରୀକ୍ଷାଫଳ ବାହାରିବା ପରେ ପାସ କରିଛନ୍ତି ବୋଲି ବାପା-ମା’ ଜାଣିଲେ। କିନ୍ତୁ ସେତେବେଳକୁ ଆଉ ଝିଅ ନଥିଲା। ଗତକାଲି ରାତିରୁ ଆତ୍ମହତ୍ୟା କରି ଦେଇଥିଲା ଏକ ବ୍ଲାକମେଲ ଘଟଣାକୁ ନେଇ। ମାଶାର୍ଘାଇ ବ୍ଲକ ତଥା ପାଟକୁରା ଥାନା ବଟିରା ପଞ୍ଚାୟତରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଆଜି ଏ ନେଇ ଛାତ୍ରୀଙ୍କ ବାପା ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଅଭିଯୋଗ ମୁତାବକ, ବଟିରା ପଞ୍ଚାୟତର ଜଣେ ଯୁବକ ଏହି ଛାତ୍ରୀଙ୍କୁ ଏକତରଫା ପ୍ରେମ କରି ଆସୁଥିଲେ। ଯୁବକଙ୍କର ଏକ ଷ୍ଟୁଡିଓ ରହିଛି। ଛାତ୍ରୀ ଜଣକ କିଛି ଦିନ ତଳେ ସେଠାକୁ ଫଟୋ ଉଠାଇବାକୁ ଯାଇଥିଲେ। ଯୁବକ ଜଣକ କୌଶଳ କ୍ରମେ ଛାତ୍ରୀଙ୍କ ଫଟୋ ସହ ନିଜ ଫଟୋକୁ ଯୋଡି ବ୍ଲାକମେଲ୍ କରିବା ଆରମ୍ଭ କରି ଦେଇଥିଲେ। ଗାଁରେ ଓ ବାହାରେ ରହୁଥିବା ଛାତ୍ରୀଙ୍କ ଭାଇମାନଙ୍କ ପାଖକୁ ସେହି ଫଟୋ ପଠାଇ ଦେଇଥିଲେ। ପରିବାର ଲୋକେ ଏ କଥା ଜାଣିବା ପରେ ଯୁବକଙ୍କୁ ତାଗିଦ କରିଥିଲେ। ଗତକାଲି ଛାତ୍ରୀଙ୍କ ଭାଇ ଯୁବକଙ୍କୁ ଏ ନେଇ ପଚାରିବାକୁ ଯାଇଥିବାବେଳେ ସେ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ଛାତ୍ରୀ ଜଣକ ସଂପୃକ୍ତ ଯୁବକଙ୍କୁ ଏ ନେଇ ପଚାରିବାକୁ ଯାଇଥିବା ବେଳେ ସେ ତାଙ୍କୁ ଫଟୋ ଦେଖାଇ ଧମକ ବି ଦେଇଥିଲେ। ସେଠାରୁ ଫେରି ଗତକାଲି ରାତିରେ ଛାତ୍ରୀ ଜଣକ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର