ରାଇରଙ୍ଗପୁର: ଚିକିତ୍ସା ଅବହେଳାରୁ ଆଶ୍ରମ ସ୍କୁଲର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ମୃତକା ହେଲେ ଚାନ୍ଦିନୀ ଆଲଦା(୧୨)।

Advertisment

ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା ଜାମଦା ଥାନା ଅର୍ନ୍ତଗତ ତାରଣା ଗ୍ରାମପଞ୍ଚାୟତ ସାନକୁଲେଇବିରା ଗ୍ରାମର ବେବ୍ରତ ଆଲଦାଙ୍କ ଝିଅ ଚାନ୍ଦିନୀ ଆଲଦା ମାନବୀର ଆଶ୍ରମ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିଲେ ଏବଂ ଆଶ୍ରମ (ଛାତ୍ରାବାସରେ) ରହୁଥିଲେ।

ତେବେ ଗତ ୨୩ ଏପ୍ରିଲରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସୁସ୍ଥହେବା ପରେ ତାଙ୍କୁ ପୁଣିଥରେ ଛାତ୍ରୀବାସକୁ ନେଇଯାଇଥିଲେ। ଚାନ୍ଦିନୀଙ୍କ ପରିବାର ଲୋକେ ଉନ୍ନତ ଚିକିତ୍ସା ନିମନ୍ତେ ଘରକୁ ନେବା ପାଇଁ ଚାହୁଁଥିଲେ। କିନ୍ତୁ ଛାତ୍ରୀ ନିବାସ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ନେବା ପାଇଁ ବାରଣ କରିଥିଲେ।

ତେବେ ତାପର ଦିନ ଅର୍ଥାତ୍ ୨୪ ଏପ୍ରିଲରେ ପୁଣିଥରେ ଦେହ ଅସୁସ୍ଥ ହେବାରୁ ଚାନ୍ଦିନୀଙ୍କୁ ପ୍ରଥମେ ଜାମଦା ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରୁ ପୁଣି ବାରିପଦାସ୍ଥିତ ପିଆରଏମ୍ ମେଡିକାଲ୍ କଲେଜ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ଛାତ୍ରୀଙ୍କ ରୋଗ କଣ ଥିଲା ତାହା ସ୍ଫଷ୍ଟ ହୋଇନି। ଚାନ୍ଦିନୀଙ୍କ ମୃତଦେହ ଛାତ୍ରୀନିବାସ ପରିସରରେ ରଖାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା କୌଣସି କର୍ମଚାରୀ ସେଠାରେ ନଥିବା ଜଣାପଡ଼ିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ବିଦ୍ୟାଳୟ ପରିସରରେ ଚାନ୍ଦିନୀଙ୍କ ଅଭିଭାବକ, ମାନବୀର ସରପଂଚଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିବା ସୂଚନା ମିଳିଛି। ଛାତ୍ରୀଙ୍କ ମୃତ୍ୟୁ ଚିକିତ୍ସା ଅବହେଳାରୁ ହୋଇଥିବା ଅଭିଯୋଗ କରୁଥିବା ବେଳେ ଚାପା ଉତ୍ତେଜନା ଦେଖାଦେଇଛି।