ଗୁରୁତର ଅବସ୍ଥାରେ ଉଦ୍ଧାର ଛାତ୍ରୀଙ୍କ ମୃତ୍ୟୁ

ଅପହରଣ ପରେ ଡାକ୍ତରଖାନାରେ ଛାଡ଼ି ଚମ୍ପଟ ମାରିଥିଲେ ଦୁଇ ଯୁବକ, ଭଦ୍ରକ ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ପୂର୍ବାଞ୍ଚଳ ଆଇଜି

ଧାମନଗର : ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଗତକାଲି ଗୁରୁତର ଅବସ୍ଥାରେ ଧାମନଗର ଡାକ୍ତରଖାନାରେ ଛାଡ଼ି ଦୁଇ ଜଣ ଯୁବକ ଚମ୍ପଟ ମାରିଥିଲେ। ସଂପୃକ୍ତ ଛାତ୍ରୀଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅହିୟାସ ଗ୍ରାମର ମୀର୍‌ ସରାଫତ୍‌ଙ୍କ ଝିଅ ତବସୁନ ଖାତୁନ୍‌ (୧୫) ବୋଲି ଜଣାପଡ଼ିଛି। ଆଜି ଛାତ୍ରୀଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି। ତାଙ୍କ ଝିଅକୁ ଧାମନଗର ଅଞ୍ଚଳର କେତେକ ଯୁବକ ଅପହରଣ କରି ହତ୍ୟା କରିଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନରେ ଧାମନଗର ଅଞ୍ଚଳର କେତେକ ଯୁବକ ଅହିୟାସରୁ ସ˚ପୃକ୍ତ ଛାତ୍ରୀଙ୍କୁ ଏକ ବାଇକ୍‌ ଯୋଗେ ଅପହରଣ କରି ନେଇ ଆସିଥିଲେ। ଅହିୟାସ ଅଞ୍ଚଳର କେତେକ ଯୁବକ ପିଛା କରିବାରୁ ଅପହରଣକାରୀମାନେ ଦ୍ରୁତଗତିରେ ଧାମନଗର ଆଡ଼କୁ ପଳାଇ ଆସିବା ବେଳେ କମଳାପୁର ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ହେବାରୁ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ। ପରେ ଧାମନଗର ହବିବନଗର ଅଞ୍ଚଳର ସେକ୍‌ ନନୋ ଏବ˚ ତାର ଅନ୍ୟ ଜଣେ ସହଯୋଗୀ ଧାମନଗର ଡାକ୍ତରଖାନାରେ ଛାତ୍ରୀଙ୍କୁ ଛାଡ଼ି ଫେରାର ହୋଇ ଯାଇଥିଲେ। ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରଙ୍କ ମୋବାଇଲରେ ଉକ୍ତ ଦୁଇ ଯୁବକଙ୍କ ଫଟୋ ରହିଥିବା ଜଣାଯାଇଛି। ରାତିରେ ଛାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ ନନୋ ଫେରାର ହୋଇଯାଇଛି। ଛାତ୍ରୀଙ୍କୁ କାହିଁକି ଏହି ଯୁବକମାନେ ଅପହରଣ କରିଥିଲେ, ଏହା ପଛର କାରଣ କ’ଣ, ତାହା ଏବେ ବି ରହସ୍ୟ ଘେରରେ। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଆଜି ଭଦ୍ରକ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର