ସମ୍ବଲପୁର : ସମ୍ବଲପୁର ଜିଲ୍ଲା କତର ବଗା ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀ(୧୮)ଙ୍କୁ ସୋମବାର ଦିନ ସାଢ଼େ ୧୦ଟା ବେଳେ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରେଙ୍ଗାଲି ଓ ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ମୁହଁରେ ଓ ମୁଣ୍ଡରେ ପଥର ଛେଚି ଦିଆଯାଇଥିବାରୁ ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏଥିରେ ତାଙ୍କ ପାଟିର ସମସ୍ତ ଦାନ୍ତ ଭାଙ୍ଗି ଯାଇଥିବା ବେଳେ କପାଳର ଗୋଟିଏ ପାର୍ଶ୍ବ ଚେପା ହୋଇଯାଇଛି। ସେ ବୁର୍ଲା ମେଡିକାଲର ଟ୍ରମା କେୟାରରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣାରେ ୨ ଜଣ ଝିଅ ଓ ୨ ଜଣ ପୁଅଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେଉଛି। ଯାହାକି ଘଟଣାକୁ ଅଧିକ ସମ୍ବେଦନଶୀଳ କରିଦେଇଛି। କତରବଗା ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ସଦର ଏସ୍ଡିପିଓ ଭବାନୀ ଶଙ୍କର ଉଦ୍ଗାତା ବୁର୍ଲା ମେଡିକାଲରେ ପହଞ୍ଚି ପୀଡ଼ିତାଙ୍କ ପରିବାର ବର୍ଗ ସହ ଆଲୋଚନା କରିଛନ୍ତି। ଏହି ସମୟରେ ପୀଡ଼ିତା ପ୍ରହଲ୍ଲାଦ ନାମଟି ଉଚ୍ଚାରଣ କରୁଥିବା ଜଣାପଡ଼ିଥିଲା। ଏହି ଆଧାରରେ ରାତି ସାଢ଼େ ୧୧ଟା ବେଳେ ପୁଲିସ୍ ଉକ୍ତ ଗ୍ରାମର ପ୍ରହଲ୍ଲାଦ ନାମକ ଜଣେ ଯୁବକକୁ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି। ଅପରପକ୍ଷେ, ଏହି ଘଟଣା ପଛରେ ଜମିବାଡ଼ି ସଂକ୍ରାନ୍ତୀୟ ପୂର୍ବ ଶତ୍ରୁତା ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
/sambad/media/post_attachments/wp-content/uploads/2019/07/rr-1.jpg)
ମିଳିଥିବା ସୂଚନା ମୁତାବକ, ପୀଡ଼ିତା ଓ ତାଙ୍କ ବାପା ସୋମବାର ସକାଳ ପ୍ରାୟ ୯ଟା ବେଳେ ଘରଠାରୁ ଦେଢ଼ କିମି ଦୂର ବଗିଚାକୁ ପାଣି ଦେବାକୁ ଯାଇଥିଲେ। ସାଢ଼େ ୯ଟା ବେଳେ ବାପା ବ୍ୟାଙ୍କ ଯିବା ପାଇଁ ବଗିଚାରୁ ଘରକୁ ଚାଲି ଆସିଥିଲେ। ଝିଅ ବଗିଚାରେ ଏକୁଟିଆ ଅଛି, ସେଠାକୁ ଯାଅ ବୋଲି ପତ୍ନୀ (ପୀଡ଼ିତାର ମା’)ଙ୍କୁ କହି ସେ ଘରୁ ବାହାରି ଯାଇଥିଲେ। ପୀଡ଼ିତାଙ୍କ ମା’ ସାଢ଼େ ୧୦ଟା ବେଳେ ବଗିଚାରେ ପହଞ୍ଚିବା ବେଳକୁ ଝିଅକୁ ସେଠାରେ ପାଇନଥିଲେ। ତେବେ ନିକଟସ୍ଥ ଏକ ବିଲ ହୁଡ଼ାରେ ଝିଅ ଉଲଗ୍ନ ଓ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ଚିତ୍କାର କରିଥିଲେ। ଆଖପାଖ ଲୋକ ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ରେଙ୍ଗାଲି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଦିନ ପ୍ରାୟ ଅଢ଼େଇଟା ବେଳେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ପୀଡ଼ିତାଙ୍କ ବାପା ଘଟଣାସ୍ଥଳରୁ ଯିବା ଓ ତାଙ୍କ ମା’ ସେଠାରେ ପହଞ୍ଚିବାର ଗୋଟିଏ ଘଣ୍ଟା ମଧ୍ୟରେ ଏଭଳି ଅମାନବୀୟ କାଣ୍ଡ ଘଟିଥିବାରୁ ଅଭିଯୁକ୍ତମାନେ ନିଶ୍ଚିତ ଭାବେ ଆଖପାଖ ଅଞ୍ଚଳର ହୋଇଥିବେ ବୋଲି ପୁଲିସ୍ ସନ୍ଦେହ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Girl-Gang-Raped_Thumbnail.jpg)