ଜ୍ୟୋତିବିହାରରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅସଦାଚରଣ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଅସଦାଚରଣର ଶିକାର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ସହକାରୀ ଅଧ୍ୟାପକଙ୍କ ବିରୋଧରେ ଏଭଳି ସଂଗିନ ଅଭିଯୋଗ ଆସିଛି। ଏ ସମ୍ପର୍କରେ ପୀଡ଼ିତା ଛାତ୍ରୀ ଗତ ଶୁକ୍ରବାର ଦିନ ବିଶ୍ବବିଦ୍ୟାଳୟ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ତେବେ, ଏଯାଏ ‌କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣା ପଡ଼ିଛି। ଏହି ଘଟଣା ବିଶ୍ବବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମହଲରେ ଜୋରଦାର ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ମୁତାବକ, ପିଜି ପ୍ରଥମ ବର୍ଷର ସଂପୃକ୍ତ ଛାତ୍ରୀ ଜଣକ ଶୁକ୍ରବାର ନିଜ ବିଭାଗର ସହକାରୀ ପ୍ରଫେସରଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ଉକ୍ତ ଛାତ୍ରୀଙ୍କୁ ଏକୁଟିଆ ଦେଖି ଅଧ୍ୟାପକ ଜଣକ ଅସଦାଚରଣ କରିଥିଲେ। କୌଣସି ମତେ ଛାତ୍ରୀଜଣଙ୍କ ଘଟଣାସ୍ଥଳରୁ ଖସି ଆସି ଅଭିଯୋଗ କରିଥିଲେ। ଇତି ମଧ୍ୟରେ ଘଟଣାକୁ ୩ ଦିନ ବିତି ଯାଇଛି। ଏ‌ ନେଇ ପୁଲିସରେ କୌଣସି ପ୍ରକାର ଅଭିଯୋଗ ହୋଇ ନାହିଁ। ଏ ସଂପର୍କରେ ପିଜି କାଉନ୍‌ସିଲ ଅଧ୍ୟକ୍ଷ ପ୍ରଫେସର ଏ.କେ. ଦାସମହାପାତ୍ରଙ୍କୁ ପଚାରିବାରୁ ତାଙ୍କ ନିକଟକୁ ଏଭଳି କୌଣସି ଅଭିଯୋଗ ଆସି ନାହିଁ ବୋଲି କହିଛନ୍ତି। ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ର. ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର