ରାଉରକେଲା: ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀଙ୍କ ମାଡ଼ରେ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀଙ୍କ ଡାହାଣ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ବାସନ୍ତୀକଲୋନିସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରୀଙ୍କ ପିତାମାତାଙ୍କ ଅଭିଯୋଗକ୍ରମେ ମାଡ଼ ମାରିଥିବା ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ବିଦା କରିବା ପରେ ମାମଲାର ସମାଧାନ ହୋଇଥିବା ଜଣାପଡିଛି। ଛାତ୍ରୀଙ୍କ ପିତାମାତା ଏ ନେଇ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି। ମାମଲାର ସମାଧାନ ହୋଇଯାଇଛି, ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସ୍କୁଲ ପ୍ରବନ୍ଧନ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ମୁତାବକ ରେଲୱେ କଲୋନିରେ ରହୁଥିବା ଜଣେ ଜିଆର୍ପି କନେଷ୍ଟବଳଙ୍କ ଝିଅ ବାସନ୍ତୀ କଲୋନିର ଏକ ପ୍ରମୁଖ ଘରୋଇ ସ୍କୁଲରେ ଯୁକ୍ତଦୁଇ କଳାର ଦ୍ବିତୀୟ ବର୍ଷର ଛାତ୍ରୀ। ଗତ ୬ ତାରିଖ ଅପରାହ୍ନ ୧ଟାରେ ଉକ୍ତ ସ୍କୁଲ୍ର ଜଣେ ଶିକ୍ଷୟିତ୍ରୀ ତାଙ୍କ ବିଷୟରେ କାହିଁକି କମ୍ ନମ୍ବର ରହିଲା ବୋଲି ଛାତ୍ରୀଙ୍କୁ ପଚାରିଥିଲେ। ଛାତ୍ରୀ ଜଣକ ଦୁର୍ଘଟଣା ଓ ଅସ୍ତ୍ରୋପଚାର ପାଇଁ ଦୁଇମାସ ଛୁଟିରେ ଥିବାରୁ ପରୀକ୍ଷାରେ ଭଲ କରିପାରି ନଥିବା କହିଥିଲେ। ଛାତ୍ରୀଙ୍କ ମୁହଁରୁ ଏହି ଉତ୍ତର ଶୁଣିବା ପରେ ସଂପୃକ୍ତ ଶିକ୍ଷୟିତ୍ରୀ ରାଗି ଯାଇଥିଲେ। ତଳେ ପଡ଼ିଥିବା ବାଉଁଶ ବାଡ଼ି ଧରି ଛାତ୍ରୀଙ୍କୁ ମାଡ଼ ମାରିଥିଲେ। ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ରୀଜଣକ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ସ୍କୁଲର ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ତାଙ୍କୁ ନିକଟରେ ଥିବା ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ପରିବାର ଲୋକଙ୍କୁ ମାଡ଼ ମରାଯାଇଥିବା ସମ୍ପର୍କରେ କିଛି କହି ନଥିଲେ। ତଳେ ପଡ଼ି ବେହୋସ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କୁହାଯାଇଥିଲା। ସ୍କୁଲରୁ ଖବରପାଇ ଘରଲୋକ ହସ୍ପିଟାଲରେ ପହଞ୍ଚିବା ପରେ ସବୁ କଥା ଜାଣିବାକୁ ପାଇଥିଲେ।