ନାଲକୋନଗର : ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ନକୁଳଚନ୍ଦ୍ର ସ୍ୱତନ୍ତ୍ର ମୂକ ବଧିର ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଇତିଶ୍ରୀ (୮ବର୍ଷ) ଗତ ଜୁନ ୨୨ ତାରିଖରୁ ନିଖୋଜ ଥିଲେ। ତାଙ୍କ ପରିବାର ପକ୍ଷରୁ ନାଲକୋନଗର ଥାନାରେ ଗତ ୨୭ ତାରିଖରେ ଅଭିଯୋଗ ହୋଇଥିଲା। ଗୁରୁବାର ଅପରାହ୍ଣରେ ତାଙ୍କର ଗଳିତ ମୃତଦେହ ସ୍କୁଲ୍ଠାରୁ ପ୍ରାୟ ଅଧକିଲୋମିଟର ଦୂର ନନ୍ଦିରା ଜୋରରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ୍ କାଙ୍ଗୁଲା ବେନ୍ତପୁର ପଞ୍ଚାୟତ ନୂଆସାହି ଗାଁର ପାଣ୍ଡବ ବିଶ୍ଵାଳ ଓ ସୁଶୀଳା ବିଶ୍ଵାଳ ତାଙ୍କର ୮ ବର୍ଷର ଝିଅ ଇତିଶ୍ରୀଙ୍କୁ ତିନି ମାସତଳେ ଏହି ସ୍କୁଲ୍ରେ ପଢ଼ିବା ପାଇଁ ଛାଡ଼ିଥିଲେ। ଖରା ଛୁଟିରେ ଇତିଶ୍ରୀ ଗାଁରେ ନିଜ ଘରେ ରହିଥିଲେ। ଗତ ଜୁନ ୧୭ ତାରିଖରେ ସ୍କୁଲ୍ କର୍ତ୍ତୃପକ୍ଷ ସୁଶୀଳାଙ୍କୁ ଫୋନ୍କରି ଖରାଛୁଟି ପରେ ସ୍କୁଲ୍ ଖୋଲିଥିବା ସୂଚନା ଦେବା ସହିତ ଇତିଶ୍ରୀକୁ ସ୍କୁଲ୍ରେ ଛାଡ଼ିବାକୁ କହିଥିଲେ। ସେହିଦିନ ସୁଶୀଳା ଝିଅକୁ ନେଇ ସ୍କୁଲ୍ରେ ଛାଡ଼ିଥିଲେ। ଏହାର ୫ ଦିନ ପରେ ଅର୍ଥାତ ଜୁନ୍ ୨୨ ତାରିଖ ଦିନ ୧୦ଟାବେଳେ ସ୍କୁଲ୍ରୁ ସୁଶୀଳାଙ୍କ ପାଖକୁ ଫୋନ୍ ଆସିଥିଲା। ଝିଅ ସେଦିନ ସକାଳ ସାଢ଼େ ୭ଟାରେ ସ୍କୁଲ୍ରୁ ପଳାଇଯାଇଥିବା ତାଙ୍କୁ ସୂଚନା ଦିଆଯାଇଥିଲା। ପରିବାର ସଦସ୍ୟ ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ଇତିଶ୍ରୀଙ୍କର ସଂଧାନ ପାଇ ନଥିଲେ। ଜୁନ୍ ୨୭ ତାରିଖରେ ଥାନାରେ ପରିବାର ସଦସ୍ୟ ଥାନାରେ ଦେଇଥିବା ଏତଲାରେ ଏହା ଦର୍ଶାଇଥିଲେ। ପୁଲିସ ଘଟଣା ସଂପର୍କରେ ତଦନ୍ତ ଜାରି ରଖିଥିଲା।
ସ୍କୁଲ୍ଠାରୁ ପ୍ରାୟ ଅଧକିଲୋମିଟର ଦୂର ନନ୍ଦିରା ଜୋରରେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଗୁରୁବାର ଦିନ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅପରାହ୍ଣରେ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ନିଖୋଜ ଛାତ୍ରୀଙ୍କ ଶବ ଚିହ୍ନଟ ହୋଇଛି ଓ ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନାଧିକାରୀ ଦିଲ୍ଲୀପ ଲାକ୍ରା ସୂଚନା ଦେଇଛନ୍ତି।