ରିଆମାଳ : ରିଆମାଳ ଥାନା ଲୁଲଙ୍ଗ ପଞ୍ଚାୟତ ରେଙ୍ଗାଳପାଲି ଗ୍ରାମରେ ଏକ ଚତୁର୍ଥ ଶ୍ରେଣୀ ଛାତ୍ରୀର ଝିଅ ଗଛରୁ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଜଣେ ଛାତ୍ରୀ ଗଛର ଏତେ ଉଚ୍ଚକୁ ଯାଇ ଆତ୍ମହତ୍ୟା କରିବା ଗ୍ରାମବାସୀଙ୍କ ଦ୍ବାରା ଗ୍ରହଣଯୋଗ୍ୟ ହୋଇ ନଥିଲା। ତାକୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାର ଉପଯୁକ୍ତ ତଦନ୍ତ କରି ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଗ୍ରାମବାସୀ ଦାବି କରିଥିଲେ। ମାତ୍ର ଘଟଣାର ୯ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ତଦନ୍ତ କରିବାକୁ ଗାଁକୁ ଯାଇ ନଥିଲା। ତେବେ ଗୁରୁବାର ସନ୍ଧ୍ୟାରେ ପୁଲିସ ଗ୍ରାମକୁ ଯାଇ ତଦନ୍ତ ନାଁରେ ସାଦା କାଗଜରେ ଦସ୍ତଖତ କରିବାକୁ ଛାତ୍ରୀଙ୍କ ବାପାକୁ କହିବାରୁ ଗ୍ରାମବାସୀ ଏହାରେ ବିରୋଧ କରିଥିଲେ। ଫଳରେ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଗ୍ରାମବାସୀ ପୁଲିସ ଗାଡ଼ି ସହିତ ଅଧିକାରୀଙ୍କୁ ଅଟକ ରଖିଛନ୍ତି।
ସୂଚନା ଅନୁଯାୟୀ ୧୨ ତାରିଖ ଉକ୍ତ ଗ୍ରାମର ନାରାୟଣ ପ୍ରଧାନଙ୍କ ଚତୁର୍ଥ ଶ୍ରେଣୀରେ ପଢୁଥିବା ଝିଅ ରତନୀ (୯)ଙ୍କ ଶବ ଏକ ବଡ଼ ଆମ୍ବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଶବ ଜବତ କରିବା ସହିତ ପରଦିନ ଏକ ମାମଲା ରୁଜୁ କରିଥିଲା। ଏତେ କମ ବୟସର ଝିଅ କିଭଳି ଏତେ ବଡ଼ ଗଛକୁ ଚଢିଲା ଏବଂ ଆତ୍ମହତ୍ୟା କଲା ତାହାକୁ ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଥିଲେ। ରତନୀକୁ କେହି ହତ୍ୟା କରି ଉକ୍ତ ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଇଥିଲା। ଏହି ଘଟଣାର ୯ ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତ ପାଇଁ ରିଆମାଳ ପୁଲିସ ଉକ୍ତ ଗ୍ରାମକୁ ଆଦୌ ଯାଇ ନ ଥିଲା। ଝିଅ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବାକୁ ରତନୀର ବାପା ନାରାୟଣ ଏକାଧିକବାର ରିଆମାଳ ଥାନାକୁ ଯାଇଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ୧୯ ତାରିଖ ଦିନ ଏତଲାର ନକଲ ପ୍ରଦାନ କରାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ରିଆମାଳ ଥାନା ଅଧିକାରୀ ଗୋପବନ୍ଧୁ ବେହେରା ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ଉକ୍ତ ଗ୍ରାମକୁ ଯାଇଥିଲେ। ନାରାୟଣଙ୍କୁ ଘରେ ନ ପାଇ ଲକ୍ଷ୍ମୀ ପୂଜା ମଣ୍ଡପଠାରେ ପହଞ୍ଚିଥିଲେ। ସେଠାରେ ନାରାୟଣଙ୍କୁ ଝିଅର ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା କହି ଦସ୍ତଖତ କରିବାକୁ କହିଥିଲେ। ଘଟଣାସ୍ଥଳରେ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। ଏକ ସାଦା କାଗଜରେ ଦସ୍ତଖତ କାହିଁକି ନିଆଯାଉଅଛି ବୋଲି ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିଥିଲେ। ରତନୀକୁ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ପଲିସ ଆଗରେ ଦାବି ରଖିଥିଲେ। ଯାହାକି ଏଥିପାଇଁ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଶେଷରେ ଉତ୍ତ୍ୟକ୍ତ ଗ୍ରାମବାସୀ ଗାଡି ସହ ପୁଲିସ ଅଧିକାରୀଙ୍କୁ ଘେରାଉ କରି ରଖିଛନ୍ତି। ଉପରିସ୍ଥ ଅଧିକାରୀ ଆସି ବିଚାର କଲେ ଛଡ଼ାଯିବ ବୋଲି କହିଛନ୍ତି। ଖବର ଲେଖା ଯିବା ପର୍ଯ୍ୟନ୍ତ ସେମାନଙ୍କୁ ଅଟକ ରଖାଯାଇଛି। କୌଣସି ଉପରସ୍ଥ ଅଧିକାରୀ ଉକ୍ତ ଗ୍ରାମରେ ପହଞ୍ଚି ନଥିବା ଜଣାପଡ଼ିଛି।
ନାୟାରାଣଙ୍କ କହିବା ଅନୁଯାୟୀ ଆଜକୁ ୫ ବର୍ଷ ହେଲା ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ସୁମିତାଙ୍କ ସହ ଅନୁଗୁଳ ଜିଲ୍ଲା ଗହମସ୍ଥିତ ଏକ ଆଶ୍ରମରେ ରହୁଛନ୍ତି। ରେଙ୍ଗାଳପାଲି ଘରେ ପ୍ରଥମ ସ୍ତ୍ରୀ ତିଳୋତ୍ତମା ଓ ଝିଅ ରତନୀ ରହୁଥିଲେ। ୧୨ ତାରିଖ ଦିନ ଝିଅ ରତନୀ ଗୁରୁତର ଥିବା ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ସୂଚନା ପାଇ ଗାଁରେ ପହଞ୍ଚିଥିଲେ। ଗଛରେ ଝିଅର ଶବ ଝୁଲୁଥିବା ଦେଖିଥିଲେ। ୧୩ ତାରିଖ ଦିନ ପୁଲଇସ ରତନୀର ଶବ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/31e9cd21-9d64-4f6b-90ab-8c4a3709c473.jpg)