ସମସ୍ୟା ପାଇଁ ହଷ୍ଟେଲ ଛାଡ଼ିଲେ ୪୮ଛାତ୍ରୀ : ଖରାରେ ଚାଲିଲେ ୧୨କିମି, ୨ଅସୁସ୍ଥ

ମାଲକାନଗିରି/କୋରୁକୋଣ୍ଡା : ଗତକାଲି ମୟୂରଭଞ୍ଜ ଭଳି, ଆଜି ମାଲକାନଗିିରି ଜିଲ୍ଲାରେ ସେମିତି ଏକ ଘଟଣା ଘଟିଛି। ଦୀର୍ଘଦିନ ସମସ୍ୟା ଯୋଗୁଁ ସନ୍ତୁଳି ହେଉଥିବା ୪୮ ଜଣ ଛାତ୍ରୀ ଆଜି ହଷ୍ଟେଲ୍‌ ଛାଡ଼ିଛନ୍ତି। ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଯାଉଥିବା ବାଟରେ ୨ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି। ଆଜି ପାଖାପାଖି ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ଏହି ଛାତ୍ରୀମାନେ ହଷ୍ଟେଲରୁ ବାହାରିଥିଲେ। ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବା ପାଇଁ ୧୨ କିଲୋମିଟର ବାଟ ଚାଲିଚାଲି ଆସିଥିଲେ। ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବି ଅନ୍ଧାରରେ ରହିଥିଲେ।

ପ୍ରାୟ ୧୨କିଲୋମିଟର ଅତିକ୍ରମ କରିବା ପରେ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କୁ ଦେଖିଥିଲେ। କୁଆଡ଼େ ଯାଉଛି ପଚାରିବାରୁ ସେମ‌‌ାନେ କିଛି କହି ନଥିଲେ। କେବଳ ଏତିକି କହିଥିଲେ ଯାହା କହିବୁ, ଜିଲ୍ଲାପାଳଙ୍କୁ ହିଁ କହିବୁ। ଏନେଇ ଗଣମାଧ୍ୟମ ପ୍ରତିନିଧି ବାଲିମେଳା ଏସଡିପିଓ ମାନସ ବାରିକଙ୍କୁ ଜଣାଇଥିଲେ। ସେ ରାସ୍ତାରେ ଛାତ୍ରୀମାନଙ୍କୁ ଅଟକାଇବା ପରେ ବୁଝାସୁଝା କରିଥିଲେ। ତଥାପି ସେମାନେ ଶୁଣି ନଥିବା ବେଳେ ଗାଡ଼ି କରି ସେମାନଙ୍କୁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଥିଲେ। ତେବେ, ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ଦୁହିଁଙ୍କୁ କୋରୁକୋଣ୍ଡା ମେଡିକାଲରେ ଭର୍ତି କରାଯାଇଥିଲା। ଚିକିତ୍ସା ପରେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି।

ଅପରପକ୍ଷେଳ ଛାତ୍ରୀମାନେ ଜିଲ୍ଲାପାଳ ମନୀଷ ଅଗ୍ରୱାଲାଙ୍କୁ ଭେଟି ସେମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗୋଟି ଗୋଟି କରି ବର୍ଣ୍ଣନା କରିଥିଲେ। ଏଭଳି ଅବ୍ୟବସ୍ଥା ଭିତରେ ସେମାନେ ଆଉ ରହିପାରିବେ ନାହିଁ ବୋଲି ଜଣାଇଥିଲେ।

ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେଇଛନ୍ତି। ତୁରନ୍ତ ସମସ୍ୟାର ସମାଧାନ କରିବାକୁ ବିଦ୍ୟାଳୟ କର୍ତୃପକ୍ଷଙ୍କୁ କହିଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ସେଠୀ କହିଥିଲେ ଯେ, ବାଲିମେଳା ଠାରେ ରହିଥିବା ବାଳିକା ଉଚ୍ଚ ବିଦ୍ୟାଳୟ ସରକାରୀ ନୁହେଁ। ସରକାରୀ ଅନୁଦାନରେ ଚାଲିଛି। ସେହି ବିଦ୍ୟାଳୟରେ ଦୀର୍ଘ ବର୍ଷ ହେଲା ଶିକ୍ଷକ ରହିଥିବାରୁ ସେମାନଙ୍କ ମଧ୍ୟରେ କନ୍ଦଳ ଲାଗି ରହିଛି। ତେଣୁ ପିଲାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସମ୍ବନ୍ଧିତ ଖବର