ସିମୁଳିଆ : ଦୁଷ୍କର୍ମର ଶିକାର ଜଣେ ନାବାଳିକାଙ୍କ ଦୁଃଖ କଥା କେହି ବୁଝିଲେନି। ପରିବାର ଲୋକଙ୍କ ଗୁହାରି ସରପଞ୍ଚ ଶୁଣିଲେନି। ଶେଷରେ ଲୋକଲଜ୍ଜାରେ ନାବାଳିକାଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ୍ ଅବଜୁଣା ପଞ୍ଚାୟତ ଅଧୀନ ଏକ ଗ୍ରାମରେ।
ଅଭିଯୋଗ ଅନୁସାରେ; ଗତ ରବିବାର ଦିନ ଗ୍ରାମର ନାବାଳିକା ଅନୁ (ଛଦ୍ମନାମ)ଙ୍କୁ ସେହି ଗ୍ରାମର ବୁଦ୍ଧିରାମ ନାୟ (୨୬) ଦୁଷ୍କର୍ମ କରିଥିଲା। ଏ ନେଇ ପୀଡ଼ିତା ଘରଲୋକଙ୍କୁ ସବୁ କଥା କହିଥିଲେ। ତାଙ୍କ ମାଆ ଓ ବାପା ଗ୍ରାମର ଜଣେ ରାଜନେତାଙ୍କୁ ଏ ନେଇ ଜଣାଇଥିଲେ। ପରେ ସେମାନେ ସରପଞ୍ଚ ପ୍ରମିଳା ବଳଙ୍କୁ ଘଟଣା ବାବଦରେ ଅବଗତ କରିବା ସହ ନ୍ୟାୟ ମାଗିଥିଲେ। ହେଲେ ଶ୍ରୀମତୀ ବଳ ଘଟଣାକୁ ଗୁରୁତ୍ବ ନଦେବା ସହ ଚାପିଦେବାକୁ ଉଦ୍ୟମ କରିଥିଲେ। ତେବେ ଗତକାଲି ପୀଡ଼ିତା ଗାଁକୁ ଯାଇଥିବା ବେଳେ ସେ କିଛି ଲୋକଙ୍କ ଟାହିଟାପରା ଶୁଣିଥିଲେ। ଫଳରେ ଘରକୁ ଫେରିବା ପରେ ମାନସିକ ଭାରସାମ୍ୟ ହରାଇ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
ଏ ନେଇ ପୀଡ଼ିତାଙ୍କ ମାଆ ସିମୁଳିଆ ଥାନାରେ ତାଙ୍କ ଝିଅକୁ ବୁଦ୍ଧିରାମ ଦୁଷ୍କର୍ମ ସହ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ଅଭିଯୋଗ କରିଥିଲେ। ହେଲେ ପୁଲିସ ଏତଲା ଗ୍ରହଣ କରିନଥିଲା। ପରେ ପୀଡ଼ିତାଙ୍କ ଭିଣୋଇ ପୁଣି ଥାନାରେ ଏତଲା ଦେଇଥିଲେ। ହେଲେ ଏଥର ମଧ୍ୟ ପୁଲିସ କେବଳ ଅନୁ ଆତ୍ମହତ୍ୟା କରିଥିବା ନେଇ ଏତଲା ଦେବାକୁ କହିଥିଲା। ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରିବାର ଲୋକ ଅନୁଙ୍କ ଶବକୁ ଗାଁ ରାସ୍ତାରେ ରଖି ନ୍ୟାୟ ଭିକ୍ଷା କରିଥିଲେ। ପରେ ଝିଅ ଆତ୍ମହତ୍ୟା କରିଥିବା ନେଇ ମାଆ ବାଧ୍ୟରେ ଏତଲା ଦେବାରୁ ପୁଲିସ ଏହାକୁ ଗ୍ରହଣ କରିଛି ଏବଂ ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।
ତେବେ ଘଟଣା ବାବଦରେ ସିମୁଳିଆ ଥାନା ଏଏସ୍ଆଇ ଜୟନ୍ତ କୁମାର ସେଠୀଙ୍କୁ ପଚାରିବାରୁ ସେ ଥାନାରେ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇପାରିବ ବୋଲି କହିବା ସହ ଶବ ବ୍ୟବଚ୍ଛେଦ ପରେ ଦୁଷ୍କର୍ମ ନେଇ ରିପୋର୍ଟ ଆସିଲେ ଯାହାକିଛି କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/suicide.jpg)