ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ : ନକ୍ସଲ ଅଂଚଳ ଝିଅ ହେବ ଡାକ୍ତର

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲା ଅନ୍ତର୍ଗତ ଦୋରନାପାଲ ଏକ ନକ୍ସଲପ୍ରବଣ ଅଞ୍ଚଳ। କେତେ ଗୁଳିଗୁଳା ବର୍ଷଣ ହୋଇଥିବ ଏଠି। ଏଠାରେ ବସବାସ କରୁଥିବା ଲୋକମାନେ ଭୟରେ ଥରୁଥିବେ ଅହରହ। ପାଠ ପଢ଼ିବା ଦୂରେ ଥାଉ, ବଞ୍ଚବା ପାଇଁ ନିତି ସଂଘର୍ଷରତ ଥିବେ ଏହି ଅଞ୍ଚଳର ଲେକମାନେ। ଏହିଭଳି ଏକ ଅଞ୍ଚଳର ଜଣେ ଝିଅ ଡାକ୍ତର ହେବେ। ଏଥିପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି।

ନକ୍ସଲ ଅଞ୍ଚଳର ଏହି ଝିଅର ନାମ ହେଉଛି ମାୟା। ମାଲକାନଗିରି ଜିଲ୍ଲାର ସୀମାନ୍ତ ବ୍ଲକ୍‌ ପଡିଆକୁ ଲାଗି ରହିଛି ମାୟାଙ୍କ ଘର। ତାଙ୍କ ଅଞ୍ଚଳ ଦୋରନାପାଲ ନକ୍ସଲଙ୍କ ଦ୍ୱାରା ସର୍ବାଧିକ ପ୍ରଭାବିତ। କିନ୍ତୁ ସେସବୁକୁ ଖାତିରି ନକରି ମାୟା ପାଠପଢାରେ ପୂରା ଧ୍ୟାନ ଦେଇଥିଲେ। ଦୋରନାପାଲର ସରକାରୀ ସ୍କୁଲରେ ପାଠ ପଢ଼ିଥିବା ଏହି ମେଧାବୀ ଛାତ୍ରୀ ଜଣକ ଗତ ଜୁନ୍‌ ମାସରେ ଏନ୍‌ଇଇଟି ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଅମ୍ବିକାପୁର ମେଡିକାଲ କଲେଜରେ ପଢ଼ିବାର ସୁଯୋଗ ପାଇଛନ୍ତି।

ମାୟା କୁହନ୍ତି ଯେ, ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେ ବାପାଙ୍କୁ ହରାଇଥିଲେ। ସେ ଏବଂ ତାଙ୍କର ଆଉ ୩ ଭାଇଭଉଣୀଙ୍କୁ ମା’ ବଡ଼କଷ୍ଟରେ ପାଳିପୋଷି ବଡ଼ କରିଥିଲେ। ବହୁ କଷ୍ଟରେ ତାଙ୍କୁ ପାଠ ପଢ଼ିବାକୁ ପଡ଼ିଥିଲା। ପିଲାଦିନୁ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲି। ଏହି ଲକ୍ଷ୍ୟସ୍ଥଳରେ ପହଞ୍ଚବା ପାଇଁ ତାଙ୍କ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା।
‘ଲକ୍ଷ୍ୟକୁ ହାସଲ ନକରିବା ପର୍ଯ୍ୟନ୍ତ ଅଟକିବିନି ବୋଲି ମନରେ ଦୃଢ ସଂକଳ୍ପ ନେଇଥିଲି। ଯେଉଁଥିରେ ମୁଁ ସଫଳ ହେଲି ବୋଲି ମାୟା କହିଛନ୍ତି।’

ନକ୍ସଲ ପ୍ରବଣ ଅଂଚଳରୁ ଜଣେ ଛାତ୍ରୀ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୌରବାନ୍ଵିତ କରିଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ସମ୍ବନ୍ଧିତ ଖବର