ବଲାଙ୍ଗୀର : ଚାରିଆଡ଼େ ରଙ୍ଗର ପର୍ବ ହୋଲି ଧୁମ୍ଧାମ୍ରେ ପାଳନ କରୁଥିବା ବେଳେ ବଲାଙ୍ଗୀର ସହରରେ ପ୍ରେମିକା ରକ୍ତରେ ହୋଲି ଖେଳିଛି ପ୍ରେମିକ। ପ୍ରେମିକର ଛୁରିମାଡ଼ରେ ପ୍ରେମିକା ଗୁରୁତର ଆହତ ହୋଇଛି। ଏବେ ସେ ଡାକ୍ତରଖାନା ଶଯ୍ୟାରେ ଜୀବନ ସହ ସଂଗ୍ରାମ କରୁଛି।
ସଦେଇପାଲି ଗାଁର ଦାସ ବାଗ ଡ୍ରାଇଭର ଭାବେ କାମ କରନ୍ତି। ଇତିମଧ୍ୟରେ ଚଟିଆପାଲି ଗାଁର ଜଣେ ଝିଅ ସହିତ ତାଙ୍କ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଦାସ ବିବାହିତ ଜାଣି ମଧ୍ୟ ତାଙ୍କ ସହିତ ପ୍ରେମ ସମ୍ପର୍କ ରଖୁଥିଲେ ପ୍ରେମିକା ଜଣକ। କନ୍ଧପାଲିପଡ଼ା ପୋଖରୀ ନିକଟରେ ଲୁଚାଛପା ଦୁହେଁ ଭେଟ ହେଉଥିଲେ। ବୁଧବାର ମଧ୍ୟ ଉଭୟେ ଭେଟ ହୋଇଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ହଠାତ୍ ରାଗିଯାଇ ପ୍ରେମିକ ଏକ ଛୁରିରେ ପ୍ରେମିକାଙ୍କୁ ବାରମ୍ବାର ଆଘାତ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାଙ୍କୁ ଛାଡ଼ି ଫେରାର ମାରିଥିଲେ ପ୍ରେମିକ। ପୁଲିସ ଖବର ପାଇ ଗୁରୁତର ପ୍ରେମିକାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପ୍ରେମିକା ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଫେରାର୍ ପ୍ରେମିକ ଦାସ ବାଗଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି।