ଅନୁଗୁଳରେ ଉତ୍କଟ କନ୍ୟା ସଂକଟ! ହଜାରେ ପୁଅରେ ଜନ୍ମ ହେଉଛନ୍ତି ୮୬୮ଝିଅ

ବିପଦ ସଂକେତ ଦେଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ
‘ବିଜୁ କନ୍ୟାରତ୍ନ ଯୋଜନା’ରୁ ଫାଇଦା ନୋହିଲା

ଅନୁଗୁଳ,(ବିକାଶ ଚନ୍ଦ୍ର ସାହୁ): ଅନୁଗୁଳ ଜିଲ୍ଲାରେ କେବଳ ବାଲ୍ୟ ବିବାହ ବଢ଼ିଛି ତାହା ନୁହେଁ, ଝିଅଙ୍କ ଜନ୍ମସଂଖ୍ୟା ବି ତଳକୁ ଖସିଛି। ୨୦୧୧ ଜନଗଣନା ଅନୁସାରେ, ଅନୁଗୁଳ ଜିଲ୍ଲାରେ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ଥିଲା ୮୮୯। ଯାହା ବେଶ୍ ଚିନ୍ତାଜନକ। ଏବେ ଏ ସଂଖ୍ୟା ଆହୁରି ତଳକୁ ଖସି ୮୬୮କୁ ଆସିଛି। ଅର୍ଥାତ୍‌ ଗଲା ୫ବର୍ଷ ଭିତରେ ଅନୁଗୁଳ ଜିଲ୍ଲାରେ ଯଦି ହଜାରେ ପୁଅ ଜନ୍ମ ହୋଇଛନ୍ତି, ତା’ ତୁଳନାରେ ୮୬୮ ଜଣ ଝିଅ ଜନ୍ମ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିକଟରେ ପ୍ରକାଶିତ ନ୍ୟାସ୍‌ନାଲ୍‌ ଫାମିଲି ହେଲ୍‌ଥ ସର୍ଭେ-୫ର ଏ ରିପୋର୍ଟ କେବଳ ଜିଲ୍ଲାର ବିପଦପୂର୍ଣ୍ଣ ସାମାଜିକ ଅସନ୍ତୁଳନକୁ ସୂଚାଉ ନାହିଁ, ବରଂ ପୁଅ-ଝିଅଙ୍କ ମଧ୍ୟରେ ଦଶନ୍ଧି ତଳୁ ଆରମ୍ଭ ହୋଇଥିବା ଲିଙ୍ଗଗତ ବୈଷ୍ୟମ୍ୟତା ଦୂର ପାଇଁ ଅନୁଗୁଳ ଜିଲ୍ଲାରେ ସରକାର ଯେଉଁ ‘ବିଜୁ କନ୍ୟାରତ୍ନ ଯୋଜନା’ ଆରମ୍ଭ କରିଥିଲେ, ତାହାର ବିଫଳତା ଜଳଜଳ ଦିଶୁଛି।

ବିଜୁ କନ୍ୟାରତ୍ନ ଯୋଜନା ଆରମ୍ଭ ହୋଇଥିଲା ୨୦୧୬ମସିହାରେ। ୨୦୧୧ ମସିହା ଜନଗଣନା ରିପୋର୍ଟ ଲିଙ୍ଗଗତ ବୈଷ୍ୟମତାର ସାଂଘାତିକ ସ୍ଥିତିକୁ ପଦାକୁ ଆଣିଥିଲା। ରାଜ୍ୟର ଅନୁଗୁଳ ସମେତ ଗଞ୍ଜାମ, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ଦେଖା ଦେଇଥିଲା ଝିଅଙ୍କ ସଂକଟ। ଅନୁଗୁଳ ଜିଲ୍ଲାରେ ପ୍ରତି ହଜାରେ ପୁଅରେ ଝିଅ ସଂଖ୍ୟା ୮୮୯ବୋଲି ରିପୋର୍ଟ ସ୍ପଷ୍ଟ କରିଥିଲା। ତେଣୁ, ନୟାଗଡ଼ ଜିଲ୍ଲାକୁ ସରକାର କେନ୍ଦ୍ର ସରକାରଙ୍କର ବେଟି ବଚାଓ, ବେଟି ପଢ଼ାଓ ଯୋଜନାରେ ସାମିଲ୍ କଲେ। ଅବଶିଷ୍ଟ ଅନୁଗୁଳ ସମେତ ମୋଟ୍ ତିନୋଟି ଜିଲ୍ଲାରେ ୨୦୧୬ମସିହାରେ ଆରମ୍ଭ ହେଲା ‘ବିଜୁ କନ୍ୟାରତ୍ନ’ ଯୋଜନା। ଉଦ୍ଦେଶ୍ୟ ଥିଲା, ଜିଲ୍ଲାରେ କନ୍ୟା ଜନ୍ମହାରକୁ ପ୍ରୋତ୍ସାହିତ କରିବା। ଜନସଚେତନତା ସୃଷ୍ଟି କରିବା। ସେଥିପାଇଁ ସରକାର ତିନି ବର୍ଷିୟା ଯୋଜନା କଲେ। ତିନି କୋଟିର ପାଣ୍ଠି ବ୍ୟବସ୍ଥା ବି ହେଲା। କିନ୍ତୁ, ଯୋଜନାର ୫ବର୍ଷ ପରେ ବି ଜିଲ୍ଲାର କନ୍ୟା ସଂକଟ ସ୍ଥିତି ସୁଧୁରିନି।

thewire.in

ନ୍ୟାସ୍‌ନାଲ୍‌ ଫାମିଲି ହେଲ୍‌ଥ ସର୍ଭେ-୫ ରିପୋର୍ଟ ଏହା ସ୍ପଷ୍ଟ କରୁଛି। ରିପୋର୍ଟ କହୁଛି, ୨୦୧୫-୧୬ ସମୟରେ ଅନୁଗୁଳ ଜିଲ୍ଲାରେ ପ୍ରତି ହଜାରେ ପୁଅରେ ଝିଅଙ୍କ ଜନ୍ମ ସଂଖ୍ୟା ଥିଲା ୮୭୯। ୨୦୧୯-୨୧ ସର୍ଭେରେ ଏ ସଂଖ୍ୟା ଆହୁରି ତଳମୁହାଁ ହୋଇଛି। ଗଲା ୫ବର୍ଷ ଭିତରେ ଅନୁଗୁଳ ଜିଲ୍ଲାରେ ପ୍ରତି ହଜାରେ ପୁଅରେ ଝିଅ ସଂଖ୍ୟା ୮୬୮କୁ ଚାଲି ଆସିଛି। ୨୦୧୧ ଜନଗଣନା ସମୟରେ ପ୍ରତି ହଜାରେ ପୁଅରେ ୧୧୧ ଝିଅ କମ୍‌ ଜନ୍ମ ହୋଇଥିଲେ। ଏବେ ତାହା ୧୩୨କୁ ବଢ଼ି ଯାଇଛି।

ଏ ଲିଙ୍ଗଗତ ବୈଷ୍ୟମତାକୁ ଦୂର କରିବା ପାଇଁ ଅନୁଗୁଳ ଜିଲ୍ଲାରେ ‘ବିଜୁ କନ୍ୟାରତ୍ନ ଯୋଜନା’ ଆରମ୍ଭ ହୋଇଥିଲା। ଜିଲ୍ଲାରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ, ଫଳ କଣ ହେଲା? ନୂଆ ଯୋଜନା ସତ୍ତ୍ବେ ଜିଲ୍ଲାରେ କନ୍ୟା ସଂକଟ ଆହୁରି ଆହୁରି ଶୋଚନୀୟ ହୋଇ ପଡ଼ିଥିବାରୁ ବିଜୁ କନ୍ୟାରତ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ସ୍ବାଭାବିକ ଭାବେ ଏ ପ୍ରଶ୍ନ ଉଠିଛି। ଜିଲ୍ଲାକୁ ସରକାର ଦେଇଥିବା ପାଣ୍ଠିରେ କନ୍ୟାରତ୍ନଙ୍କ ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଗଲା ନା ସଚେତନତା ନାଁରେ ଅର୍ଥ ଚଳୁ କରି ଦିଆଗଲା? ତାକୁ ନେଇ ସନ୍ଦେହ ଉଠିଛି।

ସମ୍ବନ୍ଧିତ ଖବର