ପୁରୀ : ଶ୍ରୀମନ୍ଦିର ଭିତରେ ସୋମବାର ଦିନ ଅଭାବନୀୟ ଘଟଣା ଘଟିଛି। ସ୍ନାନମଣ୍ଡପ ସମ୍ମୁଖରେ ଥିବା ବାରିକେଡ୍ରେ ସୋମବାର ଦିନ ଜଣେ ନାବାଳିକାଙ୍କ ମୁଣ୍ଡ ପଶିଯିବାରୁ ସେ ଘଣ୍ଟାଏ ଧରି କଲବଲ ହୋଇଛନ୍ତି। ପରେ ବାରିକେଡ୍ ଲୁହାକୁ କାଟି ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ କୋରାପୁଟ ଜିଲ୍ଲା ଜୟପୁରର କମଳ ଲୋଚନ ନାୟକଙ୍କ ଝିଅ ପ୍ରିୟାଂଶୀ ନାୟକ(୭)।
ମିଳିଥିବା ସୂଚନା ମୁତାବକ, ସୋମବାର ଦିନ ପ୍ରିୟଂଶୀ ପରିବାର ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ। ମହାପ୍ରସାଦ ଖାଇବା ପରେ ସ୍ନାନମଣ୍ଡପଠାରେ ପରିବାର ସହ ଖେଳୁଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ପ୍ରିଂୟାଶୀ ହଠାତ୍ ବାରକେଡ୍ରେ ମୁଣ୍ଡ ଭର୍ତ୍ତି କରି ଦେଇଥିଲେ। ପରେ ଜେଟିପି ଓ ପୁଲିସ ପହଞ୍ଚି ବହୁସମୟ ଧରି ପ୍ରିୟାଂଶୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ନ ହେବାରୁ ଅଗ୍ନିଶମ ବିଭାଗର ସହଯୋଗ ଲୋଡ଼ାଯାଇଥିଲା। ପରେ ଅଗ୍ନିଶମ କାର୍ଯ୍ୟାଳୟର ଆଗ୍ନିକମାନେ ବାରିକେଡ୍କୁ କଟରରେ କାଟି ପ୍ରିୟାଂଶୀଙ୍କ ମୁଣ୍ଡ ବାହାର କରିଥିଲେ। ବର୍ଷକ ତଳେ ବି ସମାନ ଘଟଣା ଘଟିଥିଲା। ବାଲେଶ୍ବରରୁ ପରିବାର ସହ ଆସିଥିବା ଜଣେ ନାବାଳକ ଉତ୍ତରଦ୍ବାର ଜୋତାଷ୍ଟାଣ୍ଡ୍ଠାରେ ଥିବା ବାରିକେଡ୍ରେ ମୁଣ୍ଡ ଭର୍ତ୍ତି କରି ଦେଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଧରି ଅକ୍ଳାନ୍ତ ପରିଶ୍ରମ ଓ କଟରରେ ବାରିକେଡ୍ କାଟିବା ପରେ ନାବାଳକର ମୁଣ୍ଡ ବାରିକେଡ୍ରୁ ବାହାରିଥିଲା।