ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାବେରୀ ଛାତ୍ରୀ ନିବାସର ଟଏଲେଟ୍‌ କମ୍ପ୍ଲେକ୍ସ ସହ ଏକ ବିରାଟ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣା ସମୟରେ ଛାତ୍ରୀମାନେ ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ସମସ୍ତ ଛାତ୍ରୀଙ୍କୁ ଚିଲିକା ଛାତ୍ରୀ ନିବାସର ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରୀନିବାସର ଶୋଚନୀୟ ଅବସ୍ଥା ନେଇ ଛାତ୍ରୀମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଶୁଣିନାହାନ୍ତି। ଫଳରେ, ଏହିଭଳି ଏକ ଅଘଟଣ ଘଟିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

Advertisment

ଭଞ୍ଜବିହାର ସାବେରୀ ଛାତ୍ରୀ ନିବାସ ୧୮୮୯ ଡିସେମ୍ବର ୨୩ତାରିଖରେ ସ୍ଥାପିତ ହୋଇଥିଲା। ଏଥିରେ ୪୦ଟି ରୁମ ରହିଥିବା ବେଳେ ୧୧୧ଜଣ ଛାତ୍ରୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ଛାତ୍ରୀ ନିବାସରେ ୧୦୪ ଅନ୍ତେବାସୀ ଥିବାବେଳେ ଅଧିକାଂଶ ଛାତ୍ରୀ କ୍ଲାସ୍‌ କରିବାକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଛାତ୍ରୀ ନିବାସର ଟଏଲେଟ୍‌ କମ୍ପ୍ଲେକ୍ସ ଛାତରୁ ସିମେଣ୍ଟ ପଲସ୍ତରା ଖସୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ହ‌ଷ୍ଟେଲରେ ଇଲେକ୍ଟ୍ରିକ୍‌ କାମ କରୁଥିବା ଜଣେ କର୍ମଚାରୀ ଏହା ଦେଖି ବାଥ୍‌ରୁମରେ ଥିବା ଛାତ୍ରୀ ଜଣଙ୍କୁ ପାଟି କରି ଡାକିଥିଲେ। ତାଙ୍କର ପାଟି ଶୁଣି ଛାତ୍ରୀ ଜଣକ ବାଥରୁମ୍‌ରୁ ବାହାରି ଆସିଥିଲେ। ଏହାର କିଛି ସମୟ ପରେ ଟଏଲେଟ୍‌ କମ୍ପ୍ଲେକ୍ସ ଭୁଶୁଡ଼ି ପଡ଼ିଥିଲା। ଛାତ୍ରୀ ନିବାସ ସଂଲଗ୍ନ ୩ ମହଲାର ଟଏଲେଟ୍‌ କମ୍ପ୍ଲେକ୍ସର ପ୍ରାୟ ୧୫ରୁ ଊର୍ଦ୍ଧ୍ବ ରୁମ୍‌ର କାନ୍ଥ, ଛାତ ଧଡ୍‌ଧାଡ୍‌ ହୋଇ ପଡ଼ିଯାଇଥିଲା।

ଏହି ଘଟଣା ପ୍ରଚାରିତ ହେବା ପରେ କ୍ଲାସ୍‌ କରୁଥିବା ଛାତ୍ରୀମାନେ ସେଠାରେ ପହଞ୍ଚିଥିଲେ। ସେହିପରି ବିଶ୍ବବିଦ୍ୟାଳୟ କୁଳସଚିବ ରଂଜନ କୁମାର ବିଶ୍ବାଳ, ଭାରପ୍ରାପ୍ତ କୁଳପତି ଅରୁନ୍ଧତୀ ରଥ, ହ‌େ‌ଷ୍ଟଲ ୱାର୍ଡେନ୍‌ ପ୍ରଫେସର ଭାଗିରଥୀ ପାଣିଗ୍ରାହୀ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ ପୁଷ୍ପାଞ୍ଜଳି ସାମନ୍ତରାୟ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତୁରନ୍ତ ସେହି ଛାତ୍ରୀ ନିବାସରୁ ଅନ୍ତେବାସୀମାନଙ୍କୁ ବାହାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

କୁଳସଚିବ ଶ୍ରୀ ବିଶ୍ବାଳ କହନ୍ତି, ସମସ୍ତ ଛାତ୍ରୀ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି। ବିଶ୍ବବିଦ୍ୟାଳୟ ଉନ୍ନୟନ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ସେହି ରିପୋର୍ଟକୁ ଭିତ୍ତି କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଗତ ୩ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟକୁ ରୁଷା ଓ ରାଜ୍ୟ ସରକାରଙ୍କ ଅନୁଦାନରୁ ପ୍ରାୟ ୩୦କୋଟି ଟଙ୍କା ମିଳିଛି। ଏହି ଟଙ୍କାରେ ନୂତନ କୋଠା ନିର୍ମାଣ ସହିତ ପୁରୁଣା କୋଠାର ମରାମତି ଓ ପୁନରୁଦ୍ଧାର କାମ କରାଯିବା କଥା। ହେଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ନୂତନ କୋଠା ତିଆରି କରି ପୁରୁଣା କୋଠାର ମରାମତି ଦିଗରେ ଅବହେଳା କରିଛନ୍ତି। ଯାହାକି ଆଜିର ଘଟଣାର ସ୍ପଷ୍ଟ ହୋଇଯାଇଛି ବୋଲି ଛାତ୍ରୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି।