କେତେ ସୁରକ୍ଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ରହିଥିବା ଛାତ୍ରୀ ନିବାସ?

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ରହିଥିବା ଛାତ୍ରୀ ନିବାସଗୁଡିକ କେତେ ସୁରକ୍ଷିତ ରହିଛି ବୋଲି ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଜିଲ୍ଲାରେ ରହିଥିବା ୯୩ଟି ପ୍ରାଥମିକ ଛାତ୍ରୀ ନିବାସ ଏବଂ ହାଇସ୍କୁଲସ୍ତରରେ ରହିଥିବା ୯ଟି ଛାତ୍ରୀ ନିବାସ ପରିଚାଳନାର ତଦାରଖ କିପରି କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ବିଶେଷକରି ଛାତ୍ରୀ ନିବାସ ପାଇଁ ତିନିରୁ ଚାରିସ୍ତରୀୟ ତଦାରଖ ପାଇଁ କର୍ତ୍ତୃପକ୍ଷ ରହିଛନ୍ତି। ସେମାନଙ୍କର ପ୍ରତ୍ୟେକ ସମସ୍ୟାକୁ ସମାଧାନ କରିବା ପାଇଁ ମହିଳା ୱାର୍ଡେନ ରହିଛନ୍ତି। ତେବେ ମହିଳା ୱାର୍ଡେନମାନେ ଛାତ୍ରୀମାନଙ୍କର କିପରି ରକ୍ଷଣା ବେକ୍ଷଣ କରୁଛନ୍ତି ତାହା ଏବେ ସନ୍ଦେହ ଘେରକୁ ଆସିଛି। ବିଶେଷକରି ଶାରିରୀକ ସ୍ତରରେ ଛାତ୍ରୀମାନଙ୍କର ଅଧିକ ସମସ୍ୟା ରହିଥାଏ। ତେଣୁ ମହିଳା ୱାର୍ଡେନ କିମ୍ବା ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀମାନେ ଏହାର ସମାଧାନ କରିଥାନ୍ତି। କିନ୍ତୁ ଛାତ୍ରୀ ନିବାସରେ ପୁରୁଷମାନଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ସେମାନଙ୍କ ଯତ୍ନ ଏବଂ ସୁରକ୍ଷା ଦିଗରେ ସରକାର ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଆଶ୍ରମଗୁଡିକରେ ଦାୟିତ୍ୱରେ ରହିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ କିଭଳି ଭାବେ ଖାଦ୍ୟ ପ୍ରଦାନ କରୁଛନ୍ତି, ସେମାନଙ୍କର ଯତ୍ନ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସଂପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ନିୟମିତ ଯାଞ୍ଚ କରିବା ଉଚିତ। କିନ୍ତୁ ଭିତିରିଆ ସଲାସୁତରାରେ ଜିଲ୍ଲାର ପ୍ରାୟତଃ ହୋଷ୍ଟେଲ ଗୁଡିକ ଚାଲିଥିବା ଅଭିଯୋଗ ହୋଇ ଆସୁଛି। ତେଣୁ ପ୍ରତ୍ୟେକ ମାସରେ ସେଗୁଡିକର ତଦାରଖ କରାଯାଉ ନାହିଁ। ତେବେ ଗତକାଲିର ଘଟଣା ପରେ ଯଦି ଜିଲ୍ଲା ପ୍ରଶାସନ ଏବଂ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଏହାର ପୁନରାବୃତ୍ତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ୯୩ଟି ପ୍ରାଥମିକ ସ୍ତରରେ ରହିଥିବା ହୋଷ୍ଟଲଗୁଡିକର ଅବସ୍ଥା ନକହିବା ଭଲ। ଏହି ଛାତ୍ରାବାସଗୁଡିକରେ ପିଲାମାନେ କେତେ ଦୟନୀୟ ଅବସ୍ଥାରେ ରହୁଛନ୍ତି ତାହା ବିଭାଗୀୟ କର୍ତ୍ତୃପକ୍ଷ ଜାଣି ବି ଅଜଣା ରହିବାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି। ଏଭଳି ଘଟଣା ବହୁ ବିଦ୍ୟାଳୟରେ ଘଟୁଥିଲେ ମଧ୍ୟ ଭୟରେ କିମ୍ବା ନିନ୍ଦା ଅପବାଦରେ ଏହାକୁ ଚପାଇ ଦିଆଯାଉଛି। ମାନସିକର ପରିବର୍ତ୍ତନ ନହେଲେ ଏହା ଥମିବା ମୁସକିଲ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର