ଆତ୍ମନିର୍ଭରଶୀଳ ହେବାର ମାନସିକତା ଝିଅଙ୍କ ଭିତରେ ରହୁ: ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ କୁଳସଚିବ

ବାଲେଶ୍ବର: ବିଡିଓରୁ ବିଶ୍ବବିଦ୍ୟାଳୟ କୁଳସଚିବ…ସବୁଠି ତାଙ୍କ ପ୍ରାଶାସନିକ ଦକ୍ଷତାର ଛାପ। ମହିଳା ସଶକ୍ତୀକରଣର ବାର୍ତ୍ତାବହ ମଧ୍ୟ। ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ସାଙ୍ଗକୁ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ତାଙ୍କର ଅନ୍ୟ ଏକ ବିଶେଷ ପରିଚୟ। ପ୍ରାଶାସନିକ ଭଳି ସମ୍ବେଦନଶୀଳ କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ବକୁ ସେ ଠିକଣା ଢଙ୍ଗରେ ରୂପାୟନ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବନି। ସଂପ୍ରତି ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ ଅବସ୍ଥାପିତ ଥିବା ୨୦୧୦ ବ୍ୟାଚ୍‌ର ଏହି ମହିଳା ଓଏଏସ୍‌ ଅଫିସର ହେଲେ କୁକୁମିନା ଦାସ। ‘ଅନ୍ତରର ଖୋଲା କଥା’ ସ୍ତମ୍ଭରେ ଶ୍ରୀମତୀ ଦାସ ତାଙ୍କ ପାଠପଢ଼ାଠୁ ଆରମ୍ଭ କରି କର୍ମମୟ ଜୀବନ ସଂପର୍କରେ ନିଜର ଅଭୁଲା ସ୍ମୃତି ବଖାଣିଛନ୍ତି। ତାଙ୍କୁ ଭେଟିଥିଲେ ‘ସମ୍ବାଦ’ ସହର ପ୍ରତିନିଧି କବିତା ପାତ୍ର।

ଅଳ୍ପରେ କୁକୁମିନା ଦାସ

ଜନ୍ମ: ନଭେମ୍ବର ୨୫, ୧୯୭୭
୨୦୧୦ ବ୍ୟାଚ୍‌ ଓଏଏସ୍‌
ଘର: ବାରିପଦା ବଡ଼ବଜାର
ସ୍ବାମୀ: ସୁକାନ୍ତ କୁମାର ଜେନା
ବରିଷ୍ଠ ପଦାଧିକାରୀ,ଏଫ୍‌ସିଆଇ

ମୟୂରଭଞ୍ଜ ଜିଲ୍ଲା ବାରିପଦା ବଡ଼ବଜାରରେ ଆମ ଘର। ବାପା ଡ.ଶ୍ୟାମସୁନ୍ଦର ଦାସ ବାରିପଦା ଶ୍ରୀମା କଲେଜରୁ ଅଧ୍ୟକ୍ଷ ଭାବେ ଅବସର ନେଇଥିବା ବେଳେ ମା’ ସନ୍ଧ୍ୟା ଦାସ ଗୃହିଣୀ। ମୋର ଦୁଇ ସାନଭାଇ ସଫ୍ଟୱେର୍‌ କମ୍ପାନିରେ ଚାକିରି କରିଛନ୍ତି। ବାପା, ମା’ଙ୍କ ସ୍ନେହ ଆଉ ଅନୁଶାସନ ଭିତରେ ଆମେ ତିନି ଭାଇଭଉଣୀ ଶୃଙ୍ଖଳିତ ଜୀବନ ଅତିବାହିତ କରିଆସୁଛୁ। ମେଧାବୀ ଛାତ୍ରୀ ନଥିଲେ ମଧ୍ୟ ମୁଁ ସବୁବେଳେ ଶ୍ରେଷ୍ଠ ଦେବା ପାଇଁ ପରିଶ୍ରମ କରେ। ବାରିପଦା ଶ୍ରୀଅରବିନ୍ଦ ସେଣ୍ଟର ଅଫ୍‌ ଇଣ୍ଟିଗ୍ରାଲ ଏଜୁକେସନ୍‌ରୁ ମାଟ୍ରିକ୍‌,ଏମ୍‌ପିସି କଲେଜରୁ ଯୁକ୍ତ ତିନି କଳା ଓ ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାରରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପାଇଁ ପ୍ରସ୍ତୁତି ଆରମ୍ଭ କଲି। ୨୦୧୦ ମସିହା ଓଏଏସ୍‌ ପରୀକ୍ଷାରେ ମୋର ରାଙ୍କ୍‌ ଥିଲା ୨୪। ବର୍ଷେ ତାଲିମ୍ ପରେ ୨୦୧୧ରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ତହସିଲଦାର ଭାବେ ମୋର ପ୍ରଥମ ପୋଷ୍ଟିଂ ହୋଇଥିଲା। ପରେ ୨୦୧୨ରେ କେନ୍ଦୁଝର ଚମ୍ପୁଆରେ ବିଡିଓ, ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ବାଙ୍ଗରିପୋଷି ବିଡିଓ, ୨୦୧୮‌ରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକରେ ବିଡିଓ ଓ ୨୦୨୧ରୁ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ କାମ କରୁଛି।

ମୁଁ ବଡ଼ ଅଫିସରଟିଏ ହୁଏ ବୋଲି ବାପାଙ୍କର ସ୍ବପ୍ନ ଥିଲା। କିନ୍ତୁ ମୁଁ ତାଙ୍କର ଏହି ସ୍ବପ୍ନ ପୂରଣ କରିପାରିବି କି ନାହିଁ ଡରୁଥିଲି। ୨ ପୁଅଙ୍କ ଅପେକ୍ଷା ବାପା ମୋଠାରୁ ଅଧିକ ଆଶା ରଖୁଥିଲେ। ହୁଏତ ଏହି କାରଣ ପାଇଁ ମୋର ଲକ୍ଷ୍ୟପଥ ବଦଳିଗଲା। ବାପା ମୋ ଜୀବନର ସବୁଠୁ ବଡ଼ ପ୍ରେରଣା। ସମାଜରେ ଝିଅପୁଅଙ୍କ ଭିତରେ ଥିବା ପ୍ରଭେଦକୁ ସେ କେବେ ମତେ ଅନୁଭବ କରିବାକୁ ଦେଇନାହାନ୍ତି। ଯେତେ ବ୍ଲକରେ କାମ କରିଛି, ସବୁଠୁ ଅଧିକ ଚ୍ୟାଲେଞ୍ଜ ଥିଲା ବସ୍ତା ବ୍ଲକରେ। ଦୁଇଟି ନିର୍ବାଚନ ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ମୋ‌ ପ୍ରାଶାସନିକ କ୍ୟାରିୟରରେ ବଡ଼ ଆହ୍ବାନ ଥିଲା। ‌କାମ କରିବା ବ‌େଳେ ଲୋକଙ୍କର ବହୁତ ଭଲ ପାଇବା ଓ ସ୍ନେହ ମିଳିଛି। ବାଙ୍ଗରିପୋଷିରେ ଥିବା ବେଳେ ଜଣେ ବୃଦ୍ଧା ମତେ ଭେଟିବାକୁ ଆସିଥିଲେ। ମୁଁ ଭାବିଲି ସମସ୍ୟା ବାବଦରେ ସେ କିଛି କହିବାକୁ ଆସିଛନ୍ତି। ହେଲେ ତାଙ୍କ ସମସ୍ୟା ସବୁ ଦୂର କରିଦେଇଥିବାରୁ ସେ ମୋ ପାଇଁ ଗୋଟିଏ କୁକୁଡ଼ା ନେଇ ଆସିଥିଲେ। ମତେ ବହୁତ ବାଧ୍ୟ କରିଥିଲେ, ଝିଅ ତୁ ଏଇ କୁକୁଡ଼ା ନିଶ୍ଚିତ ନେବୁ। ତାଙ୍କର ସରଳତା ଓ ଭଲପାଇବା ଆଜି ବି ମନେ ପଡ଼େ। ୨୦୧୨ ମସିହାରେ ବାପା, ମା’ଙ୍କ ପସନ୍ଦ କ୍ରମେ ଜଗତସିଂହପୁର ଜିଲ୍ଲାର ସ୍ବର୍ଗତ କୈଳାସ ଚନ୍ଦ୍ର ଜେନା ଓ ସାରଳାବାଳା ଜେନାଙ୍କ ପୁଅ ସୁକାନ୍ତ କୁମାର ଜେନାଙ୍କୁ ବିବାହ କଲି। ସ୍ବାମୀ ଏବେ କେରଳ ରାଜ୍ୟର କଲ୍ଲଡ୍‌ରେ ଭାରତୀୟ ଖାଦ୍ୟ ନିଗମରେ ସିନିୟର ମ୍ୟାନେଜର ଅଛନ୍ତି। ମୋର ୭ ବର୍ଷର ଝିଅ ଅନ୍‌ଭିସିଖି କ୍ଲାସ୍ ୩ରେ ପଢ଼ୁଛି। ଶାଶୂ ଘର ବଡ଼ ପରିବାର। ଚାକିରି ପାଇଁ ପରିବାରକୁ ସମୟ ଦେଇପାରେ ନାହିଁ। ବାପଘର ଓ ଶାଶୂଘରୁ ଯଥେଷ୍ଟ ସହଯୋଗ ମିଳିଛି। ଦୂରରେ ଥିଲେ ବି ସ୍ବାମୀ ପରିବାରକୁ ସମ୍ଭାଳି ନେଇଯାଆନ୍ତି।

ଗୀତ ଗାଇବାକୁ ମୁଁ ବହୁତ ଭଲ ପାଏ। ଏବେ ମୁଁ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଅଧୀନ ବାରିପଦା ହରିହର କଳାମନ୍ଦିରରେ ଗୀତ ଶିଖିବା ପାଇଁ ଦୁଇ ବର୍ଷ ହେଲା ନାମ ଲେଖାଇଛି। କରୋନା ପ୍ରଥମ ଲହରରେ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୋର ଏକ ଗୀତ ବି ରେକର୍ଡିଂ ହୋଇଛି। ଅନୁରାଧା ପୌଡ଼ୱାଲ ମୋ ପସନ୍ଦର ଗାୟିକା, ସରୋଜିନୀ ନାଇଡ଼ୁ ମୋର ଆଦର୍ଶ। ମୁଁ ଶାକାହାରୀ। ତେଣୁ ଖାଇବାରେ ପସନ୍ଦ, ଅପସନ୍ଦ କିଛି ନାହିଁ। ଭୋର୍‌ ୫.୩୦ରୁ ଉଠେ। ଘଣ୍ଟାଏ ପ୍ରାତଃଭ୍ରମଣ କରିବା ପରେ ବିଶ୍ବବିଦ୍ୟାଳୟକୁ ବାହାରିଆସିଥାଏ। ଘରକୁ ଫେରିବା ବେଳକୁ ସନ୍ଧ୍ୟା ୮ ହୋଇଯାଏ। କିଛି ସମୟ ଗୀତ ଅଭ୍ୟାସ କରେ ଓ ଝିଅ ସହ ପରିବାରକୁ ସମୟ ଦିଏ। ମୋ ମା’ ରୋ‌ଷେଇ କରିଦିଅନ୍ତି। ତେଣୁ ଘର କାମ ପ୍ରାୟ ମତେ କରିବାକୁ ପଡ଼େ ନାହିଁ। ଜଣେ ମହିଳା ହିସାବରେ ଅନ୍ୟ ମହିଳାମାନଙ୍କୁ ମୋର ଗୋଟିଏ ପରାମର୍ଶ। ଝିଅମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଯୋଗ୍ୟତା ହାସଲ କରିବା ଉଚିତ। ଏଥିପାଇଁ ବାପାମା’ଙ୍କର ମାନସିକତା ରହିବା ମଧ୍ୟ ଜରୁରି।

ସମ୍ବନ୍ଧିତ ଖବର