ସମ୍ବଲପୁର : ଖଦିରେ ତିଆରି କରୁଛନ୍ତି ମାସ୍କ, ଜୀବନ ଜିଇଁବାର ରାହା ପାଇଛନ୍ତି ୬ ଯୁବତୀ

ସମ୍ବଲପୁର : ବର୍ତ୍ତମାନ ସାରା ବିଶ୍ବ କରୋନା ଭୂତାଣୁକୁ ନେଇ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏହାରି ଭିତରେ ଜୀବନ ଜିଇଁବାର ରାହା ଖୋଜି ପାଇଛନ୍ତି ୬ ଜଣ ଯୁବତୀ। ସେମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ବା ପଛୁଆ ବର୍ଗର। ନିକଟରେ ନେଇଥିବା ତାଲିମକୁ ଆଧାର କରି ସେମାନେ ଆରମ୍ଭ କରିଛନ୍ତି ମାସ୍କ ସିଲେଇ କାର୍ଯ୍ୟ। ସଂପୂର୍ଣ୍ଣ ଖଦି କନାରେ ଇଲାଷ୍ଟିକ୍ ଲଗାଇ ସେମାନେ ମାସ୍କ ତିଆରି କରୁଛନ୍ତି। ବର୍ତ୍ତମାନ କୋଭିଡ୍-୧୯ ଭୂତାଣୁ ଆତଙ୍କ ‌େଯାଗୁଁ ବଜାରରେ ମାସ୍କ୍‌ର ନାହିଁ ନଥିବା ଚାହିଦା ଥିଲାବେଳେ ସେମାନେ ଏହାକୁ କମ୍ ଦରରେ ବିକ୍ରି କରି ଅର୍ଥ ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବଲପୁର ଜିଲ୍ଲା ରେଂଗାଲି ବ୍ଲକ୍‌ ଅନ୍ତର୍ଗତ ତଲାବିରାଠାରେ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନି ଏନ୍‌ଏଲ୍‌ସିର ଖଣି କାର୍ଯ୍ୟ ଯୋଗୁଁ ବିସ୍ଥାପିତ ହେବେ ବୁଧିଆପାଲି ଓ ଖିଣ୍ଡା ଗ୍ରାମବାସୀ। ଏହି ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀଙ୍କ ପାଇଁ ଏନ୍‌ଏଲ୍‌ସି ପକ୍ଷରୁ ଲାଣ୍ଡୁପାଲିରେ ନିର୍ମାଣ ହେଉଛି ପୁନର୍ବାସ ଓ ଥଇଥାନ କଲୋନି। ଉକ୍ତ ଦୁଇ ଗ୍ରାମର କିଛି ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏନ୍‌ଏଲ୍‌ସି ପକ୍ଷରୁ ରାଉରକେଲାସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରକୁ ପଠା ଯାଇଥିଲା। ଉକ୍ତ ଯୁବତୀମାନେ ସେଠାରେ ୪୫ ଦିନ ଧରି ସିଲେଇ ତାଲିମ ନେଇଥିଲେ। ସେଠାରୁ ଫେରିବା ପରେ ବର୍ତ୍ତମାନ କମ୍ପାନି ସେମାନଙ୍କୁ ୬ଟି ବିଦ୍ୟୁତ୍‌ ଚାଳିତ ସିଲେଇ ମେସିନ୍‌ ପ୍ରଦାନ କରିଛି। ଏକା ସାଂଗରେ ବହୁ ପରିମାଣର କନା କାଟିବା ପାଇଁ ଏକ ବିଦ୍ୟୁତ୍ ଚାଳିତ କଟର୍‌ କିଣା ହୋଇଛି। ଲାଣ୍ଡୁପାଲିସ୍ଥିତ ପୁନର୍ବାସ କଲୋନିର ଏକ ଗୃହରେ ଏହି ଯୁବତୀମାନେ ଗୁରୁବାରଠାରୁ ମାସ୍କ ସିଲେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥି ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଲାଗିବାକୁ ଥିବା କନା, ଇଲାଷ୍ଟିକ୍, ସୂତା ଆଦି ସାମଗ୍ରୀ କମ୍ପାନି ପକ୍ଷରୁ ଯୋଗାଇ ଦିଆଯାଇଛି।

ନୂଆ କାମ ଆରମ୍ଭ କରିଥିବା ୧୯ରୁ ୨୨ ବର୍ଷ ବୟସ୍କା ଏହି ଯୁବତୀମାନେ କରୋନା ବିପଦ ସମୟରେ ମାସ୍କ ଭଳି ଏକ ଅତ୍ୟାବଶ୍ୟକ ସାମଗ୍ରୀ ତିଆରି କରୁଥିବାରୁ ବେଶ ଖୁସି। ଏହାକୁ ସେମାନେ ୧୦ରୁ ୧୫ ଟଙ୍କା ମୂଲ୍ୟରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେମାନେ ଏକ କ୍ଷୁଦ୍ର ସୋସାଇଟି କରି ତା ଜରିଆରେ ଏହାକୁ ବିକ୍ରି କରିବେ। ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ୬ ଜଣ ମିଶି ଦିନକୁ ପ୍ରାୟ ୬୦୦ ମାସ୍କ ତିଆରି କରୁଥିଲାବେଳେ କିଛି ଦିନ କାମ କଲା ପରେ ଦୈନିକ ୧୨୦୦ ପର୍ଯ୍ୟନ୍ତ ମାସ୍କ ତିଆରି କରି ପାରିବେ ବୋଲି କହିଛନ୍ତି ୨୧ ବର୍ଷିୟା ପ୍ରମୋଦିନୀ ରାୟ।

ପୂର୍ବରୁ ସେମାନେ ଘରେ ବେକାର ଥିଲେ। ଏବେ ସିଲେଇ ତାଲିମ ନେଇ ନିଜସ୍ବ କାମ ଆରମ୍ଭ କରିଥିବାରୁ ବେଶ ଖୁସି ବୋଲି କହିଛନ୍ତି ଆଉ ଜଣେ ଯୁବତୀ ରଂଜିତା ମୁଣ୍ଡା (୨୧)। ଦୁଇ ପଇସା ଉପାର୍ଜନ ସହ ସେମାନଙ୍କ ତିଆରି ମାସ୍କ ଲୋକଙ୍କ କାମରେ ଲାଗିଲେ ତାହା ସେମାନଙ୍କୁ ବେଶ ଆତ୍ମସନ୍ତୋଷ ଦେବ ବୋଲି ଡଲି ସାହୁ ପ୍ରକାଶ କରିଛନ୍ତି। ଏନ୍‌ଏଲ୍‌ସି ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଏହି ଯୁବତୀମାନଙ୍କୁ ସମସ୍ତ କଞ୍ଚାମାଲ ଯୋଗାଇ ଦିଆଯିବ ଓ ବିକ୍ରି ଲବ୍‌ଧ ଅର୍ଥ ସେମାନେ ନିଜେ ନେବେ। ଭବିଷ୍ୟତରେ ସେମାନେ ନିଜ ସମ୍ବଳରେ ପୋଷାକପତ୍ର, ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଆଦି ସିଲେଇ କରିପାରିବେ ଓ ଏନଏଲ୍‌ସି ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଏହାର ଅଧିକାରୀ ପ୍ରତାପ ମହାରଣା କହିଛନ୍ତି। ଏହି ମାସ୍କ ସିଲେଇ କାମରେ ବୁଧିଆପାଲିର ରଂଜିତା ମୁଣ୍ଡା, ମୁନୁବାଇ ମୁଣ୍ଡା, ସରସ୍ବତୀ ମୁଣ୍ଡା, ଡଲି ସାହୁ ଏବଂ ନୂଆଖିଣ୍ଡାର ପ୍ରମୋଦିନୀ ରାୟ ଓ ଅନିତା ବସ୍‌ରା ପ୍ରମୁଖ ଲାଗିଛନ୍ତି।

ସମ୍ବନ୍ଧିତ ଖବର