ଭୁବନେଶ୍ୱର : ସାରା ଦେଶରୁ ସଂଗ୍ରହ ହେବ ଜୟଦେବଙ୍କ ଗୀତଗୋବିନ୍ଦ ଗାୟନ ଶୈଳୀର ରେକର୍ଡିଂ। ବିଭିନ୍ନ ରାଜ୍ୟର ଆକାଶବାଣୀ ଅବା ଦୂରଦର୍ଶନରେ ଗାୟନ କରାଯାଇଥିବା ଏହାର ଶୈଳୀକୁ ସଂଗ୍ରହ କରି ତର୍ଜମା କରାଯିବ। ପରେ ଏଗୁଡ଼ିକୁ ଏକାଠି ମହଜୁଦ କରି ରଖାଯିବ। ଏଭଳି ଏକ ଅଭିନବ ଉଦ୍ୟମ କରିବ ଶ୍ରୀଜୟଦେବ ଫାଉଣ୍ଡେସନ୍ ଟ୍ରଷ୍ଟ୍। ଟ୍ରଷ୍ଟ୍ର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଡ.ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଏବଂ ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦେଶକ ରବୀନ୍ଦ୍ରନାଥ ମିଶ୍ର ଏ ବାବଦରେ ଘୋଷଣା କରିଛନ୍ତି।
ଜୟଦେବ କମ୍ପ୍ଲେକ୍ସରେ ‘ଜୟଦେବଙ୍କ ଗୀତଗୋବିନ୍ଦ ଏବଂ ଓଡ଼ିଶୀ ସଂଗୀତର ରାଗ ସମ୍ପର୍କିତ ଆଲୋଚନାଚକ୍ର’ରେ ଏପରି ମତ ପ୍ରକାଶ ପାଇଛି। ଏହି ଅବସରରେ ରାଜେନ୍ଦ୍ର ପ୍ରସାଦ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳାଧିପତି ଡ.ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦେଇ କହିଲେ, ସଂପ୍ରତି ଗୀତଗୋବିନ୍ଦର ୧୮୦୦ ପାଣ୍ଡୁଲିପି ମହଜୁଦ ଅଛି। କିଛି ତାଳପତ୍ର ଏବଂ ଆଉ କିଛି କାଗଜ ଲିପିରେ ସଂରକ୍ଷିତ ରହିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ୧୪୪ଟି ତାଳପତ୍ର ପୋଥି ଥିବା ବେଳେ ସେଥିମଧ୍ୟରେ ପଞ୍ଚଦଶ ଶତାବ୍ଦୀର ଗୀତଗୋବିନ୍ଦ ରହିଛି। ଏତଦବ୍ୟତୀତ ଜର୍ମାନିର ବର୍ଲିନ୍, ସେଣ୍ଟ୍ପିଟର୍ସବର୍ଗ ଗ୍ରନ୍ଥାଗାର, ଏକାଡେମି ଅଫ୍ ସାଇନ୍ସ ସମେତ ଜାତୀୟ ଗ୍ରନ୍ଥାଗାର, କୋଲକାତା ବିଶ୍ୱବିଦ୍ୟାଳୟ ଗ୍ରନ୍ଥାଗାର, ଏସିଆଟିକ୍ ସୋସାଇଟି, ବରୋଦା ଓରିଏଣ୍ଟାଲ୍ ଇନ୍ଷ୍ଟିଚ୍ୟୁଟ୍, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ରାଜ୍ୟ ସଂଗ୍ରହାଳୟ, ଏମାର ମଠରେ ଗୀତଗୋବିନ୍ଦର ପାଣ୍ଡୁଲିପି ରହିଛି ବୋଲି ସେ ସୂଚନା ଦେଇଥିଲେ। ଏହି ପାଣ୍ଡୁଲିପିରେ ସ୍ୱରଲିପି ମଧ୍ୟ ରହିଛି ବୋଲି ସେ କହିଥିଲେ।
ବିଶିଷ୍ଟ କଣ୍ଠଶିଳ୍ପୀ ଆରତି ମିଶ୍ର, ପ୍ରାକ୍ତନ ପ୍ରଶାସକ ରବିନାରାୟଣ ନନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ପୂର୍ବତନ ମୁଖ୍ୟ ଡ.ରଘୁନାଥ ପଣ୍ଡା, ବିରଞ୍ଚି ମିଶ୍ର, ନାରାୟଣ ରଥ, ସୁରେନ୍ଦ୍ରନାଥ ଛୋଟରାୟ ଏବଂ ଗୀତାମଞ୍ଜରୀ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ମତ ରଖିଥିଲେ।