ଶ୍ରୀକ୍ଷେତ୍ର ପହଞ୍ଚିଲା ମହାପ୍ରଭୁଙ୍କ ଅତି ପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ

ତିଗିରିଆ : ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା। ଏହି ଯାତ୍ରା ପାଇଁ ଲୋଡ଼ା ପଡ଼େ ମହାପ୍ରଭୁଙ୍କ ଅତି ପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ। କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ର ପ୍ରସିଦ୍ଧ ହସ୍ତତନ୍ତ ଗ୍ରାମ ନୂଆପାଟଣାରେ ଅତ୍ୟନ୍ତ ନିଷ୍ଠାର ସହ ଏହି ପାଟ ତିଆରି ହୋଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରଶାସନ ନିକଟରେ ପହଞ୍ଚି ସାରିଛି ବୋଲି ନୂଆପାଟଣା ନୂଆସାହିର ହସ୍ତତନ୍ତ କାରିଗର ବିଶ୍ୱନାଥ ଗୁଇଁ ସୂଚନା ଦେଇଛନ୍ତି।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ପାଇଁ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରାୟ ୬ ମାସ ଆଗରୁ ଆରମ୍ଭ ହୋଇଥାଏ। ଏହି ପାଟ ପ୍ରସ୍ତୁତି ସମୟରେ ବିଶ୍ୱନାଥଙ୍କ ପରିବାର ହବିସାନ୍ନ ଭକ୍ଷଣ କରିବା ସହ ସମସ୍ତ ନୀତିନିୟମ ପାଳନ କରନ୍ତି। ପୁରୁଷାନୁକ୍ରମେ ଶ୍ରୀମନ୍ଦିର ପ୍ରଶାସନକୁ ବିଶ୍ୱନାଥଙ୍କ ପରିବାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଛି। ପ୍ରଥମେ ବିଶ୍ୱନାଥଙ୍କ ବଡ଼ ଜେଜେ ସ୍ବର୍ଗତ କାଳିନ୍ଦୀ କଟୁଆଳ, ଜେଜେ ସ୍ବର୍ଗତ ଗୋପୀନାଥ ଗୁଇଁ ଓ ବାପା ସ୍ବର୍ଗତ ସୁଦାମ ଗୁଇଁ ଏହି ସେବା ଯୋଗାଇ ଆସୁଥିଲେ। ବିଶ୍ୱନାଥ ମେଧାବୀ ଛାତ୍ର ଥିଲେ ମଧ୍ୟ ଅର୍ଥାଭାବରୁ ୧୯୭୭ ମସିହାରେ କଲେଜ ପାଠରେ ଡୋରି ବାନ୍ଧି ବାପାଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ। ୧୯୯୬ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରୁ ବିଶ୍ୱନାଥ ନିଜେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ସେବା ଯୋଗାଇ ଆସୁଛନ୍ତି।

ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ଆବଶ୍ୟକ ହେଉଥିବା ଗୀତଗୋବିନ୍ଦ ଖଣ୍ଡୁଆ ପାଟ ବ୍ୟତୀତ ସ୍ନାନ ପୂର୍ଣ୍ଣିମା, ଖଳିଲାଗି ଏକାଦଶୀ, ବାହୁଡ଼ା ଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ ଆଦି ନୀତିରେ ବ୍ୟବହୃତ ପାଟ ବିଶ୍ୱନାଥ ନିଜ ଘରେ ପ୍ରସ୍ତୁତ କରୁଥିବା ସୂଚନା ଦେଇଛନ୍ତି। ସପ୍ତାହରେ ବ୍ୟବହୃତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସାତ ରଙ୍ଗର ପାଟ ରବିବାର ଲାଲ, ସୋମବାର ଧଳା ସହ କଳା ରଙ୍ଗର ଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ଶାଗୁଆ, ଗୁରୁବାର ହଳଦିଆ, ଶୁକ୍ରବାର ଧଳା ପାଟରେ ଲାଲ ରଙ୍ଗର କୁମ୍ଭ, ଶନିବାର କଳା କିମ୍ବା ନୀଳ ରଙ୍ଗର ପାଟ ମଧ୍ୟ ବିଶ୍ୱନାଥଙ୍କ ପରିବାର ଲୋକଙ୍କ ସହାୟତାରେ ପ୍ରସ୍ତୁତ କରାଯାଏ। ଏହାଛଡ଼ା ମହାପ୍ରଭୁଙ୍କ ପହୁଡ଼ ନୀତି ପାଇଁ ପ୍ରତ୍ୟହ ରାତିରେ ଆବଶ୍ୟକ ହେଉଥିବା ଗୀତଗୋବିନ୍ଦ ଖଣ୍ଡୁଆ ପାଟ, ମହାପ୍ରଭୁ ଦେବ ଦୀପାବଳିରୁ ତିନିଦିନ ବ୍ୟାପୀ ପିନ୍ଧୁଥିବା ସୂତାରେ ତିଆରି ନାଗପୁରୀ ପାଟ, ମାର୍ଗଶୀର ମାସ ଷଷ୍ଠୀ ତିଥିରେ ପିନ୍ଧୁଥିବା ଓଢ଼ଣୀ ଷଷ୍ଠୀ ପାଟ ବା ଶୀତବସ୍ତ୍ରକୁ ବିଶ୍ୱନାଥ ନିଜ ଘରେ ପ୍ରସ୍ତୁତ କରୁଛନ୍ତି। ବିଶ୍ୱନାଥଙ୍କ ଦ୍ବାରା ପ୍ରସ୍ତୁତ ଏହି ପାଟଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନ ବ୍ୟତୀତ ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ ପରେ ବିଶ୍ୱନାଥଙ୍କ ନିକଟରୁ ନେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଚଢ଼ାଇ ଥାନ୍ତି। ଦୁଇବର୍ଷ ଧରି କରୋନା ଯୋଗୁଁ ବିଶ୍ବନାଥ କ୍ଷତି ସହିଥିଲେ। ଚଳିତବର୍ଷ ବ୍ୟବସାୟ ଉତ୍ସାହଜନକ ହେଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୭୬ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲ୍ଲୀ ଅହମ୍ମଦ ମହାପ୍ରଭୁଙ୍କ ଏହି ସେବା ନିମନ୍ତେ ବିଶ୍ୱନାଥଙ୍କ ବାପା ସ୍ବର୍ଗତ ସୁଦାମ ଗୁଇଁଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ସ୍ବର୍ଗତ ଗୁଇଁଙ୍କ ପ୍ରଶଂସା କରିଥିଲେ। ଦିନକୁ ଦିନ ଏହି ସେବା ଯୋଗାଇବା ନିମନ୍ତେ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏହାକୁ ସହ୍ୟ କରି ବିଶ୍ୱନାଥ ଏହା ଆଗକୁ ନେଉଛନ୍ତି। ସରକାରଙ୍କ ପକ୍ଷରୁ ଅଧିକ ପ୍ରୋତ୍ସାହନ ଯୋଗାଇ ଦିଆଗଲେ, ଅଞ୍ଚଳର ଅନେକ କାରିଗର ଏହି ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆଗେଇ ଆସିବେ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର