ଭଞ୍ଜନଗର : ପଲିଥିନ୍ର ବିକଳ୍ପ କାଗଜ ଠୁଙ୍ଗା ଓ କପଡ଼ା ବ୍ୟାଗ୍ ତିଆରି କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରାଇ ପାରିଛନ୍ତି ଗୀତାଞ୍ଜଳି। ଯାହାକି ଅନ୍ୟ ମହିଳାଙ୍କ ପାଇଁ ଆଜି ପ୍ରେରଣାର ଉତ୍ସ ପାଲଟିଛି। କେବଳ ଏତିକି ନୁହେଁ, ଠୁଙ୍ଗା ପ୍ରସ୍ତୁତି ପ୍ରଣାଳୀ ଉପରେ ମହିଳାଙ୍କୁ ତାଲିମ୍ ଦେବା ସହ ଏହାର ବିକ୍ରି ଦିଗରେ ବଜାର ସୃଷ୍ଟି କରିଛନ୍ତି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ୩ ନମ୍ବର ୱାର୍ଡ଼ କାହ୍ନୁରାଉତ ସାହି ବାସିନ୍ଦା ଗୀତାଞ୍ଜଳି ତ୍ରିପାଠୀ। ୨୦୧୬ ମସିହାରେ ହଠାତ୍ ତାଙ୍କ ମନକୁ ଆତ୍ମନିର୍ଭରଶୀଳ ହେବା ଲାଗି ଚିନ୍ତା ଆସିଥିଲା। ଏହି ସମୟରେ ସରକାର ସ୍ବଚ୍ଛ ଯୋଜନାରେ ପଲିଥିନ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି କରି ସାରିଥିଲେ। ଆଉ ଏହା ହିଁ ତାଙ୍କୁ ନୂତନ ଆଶାର ଆଲୋକ ଦେଖାଇଥିଲା। ପଲିଥିନ୍ର ବିକଳ୍ପ କାଗଜ ଠୁଙ୍ଗା ଓ କପଡ଼ା ବ୍ୟାଗ୍ ତିଆରି କରିବାକୁ ଗୀତାଞ୍ଜଳି ମନସ୍ଥ କରି ଲକ୍ଷ୍ୟପଥରେ ଆଗେଇ ଚାଲିଲେ। ଆଉ ଏଥିପାଇଁ ସେ ତାଙ୍କ ବଡ଼ମା’ଙ୍କଠୁ ମାତ୍ର ୫୦ ଟଙ୍କା ଆଣି ଜଣେ ଅଧ୍ୟାପକଙ୍କ ଘରକୁ ଯାଇ ପୁରୁଣା ଖବରକାଗଜ ମାଗିଥିଲେ। ଅଧ୍ୟାପକ ଜଣକ ମଧ୍ୟ ଗୀତାଞ୍ଜଳିଙ୍କ ମହତ୍ ଉଦ୍ଦେଶ୍ୟ ବିଷୟରେ ଜାଣି ପାରି ମାଗଣାରେ ୫୦ କେଜି ଖବରକାଗଜ ଦେଇଥିଲେ। ଆଉ ସେହି ୫୦ ଟଙ୍କାରେ ମଇଦା କିଣି ଅଠା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।
ଏହାପରେ ଗୀତାଞ୍ଜଳି ଦିନରାତି ପରିଶ୍ରମ କରି ଠୁଙ୍ଗା ତିଆରି କରିବାରେ ଲାଗି ପଡ଼ିଥିଲେ। ୧୫ ଦିନରେ ୬୦ କେଜି ଓଜନର ଠୁଙ୍ଗା ପ୍ରସ୍ତୁତ କରିଥିଲେ। ଯାହାକୁ ବିକିବା ପରେ ୬୦୦ ଟଙ୍କା ପ୍ରଥମେ ରୋଜଗାର ହୋଇଥିଲା। ଏହାପରଠୁ ଗୀତାଞ୍ଜଳି ଆଉ ପଛକୁ ଫେରିନାହାନ୍ତି। କାଗଜ ଠୁଙ୍ଗା ସାଙ୍ଗକୁ ପୁରୁଣା ଶାଢ଼ି ଆଣି କପଡ଼ା ବ୍ୟାଗ୍ ମଧ୍ୟ ତିଆରି କରିବା ଆରମ୍ଭ କରିଛନ୍ତି। ଗୋଟିଏ ଶାଢ଼ିରେ ୧୪ଟି ବ୍ୟାଗ୍ ତିଆରି କରାଯାଇ ପାରୁଛି। ଆଉ ଗୋଟିଏ ବ୍ୟାଗ୍ ପିଛା ୫ଟଙ୍କାରେ ବିକ୍ରି ହେଉଛି। ଏହାପରେ ଗୀତାଞ୍ଜଳି ଆଖପାଖର ୧୦ଜଣ ମହିଳାଙ୍କୁ ନେଇ ସ୍ବୟଂସହାୟିକା ଗୋଷ୍ଠୀ ଗଠନ କରି ସେମାନଙ୍କୁ ମଧ୍ୟ କାଗଜ ଠୁଙ୍ଗା ତିଆରି କରିବାକୁ ପ୍ରୋତ୍ସାହନ ଦେଇଥିଲେ। ଆଜି ସୁଦ୍ଧା ବହୁ ମହିଳା ତାଙ୍କ ଠାରୁ ତାଲିମ ପାଇ କାଗଜ ଠୁଙ୍ଗା ତିଆରି କରି ଲାଭବାନ୍ ହୋଇଛନ୍ତି।
ଗୀତାଞ୍ଜଳି ବି ଏହି ଧାରା ଜାରି ବଜାୟ ରଖି ନିଜକୁ ସ୍ବାବଲମ୍ବୀ କରିପାରିଛନ୍ତି। ବର୍ତ୍ତମାନ ମାସକୁ ପ୍ରାୟ ୧୫ ହଜାର ଟଙ୍କା ରୋଜଗାର କରି ପାରୁଥିବା ସେ ପ୍ରକାଶ କରିଛନ୍ତି।