ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍ ସମ୍ପତ୍ତିଆ ଗ୍ରାମର ଗୀତାରାଣୀ ମହୁରୀ ନିଜେ ସ୍ବାବଲମ୍ବୀ ହେବା ସହ ଗ୍ରାମୀଣ ମହିଳାଙ୍କୁ କରିଛନ୍ତି ସ୍ୱାବଲମ୍ବୀ। ନେଉଛନ୍ତି ଉତ୍ପାଦିକା ସଂଘର ନେତୃତ୍ୱ। ବାଲିଆପାଳ ନିବାସୀ ଗୀତାରାଣୀ ଜଗାଇ କଲେଜରେ ପାଠ ପଢ଼ିଛନ୍ତି। ୨୦୧୪ରେ ସେ ବିକ୍ରମ ମହୁରୀଙ୍କୁ ପ୍ରେମ ବିବାହ କରିବା ପରେ ବାପଘର ଲୋକେ ସମ୍ପର୍କ କାଟି ଦେଇଥିଲେ। ବିବାହ ପରେ ଗୀତାରାଣୀ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ।ଗାଁ’ର ୨୧ ଜଣ ମହିଳାଙ୍କୁ ନେଇ ଗଠନ କରିଥିଲେ ‘ଶ୍ରୀ ଗଣେଶ ଟେରାକୋଟା ପ୍ରଡ୍ୟୁସର ଗ୍ରୁପ୍’। ଓଏଲ୍ଏମ୍ ବ୍ଲକ୍ ସଂଯୋଜିକା ମଧୁମିତା ଦାସଙ୍କ ତତ୍ତ୍ବାବଧାନରେ ୨୦୨୩ ମସିହାରୁ ଏହି ପ୍ରଡ୍ୟୁସର ଗ୍ରୁପ୍ର ନେତୃତ୍ବ ନେଉଛନ୍ତି ଗୀତାରାଣୀ।
ସରକାର ‘ଆମ ଗାଁ ଆମ ବିକାଶ ଯୋଜନା’ରେ ସାଢ଼େ ୪ ଲକ୍ଷ ଟଙ୍କାର ଏକ ଘର ସହ ମାଟି ଚା କପ୍ ନିର୍ମାଣ ପାଇଁ ୧ ଲକ୍ଷ ୧୦ ହଜାର ଟଙ୍କାର ଦୁଇଟି ମେସିନ୍ ଯୋଗାଇ ଦେଇଥିଲେ। ସେହିପରି ମହିଳାମାନେ ମଧ୍ୟ ୪୦ ହଜାର ଟଙ୍କା ବିନିଯୋଗ କରିଥିଲେ। ଏବେ ସେମାନେ ଚା କପ୍ ସହ ଦେବଦେବୀ ମୂର୍ତ୍ତି ଓ ଦୀପ ତିଆରି କରୁଛନ୍ତି। ମାସକୁ ୩୦ରୁ ୪୦ ହଜାର କପ୍ ପ୍ରସ୍ତୁତ ହେଉଛି। ପ୍ରସ୍ତୁତ ହେଉଥିବା ମୂର୍ତ୍ତି ଓ ଚା’ କପ୍ ଜଳେଶ୍ୱର ସମେତ ବାଲେଶ୍ୱର ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ବିକ୍ରି କରି ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ପାଉଛନ୍ତି। ଉତ୍ପାଦିକା ଗୋଷ୍ଠୀର ଆୟବ୍ୟୟ ହିସାବ, ସରକାରୀ ଅଫିସ୍ ସହ ଯୋଗାଯୋଗ, ଉତ୍ପାଦିତ ହେଉଥିବା ସାମଗ୍ରୀ ବିକ୍ରି ବ୍ୟବସ୍ଥା, ସବୁ ଦାୟିତ୍ୱ ଗୀତାରାଣୀଙ୍କ ମୁଣ୍ଡ ଉପରେ। ସେମାନଙ୍କୁ ଏକ କାଦୁଅ ଚକଟା ମେସିନ୍ ଓ ଏକ ପ୍ରଶସ୍ତ ଘର ମିଳିଲେ ଉତ୍ପାଦନ ବୃଦ୍ଧି ସହ ରୋଜଗାର ମଧ୍ୟ ବଢ଼ିପାରନ୍ତା ବୋଲି କହିଛନ୍ତି। ଏଥିସହ ଗୀତାରାଣୀ ବିଉଟି ପାର୍ଲର ପାଇଁ ସରକାରୀ ତାଲିମ ନେଇଛନ୍ତି ଏବଂ ବ୍ୟବସାୟ କରି ଅର୍ଥ ଉପାର୍ଜନ କରୁଛନ୍ତି।