‘ଟିକା ଉତ୍ସବ’ ପାଇଁ ୨୫ ଲକ୍ଷ ଟିକା ଦିଅ

ପୁଣି ଟିକା ସଙ୍କଟ ଦୋହରାଇଲେ, ଆଜି ଆସିବ ଅଢ଼େଇ ଲକ୍ଷ ‘କୋଭିସିଲ୍‌ଡ’

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାର ଅଭାବ ରହିଛି। ଦୈନିକ ଯେତିକି ସଂଖ୍ୟକ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାହା ସଫଳ ହୋଇପାରୁ ନାହିଁ। ତେଣୁ ‘ଟିକା ଉତ୍ସବ’କୁ ସଫଳ କରିବା ଲାଗି ୨୫ ଲକ୍ଷ ଡୋଜ୍‌ର ଟିକା ପଠାଇବାକୁ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଟିକା ଅଭାବ ସଂପର୍କରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ରାଜ୍ୟରେ ଟିକାର ଅଭାବ ସଂପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ପ୍ରସ୍ତୁତି କରିଛନ୍ତି। ମାତ୍ର ଟିକାର ଅଭାବ ପାଇଁ ଅଧିକାଂଶ ଟିକାଦାନ କେନ୍ଦ୍ରକୁ ବନ୍ଦ କରିବାକୁ ପଡ଼ିଛି। ଏପରିକି ଅଧିକାଂଶ ଜିଲ୍ଲାରେ ଟିକା ଶେଷ ହେବା ଭଳି ପରିସ୍ଥିତି ଦେଖାଦେଇଛି। ଫଳରେ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହୋଇଛି।

ରାଜ୍ୟରେ ୪୫ବର୍ଷରୁ ଅଧିକ ସାଢ଼େ ୧୫ଲକ୍ଷରୁ ଅଧିକ ଟିକା ନେଇ ସାରିଛନ୍ତି। ରାଜ୍ୟରେ ଟିକାକରଣ ଅଧିକାଂଶ ବର୍ଗରେ ଜାତୀୟ ହାରଠାରୁ ଅଧିକ ରହିଛି। ତେଣୁ ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘ଟିକା ଉତ୍ସବ’କୁ ସଫଳ କରିବା ଲାଗି ୨୫ଲକ୍ଷ ଡୋଜ୍‌ ଟିକା ତୁରନ୍ତ ପ୍ରଦାନ କରାଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି।

ଅପରପକ୍ଷରେ ଗତ ୩ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ ଟିକାକରଣରେ ବୃଦ୍ଧି ହୋଇଛି। ଏହି ଦିନଗୁଡ଼ିକରେ ଦେଢ଼ ଲକ୍ଷରୁ କମ୍ ଟିକାକରଣ ହେଉଥିବା ବେଳେ ଆଜି ପ୍ରାୟ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ରାଜ୍ୟବ୍ୟାପୀ ଆଜି ୧୧୭୮କେନ୍ଦ୍ରରେ ୧ଲକ୍ଷ ୯୮ହଜାର ୫୮୮ଜଣ ଟିକା ନେଇଛନ୍ତି। ଏଥିରେ ୪୫ ବର୍ଷରୁ ଅଧିକ ୧ଲକ୍ଷ ୨୮ହଜାର ୯୯୯ଜଣ ପ୍ରଥମ ଓ ୧୫୮୦ଜଣ ଦ୍ବିତୀୟ ଡୋଜ୍, ୬୦ବର୍ଷରୁ ଅଧିକ ୪୯,୯୬୮ଜଣ ପ୍ରଥମ ଓ ୧୫,୩୯୯ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲା‌ରେ ଜଣେ ଲେଖାଏଁ ଟିକାର ପାର୍ଶ୍ବପ୍ରତିକ୍ରିୟା ଶିକାର ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ ୪୧ଲକ୍ଷ ୮୩ହଜାର ୪୬୬ଜଣ ଟିକା ନେଇ ସାରିଲେଣି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମୀଙ୍କ ମଧ୍ୟରୁ ଯଥାକ୍ରମେ ୯୪.୬ ଓ ୮୪.୯ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି।

ଆସନ୍ତାକାଲି ରାଜ୍ୟରେ ଅଢ଼େଇ ଲକ୍ଷ ‘କୋଭିସିଲ୍‌ଡ’ ଟିକା ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି। ଡା. ପାଣିଗ୍ରାହୀ କହିଛନ୍ତି, କିଛି ଦିନ ପୂର୍ବରୁ ରାଜ୍ୟକୁ ଆସିଥିବା ସାଢ଼େ ୪ଲକ୍ଷ ଟିକା ଜିଲ୍ଲାରେ ପହଞ୍ଚିବା ପରେ ଆଜି ଟିକାକରଣରେ ବୃଦ୍ଧି ହୋଇଛି। ତେଣୁ ଆ‌ସନ୍ତାକାଲି ଟିକାକରଣରେ କୌଣସି ସମସ୍ୟା ହେବ ନାହିଁ। ମାତ୍ର ଆଗାମୀ ଦିନରେ କେ ତୋଟି ଅଧିବେଶନରେ ଟିକାଦାନ କରାଯିବ, ତାହା ଆସନ୍ତାକାଲି ସ୍ପଷ୍ଟ ହେବ। ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟରେ ଏବେ ୯୧ହଜାରରୁ ଅଧିକ ‘କୋଭାକ୍ସିନ୍’ ଟିକା ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର