ଜାଲ ସାର୍ଟିଫିକେଟ ଦେଇ ଅଡୁଆରେ ଉପକାଭଟ୍ଟା ଅଙ୍ଗନବାଡ଼ି କର୍ମୀ

କାର୍ଯ୍ୟରୁ ବରଖାସ୍ତ ପାଇଁ ଡିଏସଡବ୍ଲୁଙ୍କ ନିର୍ଦ୍ଦେଶ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦେପୁର ସେକ୍ଟର ଅଧୀନ ଉପକାଭଟ୍ଟାର ଅଙ୍ଗନବାଡ଼ି କର୍ମୀ ଝୁନୁପମା ଶତପଥୀ ଜାଲ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଅଡ଼ୁଆରେ ପଡ଼ିଛନ୍ତି। ଏନେଇ ଅଭିଯୋଗ ପରେ ତାଙ୍କୁ ବହିଷ୍କାର ପାଇଁ ଡିଏସ୍‌ଡବ୍ଲୁ ପକ୍ଷରୁ ଭବାନୀପାଟଣା ଗ୍ରାମୀଣ ଆଇସିଡିଏସ ସିଡିପିଓଙ୍କୁ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, ଉପକାଭଟ୍ଟା ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଭାବରେ ଝୁନୁପମା ଶତପଥୀ ନିଯୁକ୍ତି ପାଇଥିଲେ।

ସେ ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଆଣିଥିବା ସ୍କୁଲ ଲିଭିଂ ସାର୍ଟିଫିକେଟ ନକଲି ଥିବା ଜଣାପଡ଼ିଥିଲା। ଏହି ସ୍କୁଲ ପରିତ୍ୟାଗ ସାର୍ଟିଫିକେଟରେ ସ୍କୁଲରେ ୧୦.୦୩.୧୯୬୧ ମସିହା ଥିବାବେଳେ ଜାଲ କରି ଏହି ସାର୍ଟିଫିକେଟରେ ୧୯୬୫ ମସିହା ମାର୍ଚ୍ଚ ୧୦ ତାରିଖ ବୋଲି ଉଲ୍ଲେଖ କରିଥିଲେ। ଘଟଣାର ତଦନ୍ତ ପରେ ସ୍କୁଲର ପରିତ୍ୟାଗ ସାର୍ଟିଫିକେଟ ସହ ତାଳମେଳ ରହି ନଥିଲା। ଏହି ଘଟଣାରେ କଳାହାଣ୍ଡି ଡିଏସଡବ୍ଲୁ ଚିଠି ନଂ୧୯୩/୧୯.୦୧.୨୦୨୩ରେ ଝୁନୁପମା ଶତପଥୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ଏପ୍ରିଲ ୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦରମା ଟଙ୍କା ଭରଣା କରିବା ପାଇଁ ପଦକ୍ଷେପ ନେବା ସହ ଅପରାଧିକ ମାମଲା ରୁଜୁ କରିବାକୁ ଭବାନୀପାଟଣା ଗ୍ରାମୀଣ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ନିମନ୍ତେ ଅଞ୍ଜନ ରଥ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ତେବେ ଘଟଣା ପ୍ରଘଟ ହେବା ପରେ ନକଲି ସାର୍ଟିଫିକେଟ ଥିବା ବହୁ ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି।

ସମ୍ବନ୍ଧିତ ଖବର