କୃଷକ ସଙ୍ଗଠନର ଚରମବାଣୀ: ବୀମା ଦିଅ ନଚେତ୍‌ ୧୩ରୁ ଜେଲଭରୋ ଆନ୍ଦୋଳନ

ପଦ୍ମପୁର: ପଦ୍ମପୁର ରାଜବୋଡାସମ୍ବର କୃଷକ ସଙ୍ଗଠନର ଏକ ଜରୁରୀ ବୈଠକ ସ୍ଥାନୀୟ ଗୋରୁବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଙ୍ଗଠନର ସଭାପତି ବାଂଛାନିଧି ନାୟକ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଦିବଂଗତ ଚାଷୀନେତା ସରୋଜ ଭୋଇ ଓ ଯଶୋବନ୍ତ ଭୋଇଙ୍କ ବିୟୋଗ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଗତ ୨୭ରେ ସୋହେଲାଠାରେ ଚାଷୀମାନେ ଫସଲବୀମା ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ,ଚାଷୀ ସମସ୍ୟାକୁ ସମାଧାନ ନ କରି ପ୍ରଶାସନ ଚାଷୀମାନଙ୍କୁ ବଳପୂର୍ବକ ଉଠାଇନେଲେ।

ପ୍ରଶାସନର ଚାଷୀ ବିରୋଧୀ କାମକୁ ସଭାରେ ଦୃଢ଼ ନିନ୍ଦା କରାଯାଇଥିଲା। ୨୦୨୧ରେ ଭୟଙ୍କର ମରୁଡି ହେଲା। ଚାଷୀ ଆର୍ଥିକ ଓ ମାନସିକ କ୍ଷତିଗ୍ରସ୍ତ ହେଲା। ତଥାପି ସରକାର ମରୁଡି ସହାୟତା ପ୍ରଦାନ ନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଆଲୋଚନା ହୋଇଥିଲା। ୨୦୨୧ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ବୀମାଭୁକ୍ତ ହୋଇ ବୀମାରାଶି ପାଇନାହାନ୍ତି। ବୀମାରାଶି ପ୍ରଦାନରେ କମ୍ପାନି ଟାଳଟୁଳ ନୀତି ଆପଣେଇଛି। ପ୍ରଶାସନ ଓ ସରକାର ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି। ତେଣୁ ରାଜବୋଡାସମ୍ବର କୃଷକ ସଙ୍ଗଠନ ଆଗାମୀ ୧୨ ତାରିଖ ସୁଦ୍ଧା ଫସଲବୀମା ରାଶିକୁ କମ୍ପାନି ଚାଷୀମାନଙ୍କୁ ପ୍ରଦାନ କରନ୍ତୁ, ନଚେତ ୧୩ରୁ ଉପଖଣ୍ତର ସମସ୍ତ ସରକାରୀ ପ୍ରତିଷ୍ଠାନ,ବ୍ୟାଙ୍କକୁ ଅଚଳ କରିଦିଆଯିବ।

ଆଇନ ଅମାନ୍ୟ ଆନ୍ଦୋଳନ ପୂର୍ବକ ହଜାର ହଜାର ଚାଷୀ ଜେଲଭରୋ ଆନ୍ଦୋଳନରେ ସାମିଲ ହେବେ। କୌଣସି ଅପ୍ରୀତିକର ଘଟଣାର ସୂତ୍ରପାତ ହେଲେ, ସଂପୃକ୍ତ ବିଭାଗ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଚାଷୀନେତା ରମେଶ ମହାପାତ୍ର, ଆଇନଜୀବୀ ଅଜିତ ଶତପଥି, ଚିନ୍ମୟ ପଣ୍ତା, ଚାଷୀ ଦହିତ ସାହୁ, ଲିଙ୍ଗରାଜ ପ୍ରଧାନ, ରୋହିତ ପ୍ରଧାନ, କୈଳାସ ବାରିକ, ପ୍ରଶାନ୍ତ ପ୍ରଧାନ, ଅଶୋକ ସାହୁ, ସନ୍ତୋଷ ବେହେରା, ଅରବିନ୍ଦ ପଣ୍ତା, ବୀରେନ୍ଦ୍ର ପ୍ରଧାନ, ଖଗପତି ସାହୁ, ଶିବ ସାହୁ, ପ୍ରକାଶ ବରିହା, ବିଶ୍ବନାଥ ରଣା, ପ୍ରକାଶ ମିଶ୍ର, କାହ୍ନୁଚରଣ ମେହେର ପ୍ରମୁଖ ସଙ୍ଗଠନର ସଦସ୍ୟ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର