ପାଟଣାଗଡ଼, ୨୫ା୧ (ଇମିସ): ଜଣେ ଆଦିବାସୀ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ପାଟଣାଗଡ଼ ଅଞ୍ଚଳର ଜଣାଶୁଣା ଆଦିବାସୀ ଯୁବନେତା ଗିରିରାଜ ଓରଫ ଗିରିଧାରୀ ଭୋଇଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ପୀଡ଼ିତା ଯୁବତୀ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଗିରିରାଜଙ୍କ ସହ ଗତ ଦୁଇବର୍ଷ ତଳେ ତାଙ୍କ ସମ୍ପର୍କ ସ୍ଥାପନ ହୋଇଥିଲା। ସେମାନେ ଏକାଠି ଗୋଟିଏ ଟ୍ରଷ୍ଟରେ କାମ କରୁଥିବା ସମୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏପରିକି ଉଭୟେ ବେଲପଡ଼ା ଅଞ୍ଚଳରେ ଥିବା ଗିରିଗୋବର୍ଦ୍ଧନ ମନ୍ଦିରରେ ବାହା ହୋଇଥିଲେ। ପରେ ଆଦିବାସୀ ରୀତିନୀତି ଅନୁସାରେ ବାହା ହେବା ପାଇଁ ସଂପୃକ୍ତ ଯୁବତୀ ଗିରିରାଜଙ୍କୁ କହିବାରୁ ସେ ଦିନ ଗଡ଼ାଇ ଚାଲିଥିଲେ। ଗତ ପ୍ରାୟ ତିନିମାସ ହେଲା ତାଙ୍କ ଫୋନ୍କୁ ଗିରିରାଜ ବ୍ଲକ୍ କରିବା ସହିତ ଫୋନ୍ ସୁଇଚ୍ଅଫ୍ କରି ଏଣେତେଣେ ଲୁଚି ବୁଲୁଥିଲେ। ଶେଷରେ ଯୁବତୀ ଜଣକ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିବା କହିଛନ୍ତି।
ଏ ସମ୍ପର୍କରେ ଗିରିରାଜଙ୍କୁ ପଚାରିବାରୁ ସେ କହିଥିଲେ, ସଂପୃକ୍ତ ଯୁବତୀ ପୂର୍ବରୁ ଅନ୍ୟ ଜଣକୁ ବାହା ହୋଇଥିଲେ। ସ୍ବାମୀଠାରୁ ଶାରୀରିକ ସନ୍ତୁଷ୍ଟି ପାଉ ନଥିବାରୁ ପରେ ତାଙ୍କୁ ଟଙ୍କା ଦେଇ ଶାରୀରିକ ସମ୍ପର୍କ ରଖୁଥିଲେ। ଏବେ ଆକ୍ରୋଶ ମନୋଭାବ ରଖି ତାଙ୍କୁ ବଦନାମ କରିବାକୁ ହୀନ ଚକ୍ରାନ୍ତ ରଚିଛନ୍ତି ବୋଲି ସେ କହିଥିଲେ। ପାଟଣାଗଡ଼ ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତିକରି ପାଟଣାଗଡ଼ ଥାନା କେସ୍ ନଂ ୧୪/୨୩ରେ ଏକ ମାମଲା ରୁଜୁ କରି ଗିରିରାଜଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ସେ କହିଛ। ଜାମିନ ନାମଞ୍ଜୁର ହେବାରୁ ଗିରିରାଜଙ୍କୁ ଜେଲ୍କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଗତ କିଛିମାସ ପୂର୍ବରୁ ଗିରିରାଜ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ପ୍ରତିନିଧି ଦାୟିତ୍ବ ନେଇଥିଲେ।