କେନ୍ଦ୍ରର ଜୋନ୍‌ ନିର୍ଧାରଣ ପ୍ରକ୍ରିୟାରେ ପରିବର୍ତ୍ତନ କରାଯିବା ଦରକାର: ନବୀନ

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯେଉଁ ରେଡ୍, ଅରେଞ୍ଜ ଏବଂ ଗ୍ରିନ୍ ଜୋନ୍ ନିର୍ଧାରଣ କରିଛନ୍ତି, ତା’ ସପକ୍ଷରେ ନାହିଁ ଓଡ଼ିଶା। ଲକ୍‌ଡାଉନ୍ ଅବଧି ବଢାଇବା ସପକ୍ଷରେ ବି ରାଜ୍ୟ ସରକାର ଆଉ ନାହାନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥା ପରୋକ୍ଷରେ ଜଣାଇ ଦେଇଛନ୍ତି। ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନରେ ନବୀନଙ୍କ ସମେତ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ କଥା ହୋଇଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକାଧିକ ପ୍ରସ୍ତାବ ରଖିବା ଛଳରେ ରାଜ୍ୟକୁ ଅଧିକ କ୍ଷମତା ମାଗିଛନ୍ତି। ନବୀନ କହିଛନ୍ତି ‌ଯେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ଯେଉଁଭଳି ଭାବେ କେନ୍ଦ୍ର ଜୋନ୍‌ ନିର୍ଧାରଣ କରୁଛି, ସେଥିରେ ପରିବର୍ତ୍ତନ କରାଯିବା ଦରକାର। କୌଣସି ଗୋଟିଏ ସ୍ଥାନରେ ସଂକ୍ରମିତ ଚିହ୍ନଟ ହେଲେ, ସମ୍ପୂର୍ଣ୍ଣ ଜିଲ୍ଲାରେ କଟକଣା ଲଗାଇ ଦିଆଯାଉଛି। ବରଂ ଏୟା ହେବା ଉଚିତ୍‌ ଯେ ଛୋଟ ଛୋଟ ବା ସାଇଣ୍ଟିଫିକ୍ ଆବଶ୍ୟକତା ରହିଛି, ଯାହାକୁ ପରିସ୍ଥିତିକୁ ଲକ୍ଷ୍ୟ କରି ସେମାନେ ନିଷ୍ପତ୍ତି ନେବେ।

ଜୋନ୍‌ ନିର୍ଧାରଣରେ ପରିବର୍ତନ କର, ସ୍ଥାନୀୟ ପ୍ରଶାସନକୁ ମିଳୁ ଦାୟିତ୍ବ
ଟ୍ରେନ୍‌ ଯାତ୍ରୀ ପରିବହନ ମାର୍ଗଦର୍ଶିକା ବେଳେ ରାଜ୍ୟ ସହ ଆଲୋଚନା ହେଉ
ପଞ୍ଚାୟତିରାଜ ସଂସ୍ଥାକୁ ସାମିଲ କର, ଆର୍ଥିକ ପ୍ରୋତ୍ସାହନ କଥା ଉଠାଇଲେ

ନବୀନ ଆହୁରି କହିଛନ୍ତି ଯେ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବାକୁ ହେଲେ, କେନ୍ଦ୍ର ସରକାର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି) ଜାରି କରିବା ଦରକାର। କାରଣ ଅର୍ଥନୈତିକ କାର୍ଯ୍ୟକଳାପ ରାଜ୍ୟ ସୀମା ବାହାରକୁ ଲମ୍ବିଥିବାରୁ ଏ କ୍ଷେତ୍ରରେ କେନ୍ଦ୍ରୀୟ ମାର୍ଗଦର୍ଶିକା ଜାରି ହେଲେ ଏହାକୁ ସମସ୍ତେ ଅନୁପାଳନ କରିବେ ଓ ମୂଳ ଉଦ୍ଦେଶ୍ୟ ସାଧନ ହେବ। ଯେହେତୁ ଏହା ଏକ ଲମ୍ବା ଲଢେଇ ହେବ, ଏଣୁ ପଞ୍ଚାୟତକୁ ସାମିଲ କରିବା ଅପରିହାର୍ଯ୍ୟ ବୋଲି କୁହାଯାଇପାରେ। ଏଣୁ କୋଭିଡ଼ ପରିଚାଳନାରେ ପଞ୍ଚାୟତିରାଜ ସଂସ୍ଥାକୁ ସିଧାସଳଖ ସଂପୃକ୍ତ କରିବାର ଆବଶ୍ୟକତା ଉପଲବ୍ଧି ହେଉଛି। ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଲାଗି ବର୍ତମାନରେ ନିୟମରେ
ସଂଶୋଧନ ହେବା ଦରକାର।

ରେଳ ଚଳାଚଳ ନିଷ୍ପତ୍ତି ସଂପର୍କରେ ମଧ୍ୟ ନବୀନ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏକ ବଡ଼ ପ୍ରସ୍ତାବ ରଖିଛନ୍ତି। କହିଛନ୍ତି ଯେ ଅଟକି ରହିଥିବା ଶ୍ରମିକଙ୍କୁ କେନ୍ଦ୍ର ସରକାର ନିଜ ରାଜ୍ୟକୁ ଫେରାଇ ଦେବା ଲାଗି ନିଷ୍ପତ୍ତି ନେବା ସମୟରେ ଯେଭଳି ରାଜ୍ୟ ସରକାରଙ୍କ ମତ ଲୋଡିଥିଲେ, ଅନୁରୂପ ଭାବେ ଯାତ୍ରୀ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଆଧାରରେ ମାର୍ଗଦର୍ଶିକା ଜାରି ହେବା ଦରକାର।

ଉଲ୍ଲେଖଯୋଗ୍ୟ, ଜୀବନ ନା ଜୀବିକା ମଧ୍ୟରୁ କିଏ ବଡ଼ ତାହାକୁ ନେଇ ଏବେ ଜାତୀୟ ବିତର୍କ ମୁଣ୍ଡ ଟେକିଛି। ଏଭଳି ପରିପ୍ରେକ୍ଷୀରେ ଆସନ୍ତା ୧୭ ତାରିଖ ଅର୍ଥାତ୍ ତିନି ପର୍ଯ୍ୟାୟ ପରେ ଲକ୍‌ଡାଉନ୍ ଅବଧି ବଢିବ କି ନାହିଁ, ସମ୍ପୂର୍ଣ୍ଣ କଟକଣା ରହିବ କି ନାହିଁ, ତାହାକୁ ନେଇ ବିଚାର ଆଲୋଚନା ଆରମ୍ଭ ହୋଇଛି। ଏଭଳି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଆଜିର ଆଲୋଚନା ଓ ନବୀନଙ୍କ ପ୍ରସ୍ତାବକୁ ଗୁରୁତ୍ବ ଦିଆଯାଉଛି।

ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ସୂଚାଇ ସାରିଛନ୍ତି ଯେ ଗୋଟିଏ ଅଞ୍ଚଳର ସଂକ୍ରମଣକୁ ଆଧାର କରି ସମ୍ପୂର୍ଣ୍ଣ ଜିଲ୍ଲାକୁ ଅଚଳ କରିଦେବାର କୌଣସି ପ୍ରାସଙ୍ଗିକତା ନାହିଁ। ରବିବାର କେନ୍ଦ୍ର କ୍ୟାବିନେଟ୍‌ ସଚିବ ବିଭିନ୍ନ ମୁଖ୍ୟସଚିବଙ୍କ ସହିତ ଆଲୋଚନା କରିବା ବେଳେ ମଧ୍ୟ ଅଧିକାଂଶ ରାଜ୍ୟ ଏହା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଭଳି କଟକଣା ଦ୍ବାରା କୌଣସି ବି ପରିସ୍ଥିତିରେ ଅର୍ଥନୀତିକୁ ତାର ରାସ୍ତାକୁ ଫେରାଇ ଅଣାଯାଇପାରିବ ନାହିଁ ବୋଲି ରାଜ୍ୟମାନେ ମତ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର