ଭୁବନେଶ୍ବର : ୧୦ବର୍ଷରୁ ଅଧିକ ପୁରୁଣା ପୂଜା ଓ ଏବଂ ସ୍ବର୍ଣ୍ଣ ପ୍ରଜାତିର ଧାନରେ ରୋଗପୋକ ଆକ୍ରମଣର ଅଧିକ ଆଶଙ୍କା ଥିବାରୁ ଏହାକୁ ଚାଷୀମାନେ ଯଥାସମ୍ଭବ କମ୍ ବ୍ୟବହାର କରନ୍ତୁ। ଚାଷୀଙ୍କୁ ଉନ୍ନତମାନର ଓ ଅଧିକ ଉତ୍ପାଦନକ୍ଷମ ନୂତନ କିସମର ବିହନ ଯୋଗାଣ କରିବାକୁ କୃଷି ମନ୍ତ୍ରୀ ଅରୁଣ ସାହୁ ରବିବାର ରାଜ୍ୟ ବିହନ ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି।
ଖରିଫ ଋତୁ ଆରମ୍ଭ ହୋଇଯାଇଥିବାବେଳେ ଆଗାମୀ ଏକ ମାସ ଚାଷ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହାକୁ ନଜରରେ ରଖି ଆଜି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅରୁଣ ସାହୁ ଭର୍ଚୁଆଲ ମାଧ୍ୟମରେ ବିହନ ଯୋଗାଣ ବ୍ୟବସ୍ଥା ନେଇ ସମୀକ୍ଷା କରି କହିଛନ୍ତି, ଚଳିତ ଖରିଫ୍ରେ ଚାଷୀଙ୍କୁ ଚାହିଦା ମୁତାବକ ଉନ୍ନତମାନର ବିହନ ଠିକ୍ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ବିହନ ନିଗମ ଦ୍ବାରା ପ୍ରସ୍ତୁତ ପ୍ରାମାଣିକ ଧାନ ବିହନ ଚାଷୀଙ୍କ ନିକଟରେ ଯେପରି ନିରନ୍ତର ଯୋଗାଣ ହୋଇପାରିବ ସେନେଇ ନିଗମର ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ନେବେ। ଚଳିତବର୍ଷ ପ୍ରତିକୂଳ ପାଗ ଯୋଗୁଁ ବିହନ ଯୋଗାଣରେ ଯେପରି ବାଧା ନ ଉପୁଜେ ସେଥିପାଇଁ ଅଧିକାରୀମାନେ ପଦକ୍ଷେପ ନେବେ।
/sambad/media/post_attachments/wp-content/uploads/2021/05/Arun-Sahu.jpg)
ଆଗାମୀ ଏକ ମାସ ଖରିଫ ଚାଷ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହି ସମୟ ମଧ୍ୟରେ ଚାଷୀଙ୍କ ନିକଟରେ ସମସ୍ତ ଆବଶ୍ୟକ ବିହନ ପହଞ୍ଚିବ। ଚାଷୀମାନେ ଯେପରି ଉନ୍ନତ ମାନର ବିହନ ନିର୍ଦ୍ଧାରିତ ମୂଲ୍ୟରେ ପାଇପାରିବେ ସେଥିନିମନ୍ତେ କ୍ଷେତ୍ରସ୍ତରରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ହେବ। ଏଥିସହ ବିହନ ଯୋଗାଣରେ ଅସାଧୁ ବ୍ୟବସାୟୀଙ୍କ ପ୍ରତି ସତର୍କ ରହିବାକୁ କୃଷି ମନ୍ତ୍ରୀ କହିଛନ୍ତି।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୁରେଶ କୁମାର ବଶିଷ୍ଠ କହିଥିଲେ ଚଳିତ ଖରିଫରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ବିହନ ଯୋଗାଣ କ୍ଷେତ୍ରରେ ଆବଶ୍ୟକ ପଦେକ୍ଷପ ନିଆଯାଇଛି ଏବଂ ଏ ଦିଗରେ ସମବାୟ ବିଭାଗ ସହ ଉପଯୁକ୍ତ ସମନ୍ବୟ ରଖାଯାଇଛି। ଚାଷୀଙ୍କୁ ବାସ୍ନାଯୁକ୍ତ ଚାଉଳ ଉତ୍ପାଦନ ନିମନ୍ତେ ଧାନ ବିହନ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଉଛି ବୋଲି ଶ୍ରୀ ବଶିଷ୍ଠ କହିଥିଲେ। ଚଳିତ ଖରିଫ୍ରେ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ୫ଲକ୍ଷ କ୍ବିଣ୍ଟାଲ ଧାନ ବିହନ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ କହିଥିଲେ। ଏହି ବୈଠକରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, କୃଷି ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍.ମୁଥୁକୁମାର, ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।