ଭୁବନେଶ୍ବର: ସଂରକ୍ଷଣକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଛି ବିଜେଡି। ଓବିସି, ଏସ୍‌ସି ଓ ଏସ୍‌ଟିଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଦାବିରେ ବିଜେଡି ପକ୍ଷରୁ ଆଜି ରାଜଭବନ ସମ୍ମୁଖଷର ଜନଆନ୍ଦୋଳନ କରାଯାଇଥିଲା। ଏସ୍‌ଇବିସି ତଥ‌ା ଓବିସି ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଏବଂ ଏସ୍‌ସି/ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ୩୮.୭୫% ସଂରକ୍ଷଣ ତୁରନ୍ତ ଲାଗୁ କରିବାକୁ ଦଳର ନେତାମାନେ ଦାବି କରିଥିଲେ। ବିକ୍ଷୋଭ ପରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକ ପତ୍ରରେ କୁହାଯାଇଛି, ନିକଟରେ ରାଜ୍ୟ ସରକାର ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଉଚ୍ଚ ଶିକ୍ଷାକ୍ଷେତ୍ରରେ ପ୍ରଦାନ କରାଯାଇଥିବା ୧୧.୨୫ ପ୍ରତିଶତ ସଂରକ୍ଷଣ ଏକ ପ୍ରବଞ୍ଚନା। ବିଶେଷ କରି ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାକ୍ଷେତ୍ରରେ ଓବିସି ବର୍ଗ ପାଇଁ କୌଣସି ସଂରକ୍ଷଣ ପ୍ରଦାନ କରାଯାଇ ନାହିଁ। ଏହାଛଡ଼‌ା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓ ଅନେକ ରାଜ୍ୟରେ ଓବିସି ଛାତ୍ରଛାତ୍ରୀମାନଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ରାଜ୍ୟର ଏସ୍‌ସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚ ଶିକ୍ଷାରେ ୩୮.୭୫% ସଂରକ୍ଷଣ ପ୍ରଦାନ କରାଯାଉ ଥିବା ବେଳେ ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ୨୦% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ତେଣୁ ଓଡ଼ିଶାରେ ବି ଅନୁରୂପ ପଦକ୍ଷେପ ନିଆଯାଉ।

Advertisment

ଓବିସି ସେଲ୍‌ ଆବାହକ ଅରୁଣ କୁମାର ସାହୁ କହିଥିଲେ, ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ସହ ରାଜ୍ୟ ସରକାର ପ୍ରତାରଣା କରିଛନ୍ତି। ସାଧାରଣ ପାଠ୍ୟକ୍ରମରେ ୭୦/୮୦ ହଜାର ସିଟ୍‌ ଖାଲି ପଡ଼ୁଥିଲା ବେଳେ ସେଠାରେ ସଂରକ୍ଷଣ ଘୋଷଣା କରିବାର କିଛି ମାନେ ନାହିଁ। ଓବିସି, ଏସ୍‌ସି, ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ନିଯୁକ୍ତିରେ ଉପଯୁକ୍ତ ସଂରକ୍ଷଣ ନମିଳିବା ଯାଏ ପଲ୍ଲୀ ଠାରୁ ଦିଲ୍ଲୀ ଯାଏ ଆନ୍ଦୋଳନ ହେବ। 
ବିଜେଡି ଓବିସି ସେଲ୍‌ ଆବାହକ ଶ୍ରୀ ସାହୁଙ୍କ ସମେତ ଏସ୍‌ଟି ସେଲ୍‌ର ଆବାହକ ମଙ୍ଗଳା କିସାନ ଓ ଏସ୍‌ସି ସେଲର ଆବାହକ ମହେଶ ସାହୁଙ୍କ ଆବାହକତ୍ୱରେ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ୍ଲ ସାମଲ, ବଦ୍ରି ନାରାୟଣ ପାତ୍ର, କଳିକେଶ ନାରାୟଣ ସିଂହଦେଓ, ବ୍ୟୋମକେଶ ରାୟ, ଶୁଭାଶିଷ ଖୁଣ୍ଟିଆ,ଦେବୀ ରଞ୍ଜନ ତ୍ରିପାଠୀ, ଅଶୋକ ଚନ୍ଦ୍ର ପଣ୍ଡା, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ଭୃଗୁ ବକ୍ସିପାତ୍ର, ସୁନିଲ ମହାନ୍ତି, ପ୍ରୀତିରଞ୍ଜନ ଘଡ଼େଇ, ଅରବିନ୍ଦ ମହାପାତ୍ର, ସାରଦା ପ୍ରସନ୍ନ ଜେନା, ସାରଦା ନାୟକ, ରୋହିତ ଯୋଶେଫ ତିର୍କୀ, ରାଜେନ୍ଦ୍ର ସାହୁ, ପ୍ରଦୀପ ମାଝୀ, ମନ୍ମଥ ରାଉତରାୟ, ସୌଭିକ ବିଶ୍ୱାଳ, ବ୍ରଜ କିଶୋର ପ୍ରଧାନ, ନଳିନୀକାନ୍ତ ପ୍ରଧାନ ଓ ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଅଡ଼ୁଆରେ ପକାଇଦେଲେ ରଣେନ୍ଦ୍ର
ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ଆନ୍ଦୋଳନ କରୁଥିଲା ବେଳେ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜ ଭାଷଣରେ ବିଜେଡିକୁ ଅଡ଼ୁଆରେ ପକାଇ ଦେଇଥିଲେ। ସେ କହିଥିଲେ, ଦଳ ଭିତରେ କିଛି ଲୋକ ଏସ୍‌ସି, ଏସ୍‌ଟି, ଓବିସି ପ୍ରସଙ୍ଗକୁ ହୀନମନ୍ୟ କରୁଥିଲେ। ଏବେ ଡେରି ହୋଇଯାଇଛି। ଆମେ ଏହି ପ୍ରସଙ୍ଗକୁ ଆଗରୁ ନେଇଥିଲେ ନିର୍ବାଚନରେ ଫଳାଫଳ ଅଲଗା ହୋଇଥା’ନ୍ତା। ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗରେ ବିଜୁ ବାବୁଙ୍କର ଚାହିଦା ଥିଲା। ଯେଉଁମାନେ ଏହାକୁ ଏପଟ ସେପଟ କରିଛନ୍ତି ସେମାନେ ଠିକ୍ ବାଟକୁ ଆସନ୍ତୁ। ନହେଲେ ଇତିହାସ କ୍ଷମା ଦେବନି। ଓବିସି କମିସନ୍‌ ଗଠନ ବେଳେ ମୁଁ ବବି ଦାସଙ୍କ ସହ ଲଢ଼େଇ କରିଥିଲି। କମିସନ୍ ଗଠନ ହେଲା ସତ, କିନ୍ତୁ ପ୍ରକ୍ରିୟା ଭୁଲ୍‌ ଥିଲା। ହିସାବ କିତାବ ଭୁଲ୍‌ ଥିଲା। ତେଣୁ କିଛି ଲାଭ ହେଲାନି।