ସମ୍ବଲପୁର: ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ପ୍ରତ୍ୟେକ ଖେଳାଳିଙ୍କ ସ୍ଥିତି ସଂପର୍କରେ ରିପୋର୍ଟ ଦେବାକୁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ସମ୍ବଲପୁରରେ ଜାତୀୟସ୍ତରୀୟ ଫୁଟ୍ବଲ୍ ଖେଳାଳିଙ୍କ ଦୁରବସ୍ଥା ନେଇ ଗତ ୧୧ ତାରିଖରେ ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟ ଉପରେ ଏଭଳି ପଦକ୍ଷେପ ନିଆଯାଇଛି। ‘ରାଜ୍ୟରେ ଟେକ ରଖିଥିବା ଫୁଟ୍ବଲ୍ ଖେଳାଳିଙ୍କ ଦୁଃଖ: ଜଣେ ବିଡ଼ି ତିଆରି କରୁଛନ୍ତି, ଅନ୍ୟଜଣେ ପରଘରେ ପାଇଟି’ ଶୀର୍ଷକ ଖବର ଉପରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରକାଶିତ ଖବରରେ ଉଲ୍ଲେଖ ରହିଥିବା ଡଲି ମୁଣ୍ଡା, ମୀନା ଆଇନ୍ଦ ଓ ଦୀପ୍ତି କିସାନଙ୍କ ଜାତୀୟସ୍ତରୀୟ ଖେଳ ପ୍ରମାଣପତ୍ର ଦାଖଲ ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି। ଏହି ୩ଜଣ ଖେଳାଳି ଆଜି ସେମାନଙ୍କ କ୍ରୀଡ଼ା ପ୍ରମାଣପତ୍ର ଦାଖଲ କରିଛନ୍ତି। ଏହା ରାଜ୍ୟ କ୍ରୀଡ଼ା ବିଭାଗକୁ ପଠାଇ ଦିଆଯିବ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ କହିଛନ୍ତି।
ଏହାସହିତ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ସମ୍ବଲପୁରର ପ୍ରତ୍ୟେକ ଖେଳାଳିଙ୍କ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛି କ୍ରୀଡ଼ା ବିଭାଗ। ପ୍ରକାଶଥାଉକି, ସମ୍ବଲପୁରର ସର୍ବାଧିକ ୩୬ ଜଣ ମହିଳା ଫୁଟ୍ବଲ୍ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ବିଷୟରେ ତଥ୍ୟ ନିଆଯାଉଛି। ଏହି ଖେଳାଳିଙ୍କ ମଧ୍ୟରୁ ଅନେକ ସରକାରୀ ଅବହେଳାର ଶିକାର ହୋଇଛନ୍ତି। ଜିଲ୍ଲା ପ୍ରଶାସନର ସୁପାରିସ ପରେ ଏକ କମ୍ପାନି ଦୀପ୍ତି କିସାନଙ୍କୁ ନିଯୁକ୍ତି ପାଇଁ ରାଜି ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆଉ ନିଯୁକ୍ତିପତ୍ର ଦେଇନଥିଲା। ଦୀପ୍ତି ବର୍ତ୍ତମାନ ଏକ ଦୋକାନରେ କର୍ମଚାରୀ ଅଛନ୍ତି। ଏହାବ୍ୟତୀତ ପୁରୁଷ ଫୁଟ୍ବଲ୍, ଆଥଲେଟ୍, କବାଡ଼ି, ହକିରେ ମଧ୍ୟ ଜିଲ୍ଲାର ଅନେକ ଖେଳାଳି ଜାତୀୟସ୍ତରରେ କୃତିତ୍ବ ହାସଲ କରିଛନ୍ତି। ଏହି ଖେଳାଳିଙ୍କ ସ୍ଥିତି ବର୍ତ୍ତମାନ କିଭଳି ରହିଛି ତାକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା କହିଛନ୍ତି କ୍ରୀଡ଼ା ଅଧିକାରୀ। ତେବେ ବର୍ତ୍ତମାନର ସରକାର ଏହି ଖେଳାଳିଙ୍କ ନିଯୁକ୍ତି ସଂପର୍କରେ କଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।
ଉଲ୍ଲେଖଯୋଗ୍ୟ ଯେ ଗରିବ ଜନଜାତି ପରିବାରର ଡଲି ମୁଣ୍ଡା କୋଲକାତା, ମଣିପୁର, ପଞ୍ଜାବ, ହାଇଦ୍ରାବାଦ, ଶିଲଂ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ରାଉରକେଲା ସମେତ ୧୫ଟି ଜାତୀୟସ୍ତରୀୟ ମ୍ୟାଚ୍ ଖେଳିଛନ୍ତି। ୧୯୯୮ରୁ ୨୦୧୨ ମସିହା ଯାଏଁ ୧୪ ବର୍ଷ ଧରି ସେ ଫୁଟ୍ବଲ୍ ଖେଳରେ ସକ୍ରିୟ ରହିଥିଲେ। ଡଲି ଏବେ ବିଡ଼ି ତିଆରି କରୁଛନ୍ତି। ୬ ଥର ଜାତୀୟ ମ୍ୟାଚ୍ ଖେଳିଥିବା ମୀନା ଆଇନ୍ଦ ବହୁବର୍ଷ ଧରି ଅନ୍ୟଘରେ ବାସନ ମାଜିବା କାମ କରିବା ପରେ ଏବେ ଜଣେ ଶଯ୍ୟାଶାୟୀ ରୋଗୀଙ୍କ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ଦୀପ୍ତି କିସାନ ୨୦୦୨ ମସିହାରୁ ଲଗାତାର ବହୁବର୍ଷ ଧରି କୋଲକାତା, ରାଉରକେଲା, ବିହାରରେ ଆୟୋଜିତ ଜାତୀୟସ୍ତରୀୟ ମ୍ୟାଚ୍ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିଲେ। ଏବେ ସେ ଏକ ବିଉଟି ପାର୍ଲରରେ କର୍ମଚାରୀ ଅଛନ୍ତି।