ଭୁବନେଶ୍ବର : ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ପରେ ମେଡିକାଲ୍‌ରେ ମୃତ୍ୟୁବରଣ କରିଥିବା ଦୁଷ୍ମନ୍ତ ଦାସଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ଦେବାକୁ ଦାବି କରିଛି ରାଜ୍ୟ ବିଜେପି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ କହିଲେ ଯେ କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଦୁଇ ବର୍ଷ ହେଲା ଦୁର୍ଘଟଣା ଜନିତ କ୍ଷତ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବହୁବାର ନିବେଦନ କରିଥିଲେ। କିନ୍ତୁ ଆବଶ୍ୟକ ସହାୟତା ପାଇ ନ ଥି‌ଲେ। ଗତ ୮/୯ ମାସ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେବା ସହ ରାଜଧାନୀର ବିଭିନ୍ନ ଘରୋଇ ଚିକିତ୍ସାଳୟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅର୍ଥ ବାଧକ ଥିଲା। ପରିଶେଷରେ ଅସହାୟ ହୋଇ ଆତ୍ମବିଶ୍ବାସ ହରାଇ ସେ ବିଧାନସଭା ସମ୍ମୁଖରେ ସରକାରଙ୍କ ଅସହଯୋଗ ପ୍ରତିବାଦରେ ଆତ୍ମହତ୍ୟ ଉଦ୍ୟମ କରିଥିଲେ ଓ ମେଡିକାଲରେ ମୃତ୍ୟୁବରଣ କରିଥିଲେ। ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଯୋଗୁ ଏକ ଅମୂଲ୍ୟ ଜୀବନ ନଷ୍ଟ ହୋଇଗଲା। ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ଅସମର୍ଥ। କିନ୍ତୁ ଗରିବ ରୋଗୀଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଉଥିବା କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଉ ନାହାନ୍ତି।

Advertisment

ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଉଦ୍ୟମ ଠାରୁ ଆରମ୍ଭ କରି ରାତି ଅଧିଆ ଶବ ସତ୍କାର ପର୍ଯ୍ୟନ୍ତ ସବୁ ଘଟଣା ସନ୍ଦେହଜନକ ଓ ତଦନ୍ତସାପେକ୍ଷ। ଏହି ଘଟଣାର ସିବିଆଇ ତଦନ୍ତର ଆବଶ୍ୟକତା ରହିଛି। ଦୁଷ୍ମନ୍ତଙ୍କ ପରିବାରକୁ ସର୍ବନିମ୍ନ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ତାଙ୍କ ପତ୍ନୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାକୁ ଶ୍ରୀ ସାମଲ ଦାବି କରିଛନ୍ତି। ଯଦି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ନ ହୁଏ, ତେବେ ଦୁଷ୍ମନ୍ତଙ୍କ ପରି ରାଜ୍ୟରେ ଥିବା ଆହୁରି ଅନେକ ଦୁଷ୍ମନ୍ତ ଆତ୍ମହତ୍ୟା କରିବାକୁ ପଛାଇବେ ନାହିଁ ବୋଲି ପୂର୍ବତନ ସାଂସଦ ବିଭୁ ତରାଇ କହିଛନ୍ତି। ବିଜେପି ତରଫରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ ସୁରମା ପାଢ଼ୀ, ରମାରଞ୍ଜନ ବଳିୟାରସିଂହ, ସତ୍ୟବ୍ରତ ପଣ୍ଡା, ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ନେଇ ଗଠିତ ଏକ ଟିମ୍ ଦୁଷ୍ମନ୍ତଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ବନା ଦେଇଥିଲେ।