ଶିକ୍ଷକଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ଦିଅ: ଓଷ୍ଟା

ଭୁବନେଶ୍ବର : ୨୦୨୦ରୁ ଏଯାବତ୍ କରୋନା ବିରୋଧୀ ଲଢ଼େଇରେ ଆଗଧାଡିରେ ରହି ସମ୍ମୁଖ ଲଢ଼େଇ ଲଢୁଥିବା ଶିକ୍ଷକଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦାବି କରିଛି। ଏନେଇ ବାରମ୍ବାର ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଶିକ୍ଷକଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ନ କରିବା ଦୁର୍ଭାଗ୍ୟଜନକ। କାଳବିଳମ୍ବ ନକରି ସରକାର କରୋନା ବିରୋଧରେ ସମ୍ମୁଖ ଲଢ଼େଇ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯୋଦ୍ଧାର ମାନ୍ୟତା ପ୍ରଦାନ କରିବାକୁ ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଦାବି କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚାଲିଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ଆରକ୍ଷୀବାହିନୀଙ୍କ ଶିକ୍ଷକମାନେ ବିଭିନ୍ନ ସ୍ଥାନରେ ପ୍ରତିବଦ୍ଧତାର ସହ ଦାୟିତ୍ବ ନିର୍ବାହ କରୁଛନ୍ତି। ରେଳ ଷ୍ଟେସନଗୁଡ଼ିକରେ ପ୍ରବାସୀଙ୍କ ଥର୍ମାଲ ଟେଷ୍ଟିଂଠାରୁ ଆରମ୍ଭକରି ସୀମାବର୍ତ୍ତୀ ତନଖି ସ୍ଥାନଗୁଡ଼ିକରେ ଉପସ୍ଥିତ ରହି କାର୍ଯ୍ୟ କରିବା, ଶ୍ମଶାନରେ କୋରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ଶବଦାହରେ ସାମିଲ ହେବା, ଟିକାକରଣରେ ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା, ନମୁନା ସଂଗ୍ରହ ଭଳି ଅନେକ ସମ୍ବେଦନଶୀଳ କାର୍ଯ୍ୟରେ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରୁଛନ୍ତି। ଶିକ୍ଷକମାନେ ଘରକୁ ଘର ବୁଲି ସାଇକେଲ, ବହି, ପୋଷାକ ବଣ୍ଟନ, ଛାତ୍ରଛାତ୍ରୀଙ୍କ ଟେଲିଫୋନ ନମ୍ବର ସଂଗ୍ରହ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ପରିସଂଖ୍ୟାନ କରିବା ସହିତ ମାଟ୍ରିକ ଫଳ ପ୍ରକାଶନ ନିମନ୍ତେ ସ୍କୁଲଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦପ୍ତର ପର୍ଯ୍ୟନ୍ତ ବୁଲି ବୁଲି କାର୍ଯ୍ୟ କରୁଛନ୍ତି। ତା’ପରେ ବି ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ଟିକା ପ୍ରଦାନ କରାଯାଇଛି ନା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।

କରୋନା କାର୍ଯ୍ୟରେ ନିଯୁକ୍ତ ଅନେକ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ତାଙ୍କ ପରିବାର ପାଇଁ କୌଣସି ସରକାରୀ ଅନୁକମ୍ପା ଉପଲବ୍ଟ ହେଉ ନାହିଁ। ୬ ଜଣରୁ ଅଧିକ ବିଧାୟକ ଶିକ୍ଷକମାନଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ସାରିଥିବା ବେଳେ ସରକାରଙ୍କ ନିରବତା ସାଧାରଣରେ ବିସ୍ମୟ ସୃଷ୍ଟି କରୁଛି। ଶିକ୍ଷକଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ନଦେଇ ବିପଦ ସଙ୍କୁଳ ଭାବେ କାମ କରିବା ପାଇଁ ନିର୍ଦ୍ଦେଶ ଦେବା ଶିକ୍ଷକମାନଙ୍କ ସ୍ବାଭିମାନକୁ କ୍ଷୁଣ୍ଣ କରୁଛି ବୋଲି ଓଷ୍ଟା ପକ୍ଷରୁ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର ଓ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର