୪୦ କୋଟି ଟଙ୍କା ଯଚାଯିବା ଖବର ମିଛ, ନିରଞ୍ଜନ ପିସିସି ସଭାପତି ରହିବା ଆବଶ୍ୟକ: ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ମୋ ସହ ୪୦ କୋଟି ଟଙ୍କାର ଡିଲ୍ ହୋଇଥିବା ଖବର ସମ୍ପୂର୍ଣ୍ଣ ମିଛ | କୌଣସି ଦଳ ପକ୍ଷରୁ ଟଙ୍କା ଯଚାଯିବାକୁ ଅମୂଳକ କହିଛନ୍ତି ସାଂସଦ ରଞ୍ଜୀବ ବିଶ୍ୱାଳ | ପୂର୍ବରୁ ଟ୍ରିପଲ ତଲାକ ବିଲ୍ ରାଜ୍ୟସଭାରେ ପାରିତ ହେବା ବେଳେ ରଞ୍ଜୀବ ଗୃହରେ ଅନୁପସ୍ଥିତି ରହିବାକୁ ନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ତାଙ୍କୁ ୪୦ କୋଟି ଟଙ୍କା ଯଚାଯିବା ନେଇ ଚର୍ଚ୍ଚା ହୋଇଥିଲା | ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ । କଂଗ୍ରେସର ବିପର୍ଯ୍ୟୟକୁ ନେଇ ବଡ ବୟାନ ଦେଇଛନ୍ତି ରଞ୍ଜୀବ । କଂଗ୍ରେସର ବିପର୍ଯ୍ୟୟ ପାଇଁ ସମସ୍ତ ତୁଙ୍ଗ ନେତାଙ୍କୁ ଦାୟୀ କରିବା ସହ ନିରଞ୍ଜନ ପିସିସି ସଭାପତି ପଦରେ ରହିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ରଞ୍ଜୀବ । ରାଜ୍ୟରେ କଂଗ୍ରେସର ଯେଉଁ ଅବସ୍ଥାରେ ରହିଛି ସେଥିରୁ କେବଳ ନିରଞ୍ଜନ ହିଁ ଦଳକୁ ଆଗକୁ ନେଇପାରିବେ । ନିରଞ୍ଜନଙ୍କ ଭଳି ଅନୁଭବୀ ଓ ଅଭିଜ୍ଞତା ଥିବା ନେତା ପିସିସି ସଭାପତି ପଦ ଛାଡିବା ଦଳକୁ ଆହୁରି ପଛକୁ ଠେଲିଦେବ ବୋଲି କହିଛନ୍ତି ରଞ୍ଜୀବ ।

ଏହାଛଡା ରଞ୍ଜୀବ କହିଛନ୍ତି, କଂଗ୍ରେସକୁ ଆଗକୁ ନେବାକୁ ହେଲେ ସମସ୍ତ ବରିଷ୍ଠ ନେତା ମାନଙ୍କୁ ଏକ ମନ ଏକ ପ୍ରାଣରେ କାମ କରିବାକୁ ପଡିବ । ଦେଶର ସବୁଠୁ ପୁରୁଣା ଦଳ ପୁଣିଥରେ କ୍ଷମତାକୁ ଫେରିବାକୁ ହେଲେ ନିଜର ଷ୍ଟ୍ରାଟେଜି ବଦଳାଇବାକୁ ପଡିବ । ନିରଞ୍ଜନ ନେତୃତ୍ୱରେ ଦଳ ପୁଣିଥରେ ଗ୍ରାଉଣ୍ଡରେ କାମ କରିବା ଆବଶ୍ୟକ ବୋଲି କହିଛନ୍ତି ରଞ୍ଜୀବ । ଏବେ ପିସିସି ସଭାପତି ହେବାକୁ ତାଙ୍କର ଇଚ୍ଛା ନାହିଁ ବୋଲି କହିଛନ୍ତି ରଞ୍ଜୀବ । ଏସବୁ ଭିତରେ ଅନ୍ୟ ଦଳକୁ ଯିବା ନେଇ ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଛେଦ ପକାଇଛନ୍ତି ରଞ୍ଜୀବ ।

ସମ୍ବନ୍ଧିତ ଖବର